ମୁସଲିମ ଲେଖିକା ଉର୍ଦ୍ଦୁରେ ରାମାୟଣ ଲେଖି କହିଲେ, ଭଲ କଥା ସମସ୍ତେ ଜାଣନ୍ତୁ

ନୂଆଦିଲ୍ଲୀ: ଭଲ କଥା ସମସ୍ତେ ଜାଣିବା ଦରକାର। ଏହା ଦ୍ୱାରା ସମାଜର ମଙ୍ଗଳ ହେବ ବୋଲି ଜଣେ ମୁସଲିମ ଲେଖିକା କହିଛନ୍ତି। ଉର୍ଦ୍ଦୁ ଭାଷାରେ ରାମାୟଣ ଅନୁବାଦ କରିବା ପରେ ସେ ଏହା କହିଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଉତ୍ତର ପ୍ରଦେଶର କାନପୁରରେ ଜଣେ ମୁସଲିମ ମହିଳା ପବିତ୍ର ଧର୍ମଗ୍ରନ୍ଥ ରାମାୟଣକୁ ଉର୍ଦ୍ଦୁ ଭାଷାରେ ଅନୁବାଦ କରିଛନ୍ତି। ଏଥି ସହିତ ମହିଳା ଜଣକ ଲେଖନୀ ମାଧ୍ୟମରେ ଗଙ୍ଗା-ଯମୁନାର ପରିଚୟ ଦେବାକୁ ଯାଇ ଦେଶର ଜନତାଙ୍କୁ ଭାଇଚାରା ସଂପର୍କରେ ଆବଦ୍ଧ ରହିବା ପାଇଁ ମାର୍ଗଦର୍ଶନ କରିଛନ୍ତି।

ପ୍ରେମନଗର ନିବାସୀ ଡ. ମାହୀ ତଲତ ସିଦ୍ଦିକି ଉର୍ଦ୍ଦୁ ଭାଷାରେ ରାମାୟଣକୁ ଅନୁବାଦ କରିଛନ୍ତି। ଡ. ସିଦ୍ଦିକିଙ୍କ ଅନୁସାରେ ରାମାୟଣ ବହୁତ ସୁନ୍ଦର ଶୈଳୀରେ ଲେଖାଯାଇଛି। ଅନ୍ୟ ଧର୍ମଗ୍ରନ୍ଥର ପବିତ୍ର ଶବ୍ଦ ଭଳି ରାମାୟଣ ମଧ୍ୟ ଶାନ୍ତି ଓ ଭାଇଚାରାର ସନ୍ଦେଶ ଦେଉଛି।

ରାମାୟଣ ମହାକାବ୍ୟକୁ ଅନୁବାଦ କରିବା ତାଙ୍କର ମୂଳ ଉଦ୍ଦେଶ୍ୟ ଯେ, ହିନ୍ଦୁ ସଂପ୍ରଦାୟଙ୍କ ବ୍ୟତୀତ ମୁସଲିମ ସଂପ୍ରଦାୟଙ୍କ ନିକଟରେ ମଧ୍ୟ ରାମାୟଣର ଭଲ କଥା ଗୁଡ଼ିକ ପହଞ୍ଚୁ। ସେ କହିଛନ୍ତି, ରାମାୟଣକୁ ଉର୍ଦ୍ଦୁ ଭାଷାରେ ଅନୁବାଦ କରିବା ପରେ ତାଙ୍କୁ ଶାନ୍ତି ମିଳିଛି। ଅନୁବାଦ ପାଇଁ ତାଙ୍କୁ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ଲାଗିଛି।

ଅନୁବାଦ ସମୟରେ ହିନ୍ଦି ରାମାୟଣରେ ଥିବା ଶବ୍ଦଗୁଡ଼ିକ ଯେପରି ନଷ୍ଟ ନହୁଏ, ସେଥି ପାଇଁ ଦୃଷ୍ଟି ଦେଇଥିଲି ବୋଲି ସିଦ୍ଦିକି କହିଛନ୍ତି। ହିନ୍ଦୀ ସାହିତ୍ୟରେ ଏମ.ଏ ପାସ କରିଥିବା ସିଦ୍ଦିକି ଆଗାମୀ ଦିନରେ ମଧ୍ୟ ଲେଖନୀ ଜାରି ରଖିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର