ମୋ ସରକାରରେ ଦଲାଲଙ୍କ ସ୍ଥାନ ନାହିଁ: ମୋଦୀ

ଜୁଜ୍‌ଓ୍ଵା(ଗୁଜରାଟ): ସରକାରଙ୍କ ଦ୍ୱାରା ଦିଆଯାଉଥିବା ପ୍ରତ୍ୟେକ ଟଙ୍କାର ପ୍ରତିଟି ପଇସା ଲୋକଙ୍କ ନିକଟରେ ପହଞ୍ଚୁଛି। ଏଥିରେ କୌଣସି ଦଲାଲ ହସ୍ତକ୍ଷେପ କରୁନାହାନ୍ତି। କାରଣ ମୋ ସରକାରରେ ଦଲାଲଙ୍କର କୌଣସି ସ୍ଥାନ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏଭଳି କହିଛନ୍ତି। ସେ କହିଛନ୍ତି, ୨୦୨୨ ସୁଦ୍ଧା ପ୍ରତ୍ୟେକ ଭାରତୀୟ ପରିବାର ଯେମିତି ନିଜର ଘର ପାଇବେ, ତାହାକୁ ସରକାର ସୁନିଶ୍ଚିତ କରାଇବେ। ଏହା ମଧ୍ୟ ମୋର ସ୍ୱପ୍ନ। ଗୁଜରାଟର ବଲ୍‌ସାଦ ସହର ନିକଟବର୍ତ୍ତୀ ଜୁଜ୍‌ଓ୍ଵା ଗ୍ରାମରେ ଏକ ଜନସମାବେଶକୁ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ହାଉସିଂ ସ୍କିମ୍‌ର ସୁବିଧା ପାଇବା ପାଇଁ କୌଣସି ଲାଞ୍ଚ କାରବାରକୁ ପ୍ରଶ୍ରୟ ଦିଆଯିବ ନାହିଁ। ସେହିଭଳି ମୋ ସରକାରରେ କମିସନ୍‌ର ବି କୌଣସି ସ୍ଥାନ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଏକ ଟିପ୍ପଣୀକୁ ଆଧାର କରି ମୋଦୀ କହିଛନ୍ତି, ଦିଲ୍ଲୀ ଯଦି ୧ ଟଙ୍କା ଛାଡ଼େ, ଗରିବଙ୍କ ଘରେ ସମସ୍ତ ୧୦୦ ପଇସା ହିଁ ପହଞ୍ଚିବ। ତାହାକୁ ସୁନିଶ୍ଚିତ କରାଯିବ। ରାଜୀବ ଗାନ୍ଧୀ କହିଥିଲେ, କେନ୍ଦ୍ର ୧ ଟଙ୍କା ଛାଡୁଥିବା ବେଳେ ଗରିବଙ୍କ ନିକଟରେ ମାତ୍ର ୧୫ ପଇସା ପହଞ୍ଚି ପାରୁଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ରର ମହତ୍ତ୍ୱପୂର୍ଣ୍ଣ ସ୍କିମ୍‌ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଗୁଜରାଟରେ ଲକ୍ଷେରୁ ଅଧିକ ଘର ନିର୍ମାଣ କରାଯାଇଛି।

ସମ୍ବନ୍ଧିତ ଖବର