ମୁଜାଫରପୁର ସେଲ୍ଟର ହୋମ ଯୌନ ନିର୍ଯାତନା ମାମଲା: କୋର୍ଟରେ ଆତ୍ମସମର୍ପଣ କଲେ ବିହାରର ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମା

ପାଟନା: ମୁଜାଫରପୁର ସେଲ୍ଟର ହୋମ ଯୌନ ନିର୍ଯାତନା ମାମଲା ଓ ଘରୁ ଅସ୍ତ୍ରଶସ୍ତ୍ର ମିଳିବା ଘଟଣାରେ ଫେରାର ଥିବା ବିହାର ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମା ଆଜି ବେଗୁସରାଇ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ମୁଜାଫରପୁର ସେଲ୍ଟର ହୋମ ଯୌନ ନିର୍ଯାତନା ମାମଲାରେ ସିବିଆଇ ଶ୍ରୀମତୀ ବର୍ମାଙ୍କ ଘରେ ରେଡ୍‌ କରିବା ସମୟରେ ତାଙ୍କ ଘରୁ ଏକ ମାରଣାସ୍ତ୍ର ଓ ୫୦ ଗୁଳି ମିଳିଥିଲା। ତା’ ପରଠାରୁ ଶ୍ରୀମତୀ ବର୍ମା ଗିରଫଦାରୀକୁ ଏଡାଇବା ପାଇଁ ଫେରାର ଥିଲେ।

ତେବେ ବିହାର ସରକାର ସୁପ୍ରିମକୋର୍ଟରେ ପୂର୍ବରୁ କହିଥିଲେ ଯେ ମୁଜାଫରପୁର ସେଲ୍ଟର ହୋମ ଯୌନ ନିର୍ଯାତନା ମାମଲା ପରଠାରୁ ଇସ୍ତଫା ଦେଇଥିବା ଶ୍ରୀମତୀ ବର୍ମାଙ୍କୁ ପୁଲିସ ଖୋଜି ପାଉନାହିଁ। ଏଥିରେ ବିରକ୍ତି ପ୍ରକାଶ କରି ସୁପ୍ରିମକୋର୍ଟ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକଙ୍କୁ ସମନ କରିଥିଲେ। ଘରୁ ୫୦ କ୍ୟାଟ୍ରିଜ୍‌ ମିଳିବା ଘଟଣାରେ ଶ୍ରୀମତୀ ବର୍ମା ଓ ତାଙ୍କ ସ୍ୱାମୀ ଚନ୍ଦ୍ରଶେଖର ବର୍ମା (ଯିଏ ମୁଜାଫରପୁର ସେଲ୍ଟର ହୋମ ଯୌନନିର୍ଯାତନା ମାମଲରୋର ଜଣେ ପ୍ରମୁଖ ଅଭିଯୁକ୍ତ)ଙ୍କ ନାମରେ ସିବିଆଇ ମାମଲା ରୁଜୁ କରିଛି। ଏ ନେଇ ବର୍ମା ସୁପ୍ରିମକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ମାତ୍ର ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ।

ସମ୍ବନ୍ଧିତ ଖବର