ମୁଜାଫର୍‌ପୁର ସେଲ୍‌ଟର୍‌ ହୋମ୍‌: ଝିଅମାନଙ୍କୁ ବାଜେ ଗୀତ ତାଳେ ତାଳେ ନାଚିବାକୁ ଓ ଦୈହିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା: ସିବିଆଇ

ପାଟନା: ସଂକ୍ଷିପ୍ତ ପୋଷାକ ପିନ୍ଧି ବାଜେ ଗୀତର ଛନ୍ଦେ ଛନ୍ଦେ ନାଚିବାକୁ ଏବଂ ତାଙ୍କ ଅତିଥିମାନଙ୍କ ସହ ଦୈହିକ ସମ୍ପର୍କ ରଖିବାକୁ ଝିଅମାନଙ୍କୁ ମୁଜାଫରପୁର ସେଲ୍‌ଟର୍‌ ହୋମ୍‌ ବ୍ୟଭିଚାରର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ବାଧ୍ୟ କରୁଥିଲେ ବୋଲି ସିବିଆଇ ଫାଇଲ୍‌ କରିଥିବା ୭୩ ପୃଷ୍ଠା ଚାର୍ଜ ସିଟ୍‌ରୁ ଜଣାପଡ଼ିଛି।

ଡିସେମ୍ବର ୧୯ ତାରିଖ ଦିନ ଅତିରିକ୍ତ ଜିଲ୍ଲା ଜଜ୍‌ ଆର୍‌ ପି ତିଓ୍ଵାରିଙ୍କ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟରେ ଏହି ଚାର୍ଜସିଟ୍‌ ଫାଇଲ କରାଯାଇଛି।

ଯେଉଁମାନେ ଅତିଥିମାନଙ୍କ ମନୋରଞ୍ଜନ କରିବାକୁ ମନା କରୁଥିଲେ ରାତିରେ ସେମାନଙ୍କୁ କେବଳ ରୁଟି ଓ ଲୁଣ ଦିଆଯାଉଥିଲା, ଯେଉଁମାନେ ନାଚୁ ଥିଲେ ସେମାନଙ୍କୁ ଉତ୍ତମ ଭୋଜନ ଦିଆଯାଉଥିଲା ବୋଲି ଚର୍ଜସିଟ୍‌ରେ ଉଲ୍ଲେଖ ରହିଛି।

ସେଲ୍‌ଟର୍‌ ହୋମ୍‌ରେ ଏସବୁ ଚାଲିଥିବା କଥା ଜାଣି ଥିବା ଅଧିକାରୀଙ୍କ ଭୂମିକା ସମ୍ପର୍କରେ ଚାର୍ଜସିଟ୍‌ରେ କିଛି ଉଲ୍ଲେଖ ନାହିଁ।

ତଦନ୍ତରୁ ଜଣାପଡ଼ିଛି ଯେ ଝିଅମାନଙ୍କୁ ନିଶା ଖୁଆଇ ଠାକୁରଙ୍କ ଅତିଥିମାନଙ୍କ ସହ ଦୈହିକ ସମ୍ପର୍କ ରଖାଯାଉଥିଲା। ଠାକୁରଙ୍କ ସମେତ ପ୍ରାୟ ୨୧ ଅଭିଯୁକ୍ତଙ୍କ ନାମ ଏହି ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି। ଏହାଛଡ଼ା ୩୩ ଜଣ ପୀଡ଼ିତାଙ୍କ ସମେତ ୧୦୧ ଜଣ ସାକ୍ଷୀଙ୍କର ନାମ ଏଥିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର