ମେଘାଳୟ, ନାଗାଲାଣ୍ଡ ନିର୍ବାଚନ:୩୮ ଲକ୍ଷର ନଗଦ ଟଙ୍କା ଜବତ

ନୂଆଦିଲ୍ଲୀ: ମଙ୍ଗଳବାର ଦୁଇ ଉତ୍ତରପୂର୍ବ ରାଜ୍ୟ ମେଘାଳୟ ଏବଂ ନାଗାଲାଣ୍ଡ୍‌ ବିଧାସନଭା ପାଇଁ ନିର୍ବାଚନ ହେବାକୁ ଯାଉଛି। ତେବେ ମତଦାନର ପୂର୍ବ ଦିନ ଆଜି ମେଘାଳୟରୁ ନିର୍ବାଚନ ଅଧିକାରୀମାନେ ୩୮ ଲକ୍ଷର ନଗଦ ଟଙ୍କା ଜବତ କରିଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୭୦ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାଯାଇଛି।

ସୂଚନା ଥାଉ କି, ୬୦ ବିଧାନସଭା ଆସନ ବିଶିଷ୍ଟ ଉଭୟ ମେଘାଳୟ ଏବଂ ନାଗାଲାଣ୍ଡ ରାଜ୍ୟରେ ୫୯ଟି ଲେଖାଏଁ ନିର୍ବାଚନ ମଣ୍ଡଳୀ ପାଇଁ  ନିର୍ବାଚନ ହେଉଛି। ନିର୍ବାଚନ ଜିତିବା ପାଇଁ ଉଭୟ ବିଜେପି ଏବଂ କଂଗ୍ରେସ ଜୋର୍‌ସୋର ଉଦ୍ୟମ ଜାରି ରଖିଥିବା ବେଳେ ନିର୍ଦ୍ଦିଷ୍ଟ ଭାବେ ମେଘାଳୟରେ କଂଗ୍ରେସ ପାଇଁ ଚଳିତ ଥରର ନିର୍ବାଚନ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଗତ ୧୦ବର୍ଷ ହେଲା ମେଘାଳୟରେ କ୍ଷମତା ଅକ୍ତିଆର କରିଥିବା କଂଗ୍ରେସ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି। ମେଘାଳୟରେ କଂଗ୍ରେସ ୫୯ ଜଣ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ୪୯ ଜଣଙ୍କୁ ଛିଡ଼ା କରାଇଛି। ସେହିପରି ୧୯୬୩ ମସିହାରେ ନାଗାଲାଣ୍ଡ୍‌ ଗଠନ ପରଠାରୁ ରାଜ୍ୟକୁ ୩ ଥର ମୁଖ୍ୟମନ୍ତ୍ରୀ ଦେଇଥିବା କଂଗ୍ରେସ ଏଥର ମାତ୍ର ୧୮ଟି ଆସନରୁ ଲଢ଼ୁଥିବାବେଳେ ବିଜେପି ୨୦ଟି ଆସନରେ ପ୍ରାର୍ଥୀ ଦେଇଛି। ସେହିପରି ବିଜେପିର ସହଯୋଗୀ ଏନ୍‌ଡିପିପି (ନ୍ୟାସନାଲ ଡିମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି) ୪୦ଟି ଆସନରୁ ଲଢ଼ୁଛି। ମେଘାଳୟରେ ମୋଟ ୧୮ଲକ୍ଷ ୪୦ ହଜାର ଭୋଟର ୩,୦୮୩ ମତଦାନ କେନ୍ଦ୍ରରେ ୩୭୦ ଜଣ ଆଶାୟୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ରାଜ୍ୟରେ ପ୍ରଥମ ଥର ପାଇଁ କେବଳ ମହିଳାଙ୍କ ପାଇଁ ୬୭ଟି ମତଦାନ କେନ୍ଦ୍ର ଏବଂ ୬୧ଟି ଆଦର୍ଶ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିବା ମେଘାଳୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏଫ୍‌ଆର୍‌ ଖାରକୋଙ୍ଗୋର ସୂଚନା ଦେଇଛନ୍ତି। ସେହିପରି ନାଗାଲାଣ୍ଡ୍‌ରେ ସମୁଦାୟ ୧୧,୯୧,୫୧୩ ଭୋଟର ୨,୧୫୬ ମତଦାନ କେନ୍ଦ୍ରରେ ମତଦାନ କରିବେ।

ସମ୍ବନ୍ଧିତ ଖବର