ନାଗପୁର ପୁଲିସର ଅଭିନବ ପ୍ରୟାସ: ସଡ଼କ ସୁରକ୍ଷା ପାଇଁ ବ୍ୟବହାର କଲେ ‘କୁଛ୍‌ କୁଛ୍‌ ହୋତା ହୈ’ ଫିଲ୍ମର ପୋଷ୍ଟର

ନାଗପୁର: ସବୁଥର ସଡ଼କ ସୁରକ୍ଷା ସଂପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ରାଜ୍ୟର ପୁଲିସ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ଫିଲ୍ମର ଗୀତ ହେଉ ବା ପୋଷ୍ଟର । ସେ ସବୁକୁ ବ୍ୟବହାର କରି ଏକ ଭିନ୍ନ ଅନ୍ଦାଜରେ ସଡ଼କ ସୁରକ୍ଷା ପାଇଁ ବାର୍ତ୍ତା ଦେଇଥାନ୍ତି । ପୂର୍ବରୁ ମୁମ୍ବାଇ ପୁଲିସ ଏଭଳି ବାଟ ଆପଣାଇ ସାରିଥିବା ବେଳେ ଏବେ ସେଭଳି କିଛି କରିଛି ନାଗପୁର ପୁଲିସ । ‘କୁଛ୍‌ କୁଛ୍‌ ହୋତା ହୈ’ର ରିଲିଜ୍‌କୁ ୨୦ବର୍ଷ ପୂର୍ତ୍ତି ହୋଇଥିବା ବେଳେ ସେହି ଫିଲ୍ମର ପୋଷ୍ଟରକୁ ବ୍ୟବହାର କରି ନାଗପୁର ପୁଲିସ ଏକ ଚମତ୍କାର ବାର୍ତ୍ତା ଦେଇଥିବା ଦେଖାଯାଇଛି ।

ଫିଲ୍ମର ପୋଷ୍ଟରରେ ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌, ଅଭିନେତ୍ରୀ କାଜୋଲ ଏବଂ ରାଣୀ ମୁଖାର୍ଜୀଙ୍କୁ ଦେଖା ଯାଇଥିବା ବେଳେ ୩ଜଣଙ୍କୁ ଭିନ୍ନ ଭିନ୍ନ ନାଁ ଦେଇଛନ୍ତି ନାଗପୁର ପୁଲିସ । ଶାହାରୁଖ୍‌ଙ୍କ ଗାଡ଼ି ଚାଳକ ବୋଲି ଦେଖାଇଥିବା ବେଳେ କାଜୋଲଙ୍କୁ ଦୁଇ ଚକିଆ ଯାନ ଏବଂ ରାଣୀଙ୍କୁ ହେଲ୍‌ମେଟ୍‌ ବୋଲି ଦର୍ଶାଇଛନ୍ତି । ଏହି ଫଟୋ ନାଗପୁର ପୁଲିସ ନିଜ ଟ୍ଵିଟର ଆକାଉଣ୍ଟରେ ପୋଷ୍ଟ କରି, ‘କେବେ ହେଲେ ଏହି ବନ୍ଧନକୁ ଭାଙ୍ଗିବାକୁ ଦେବ ନାହିଁ । କାହିଁକି ନା ବହୁତ କିଛି ହୋଇଥାଏ’ ବୋଲି ଲେଖିଥିଲେ । ଏହି ଟ୍ଵିଟ୍‌ ପରେ ନାଗପୁର ପୁଲିସର ଏଭଳି ପ୍ରୟାସକୁ ସୋସିଆଲ ମିଡ଼ିଆରେ ଖୁବ୍‌ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର