ଚର୍ଚ୍ଚାରେ ମୁଜାଫରପୁର ବାଳିକା ଅଶ୍ରୟସ୍ଥଳ: ପୀଡ଼ିତାଙ୍କୁ ଗଣଦୁଷ୍କର୍ମ, ଅବସ୍ଥା ଗୁରୁତର

ନୂଆଦିଲ୍ଲୀ: ବିହାରର ମୁଜାଫରପୁର ବାଳିକା ଆଶ୍ରୟସ୍ଥଳରେ ପୂର୍ବରୁ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ପୀଡ଼ିତା ଏବେ ପୁଣି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତାଙ୍କ ଅବସ୍ଥା ଏବେ ଗୁରୁତର ରହିଛି ଏବଂ ତାଙ୍କୁ ସ୍ଥାନୀୟ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବେତିୟା ଥାନା ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ରାତିରେ ଏହି ଗଣଦୁଷ୍କର୍ମ ଘଟିଛି। ୪ ଜଣ ଯୁବକ ପୀଡ଼ିତାଙ୍କୁ ବଳପୂର୍ବକ ଉଠାଇ ନେଇ ଏକ କାର୍‌ରେ ପଳାଇଥିଲେ। ଅଭିଯୁକ୍ତମାନେ ଚଳନ୍ତା ଗାଡ଼ିରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ସମସ୍ତ ଅଭିଯୁକ୍ତ ଗୋଟିଏ ପରିବାରର ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। ଗତବର୍ଷ ମୁଜାଫରପୁର ବାଳିକା ଆଶ୍ରୟସ୍ଥଳରେ ୩୪ ଜଣ ଝିଅ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଥିଲା। ସେମାନଙ୍କୁ ବର୍ଷ ବର୍ଷ ଧରି ଅମାନୁଷିକ ଅତ୍ୟାଚାର କରାଯାଇଥିବା ନେଇ ମଧ୍ୟ ତଥ୍ୟ ସାମ୍ନାକୁ ଆସିବା ପରେ ଏହା ଦେଶ ବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ରାଜ୍ୟ ସରକାର ଏହି ମାମଲାର ତଦନ୍ତଭାର ସିବିଆଇକୁ ନ୍ୟସ୍ତ କରିଥିଲେ। ନିକଟରେ ସୁପ୍ରିମ୍‌ କୋର୍ଟ ଏହି ଆଶ୍ରୟସ୍ଥଳର ୮ ଜଣ ପୀଡ଼ିତାଙ୍କୁ ସେମାନଙ୍କ ପରିବାର ସହିତ ରହିବା ପାଇଁ ଅନୁମତି ଦେଇଥିଲେ। ଏବେ ଜଣେ ପୀଡ଼ିତାଙ୍କ ସହ ପୁଣି ଗଣଦୁଷ୍କର୍ମ ଘଟଣା ଜଟିଳ ସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର