ପାଗ ଖରାପ ହେତୁ ଅଟକି ଥିଲା ଉଦ୍ଧାର କାର୍ଯ୍ୟ, ଏନ୍‌-୩୨ ଦୁର୍ଘଟଣାସ୍ଥଳ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ ହେଲିକପ୍ଟର

ନୂଆଦିଲ୍ଳୀ: ଭାରତୀୟ ବାୟୁସେନା ପୁଣି ଥରେ ଏଏନ୍‌-୩୨ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣ ବାୟୁସେନା କର୍ମଚାରୀଙ୍କ ମରଶରୀର ଉଦ୍ଧାର କାର୍ଯ୍ୟରେ ଲାଗିପଡିଛି । ୧୦ ଦିନ ପୂର୍ବେ ଜୁନ୍‌ ୩ ତାରିଖରେ ଅରୁଣାଚଳ ପ୍ରଦେଶର ପାହାଡିଆ ଦୁର୍ଗମ ଅଞ୍ଚଳରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ବର୍ଷା ଏବଂ ଖରାପ ପାଗ ଯୋଗୁଁ ଅରୁଣାଚଳ ପ୍ରଦେଶର ପଶ୍ଚିମ ସିଆଙ୍ଗ୍‌ ୧୩ ଜଣ ବାୟୁସେନା କର୍ମଚାରୀଙ୍କ ମୃତଦେହ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ବୋଲି ଏକ ବିବୃତିରେ ଆଇଏଏଫ୍‌ କହିଛି। ଶନିବାର ସକାଳୁ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ପାଗ ଅନୁକୂଳ ହେଲେ ସେଠାରେ ଥିବା ଚିତା ଏବଂ ଏଏଲଏଚ୍‌ ହେଲିକପ୍ଟଟ୍‌ ସବୁ ଉଦ୍ଧାର ଅଭିଯାନ ଆରମ୍ଭ କରିବେ। ଏବେ ସେ ଅଞ୍ଚଳରେ ବାଦଲ ଓ ବର୍ଷାରେ ଆକାଶ ନଇଁ ଆସିଛି। ମୃତ ବାୟୁ ଯୋଦ୍ଧାମାନଙ୍କର ପାର୍ଥିବ ଅବଶେଷ ଉଦ୍ଧାର କରିବା ନିମନ୍ତେ ବାୟୁସେନା ସବୁମତେ ଉଦ୍ୟମ କରୁଛି ବୋଲି ବାୟୁସେନା ମୁଖପାତ୍ର ଏବଂ ଉଇଙ୍ଗ୍‌ କମାଣ୍ଡର୍‌ ପୁନୀତ ଚା କହିଛନ୍ତି।

ସେ ଆହୁରି ସୂଚନା ଦେଇଛନ୍ତି ଯେ, ଏହି ବାୟୁ ଯୋଦ୍ଧାମାନଙ୍କ ପରିବାରବର୍ଗଙ୍କ ସହ ବାୟୁସେନା କର୍ମଚାରୀମାନେ ଯୋଗାଯୋଗ ରଖିବା ସହ ନିୟମିତ ଉଦ୍ଧାର ଅଭିଯାନ ସଂକ୍ରାନ୍ତରେ ସଦ୍ୟତମ ସୂଚନା ଦେଉଛନ୍ତି। ଖରାପ ପାଗ ଯୋଗୁଁ ସମ୍ମୁଖୀନ ହେଉଥିବା ପରିସ୍ଥିତି ସଂକ୍ରାନ୍ତରେ ବି ସେମାନଙ୍କୁ ଜଣାଇ ଦିଆଯାଇଥିବା କଥା ଚା କହିଛନ୍ତି। ହେଲିକପ୍ଟଟ୍‌ ଯୋଗେ ପାର୍ଥିବ ଅବଶେଷ ଏବଂ ଅନ୍ୟ ପ୍ରାମାଣିକ ସାମଗ୍ରୀ ଜୋରହାଟ ଷ୍ଟେଜକୁ ଅଣାଯିବ।

ସମ୍ବନ୍ଧିତ ଖବର