ସାଧାରଣତନ୍ତ୍ର ଦିବସରେ ‘ବନ୍ଦେ ମାତରଂ’ ନ କହିବାରୁ ମୁସଲମାନ ଶିକ୍ଷକଙ୍କୁ ମାଡ଼

କାତିହାର: ଜାନୁଆରି ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ପରେ ‘ବନ୍ଦେ ମାତରଂ’ କହିବାକୁ ମନା କରିଥିବା ବିହାର ଅନ୍ତର୍ଗତ କାତିହାର ଜିଲ୍ଲାର ଜଣେ ମୁସଲମାନ ଶିକ୍ଷକଙ୍କୁ ସ୍ଥାନୀୟ ଲୋକେ ମାରଧର କରିଛନ୍ତି।

ଅଫ୍‌ଜଲ୍‌ ହୁସେନ୍‌ ନାମକ ସେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ସ୍ଥାନୀୟ ଲୋକେ ମାଡ଼ ଦେଉଥିବାର ଦୃଶ୍ୟସମ୍ବଳିତ ଭିଡିଓ ଭାଇରାଲ୍‌ ହୋଇଛି।
ତାଙ୍କ ଧାର୍ମିକ ବିଶ୍ୱାସ ବିରୁଦ୍ଧାଚରଣ କରୁଥିବାରୁ ‘ବନ୍ଦେ ମାତରଂ’ କହିବେ ନାହିଁ ବୋଲି ହୁସେନ୍‌ ପରେ କହିଥିଲେ।

ସେ କହିଲେ: ଆମେ ଆଲ୍ଲାଙ୍କୁ ବିଶ୍ୱାସ କରୁ। ‘ବନ୍ଦେ ମାତରଂ’ ଆମ ବିଶ୍ୱାସର ବିରୁଦ୍ଧାଚରଣ କରୁଛି। ‘ବନ୍ଦେ ମାତରଂ’ର ଅର୍ଥ ଭାରତ ମାତାଙ୍କ ବନ୍ଦନା, ଯାହାକୁ ଆମେ ବିଶ୍ୱାସ କରୁନାହିଁ। ’ବନ୍ଦେ ମାତରଂ’ କହିବା ଆବଶ୍ୟକ ବୋଲି ସମ୍ବିଧାନରେ କେଉଁଠି ଲେଖାଯାଇ ନାହିଁ।

ବିହାର ଶିକ୍ଷାମନ୍ତ୍ରୀ କେଏନ୍‌ ପ୍ରସାଦ ବର୍ମା କହିଛନ୍ତି: ଯଦି ଏ ଭଳି ଘଟନା ଘଟିଥାଏ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାତୀୟ ସଙ୍ଗୀତ ପ୍ରତି ଅପମାନ ଆଦୌ କ୍ଷମଣୀୟ ନୁହେଁ।

ଏ ଘଟନା ସଂକ୍ରାନ୍ତରେ କୌଣସି ଅଭିଯୋଗ ପାଇ ନାହାନ୍ତି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଦିନେଶ ଚନ୍ଦ୍ର ଦେବ କହିଛନ୍ତି।

ସମ୍ବନ୍ଧିତ ଖବର