ତିନି ତଲାକ୍‌ ବିଲ୍‌କୁ ମୁସ୍‌ଲିମ ମହିଳା ପର୍ସନାଲ ବୋର୍ଡର ବିରୋଧ

କୋରାନ୍‌ ବିରୋଧୀ ହେଲେ ଗ୍ରହଣ କରାଯିବନି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ତିନି ତଲାକ୍‌ ବିଲ୍‌ ଆସନ୍ତାକାଲି ଲୋକସଭାରେ ଆଗତ କରିବାକୁ ଯାଉଥିବା ବେଳେ ଆଜି ସର୍ବଭାରତୀୟ ମୁସଲିମ୍‌ ମହିଳା ପର୍ସନାଲ ଲ’ ବୋର୍ଡ(ଏଆଇଏମ୍‌ଡବ୍ଲ୍ୟୁପିଏଲବି)ଏହାକୁ ସର୍ତ୍ତମୂଳକ ଭାବେ ବିରୋଧ କରିଛି। ଯଦି କୋରାନ୍‌ କିମ୍ବା ସମ୍ବିଧାନ ବିରୋଧରେ ଯାଇ ସରକାର ଏଭଳି ଆଇନ୍‌ କରିବାକୁ ଯାଉଥାନ୍ତି ତେବେ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି ଲକ୍ଷ୍ନୌରେ ବୋର୍ଡର ବୈଠକରେ ନିଷ୍ପତ୍ତି ନିଆଯାଇଛି। ସରକାର ବିନା ଆଲୋଚନାରେ ଏହି ବିଧେୟକ ପାରିତ କଲେ ଆନ୍ଦୋଳନ ହେବ ବୋଲି ବୋର୍ଡ ଅଧ୍ୟକ୍ଷା ସାଇସ୍ତା ଅମ୍ବର ଚେତାବନୀ ଦେଇଛନ୍ତି। ଏହି ବୈଠକରେ ବିଲ୍‌କୁ ବିରୋଧ କରୁଥିବା ବିଭିନ୍ନ ମୁସ୍‌ଲିମ୍‌ ମହିଳା ସଂଗଠନ ଯୋଗ ଦେଇଥିଲେ। ବିବାହ ଏକ ଚୁକ୍ତିନାମା,ଏହାର ଖିଲାପକାରୀଙ୍କୁ ଦଣ୍ଡିତ କରିବା ଠିକ୍‌ କଥା,କିନ୍ତୁ ପବିତ୍ର ଗ୍ରନ୍ଥ କୋରାନ୍‌ର ନିୟମ ବିରୁଦ୍ଧରେ ଯାଇ ମୁସ୍‌ଲିମ୍‌ ମହିଳା ସଂଗଠନ ସରକାରଙ୍କ ନିଷ୍ପତ୍ତିକୁ ମାନିପାରିବ ନାହିଁ ବୋଲି ଅମ୍ବର କହିଛନ୍ତି। ସେ କହିଛନ୍ତି , ଲ’ କମିସନଙ୍କୁ ଚିଠି ଲେଖି ଏହି ବିଧେୟକ ଉପସ୍ଥାପନ ପୂର୍ବରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ମୁସ୍‌୍‌ଲିମସଂଗଠନଗୁଡିକ ସହ ଆଲୋଚନା ପାଇଁ ଅନୁରୋଧ କରାଯାଇଛି । କିନ୍ତୁ ସରକାରଙ୍କ ନକ୍ଷରୁ କୌଣସି ପ୍ରତ୍ୟୁତ୍ତର ମିଳିନଥିବା ସେ ଦର୍ଶାଇଛନ୍ତି। ଏଭଳି ତଲାକ୍‌ ପ୍ରସଙ୍ଗର ସମାଧାନ ପାଇଁ ଫ୍ୟାମିଲି କୋର୍ଟର ବ୍ୟବସ୍ଥା ଥିଲା। କିନ୍ତୁ ସରକାରଙ୍କ ଏହି ଆଇନ୍‌ ଯୋଗୁଁ ଉକ୍ତ ବ୍ୟବସ୍ଥା ମଧ୍ୟ ଲୋପ ହୋଇଯିବ ବୋଲି ସର୍ବଭାରତୀୟ ମୁସଲିମ୍‌ ମହିଳା ଲିଗ୍‌ କହିଛି। ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ତିନି ତଲାକ୍‌ ମାଧ୍ୟମରେ ବିବାହ ବିଚ୍ଛେଦ ସମ୍ପୂର୍ଣ୍ଣ ବେଆଇନ୍‌ ଓ ଏହାକୁ ଅପରାଧ ଭାବେ ଗ୍ରହଣ କରାଯିବ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଥିଲେ। ଏହାପରେ ଏ ବାବଦ ଆଇନ ତିଆରି କରିବା ପାଇଁ ସରକାରଙ୍କ ଏହି ବିଧେୟକ ପ୍ରସ୍ତୁତ ହୋଇଛି । ଏହି ବିଧେୟକ ଗୃହୀତ ହେବା ପରେ ତିନି ତଲାକ୍‌ ମାଧ୍ୟମରେ ବିବାହ ବିଚ୍ଛେଦ କଲେ ୩ ବର୍ଷ ଯାଏଁ ଜେଲ୍‌ ଦଣ୍ଡ ଭୋଗିବାକୁ ହେବ।

ସମ୍ବନ୍ଧିତ ଖବର