ବଦଳିଲା ଐତିହାସିକ ମୁଗଲସରାଇ ଷ୍ଟେସନ୍‌ର ନାମ, ରଖାଗଲା ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ସନ୍‌

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଐତିହାସିକ ମୁଗଲସରାଇ ରେଳ ଷ୍ଟେସନ୍‌ର ନାମ ପରିବର୍ତ୍ତନ କରାଯାଇ ଏହାକୁ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ସନ୍‌ ରଖାଯାଇଛି। ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହ ରବିବାର କହିଛନ୍ତି, ଦୀନଦୟାଲ ଉପାଧ୍ୟାୟଙ୍କ ସ୍ମୃତିରେ ମୁଗଲସରାଇରେ ଯେଉଁ ବିକାଶ କାର୍ଯ୍ୟ କରାଯାଇଛି, ସେଥିପାଇଁ ମୁଁ ଯୋଗୀ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ଶାହ କହିଛନ୍ତି ଯୋଗୀ ସରକାରରେ ଆଜି ଉତ୍ତର ପ୍ରଦେଶରେ ମାଫିଆ ରାଜ ଶେଷ ହୋଇଛି।

ନାମକରଣ ପୂର୍ବରୁ ରେଳ ଷ୍ଟେସନକୁ କମଳା ରଙ୍ଗରେ ସଜା ଯାଇଥିଲା। ଷ୍ଟେସନକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଲଗାଯାଇଥିବା ବୋର୍ଡର ମଧ୍ୟ ପରିବର୍ତ୍ତନ କରାଯାଇଛି। ‘ଏକାତ୍ମ ମାନବବାଦ’ ବାର୍ତ୍ତା ଦେଇଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଚାରକ ଦୀନଦୟାଲ ଉପାଧ୍ୟାୟ ୧୯୬୮ରେ ମୁଗଲସରାଇ ରେଳ ଷ୍ଟେସନ ନିକଟରେ ସଦିଗ୍ଧ ଅବସ୍ଥାରେ ମୃତ ଭାବରେ ମିଳିଥିଲେ।

-ଦୀର୍ଘ ୧୫୬ ବର୍ଷର ପୁରୁଣା ମୁଗଲସରାଇ ଜଙ୍କସନ୍‌ର ନାମ ବଦଳିଛି। ଏହାକୁ ଦୀନଦୟାଲ ଉପାଧ୍ୟାୟଙ୍କ ନାମରେ ନାମିତ କରାଯାଇଛି।
-ଦୀନଦୟାଲଙ୍କ ଜୀବନ ସହିତ ଏହି ଷ୍ଟେସନର ଘନିଷ୍ଠ ସଂପର୍କ ଥିବାରୁ ନାମ ପରିବର୍ତ୍ତନ କରାଯାଇଛି। ଗଦର ଷ୍ଟେସନ ପରେ ୧୮୬୨ରେ ପୂର୍ବ ଭାରତରେ ଏହା ହେଉଛି ସର୍ବବୃହତ୍ତ ଷ୍ଟେସନ।
-ବର୍ଷ ୧୯୯୨ରେ ମୁଗଲସରାଇ ଷ୍ଟେସନର ନାମ ପରିବର୍ତ୍ତନ କରିବାକୁ ଉଦ୍ୟମ ହୋଇଥିଲା କିନ୍ତୁ ତତ୍କାଳିନ କେନ୍ଦ୍ର ସରକାର ରାଜି ହୋଇ ନଥଲେ। ସେହି ସମୟରେ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଏହି ପ୍ରସ୍ତାବ ଆଣିଥିଲେ।


-ଏଥର ବିଜେପିର ରାଜ୍ୟ ସଭାପତି ଓ ଚନ୍ଦୋଲିରୁ ସାଂସଦ ମହେନ୍ଦ୍ର ପାଣ୍ଡେ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାଙ୍କ ନିକଟରେ ଉପସ୍ଥାପନା କରିଥିଲେ।
-ଦୀନଦୟାଲଙ୍କ ମୃତଦେହ ୧୯୬୮ ଫେବ୍ରୁଆରି ୧୧ରେ ଜଙ୍କସନ୍‌ର ଖମ୍ବ ନଂ ୧୨୭୬ ନିକଟରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପରେ ମୁଗଲସରାଇ ଷ୍ଟେସନ ସଂଘ ଓ ବିଜେପି ପାଇଁ ତୀର୍ଥସ୍ଥଳ ପାଲଟି ଯାଇଛି।
-ସୂଚନାଯୋଗ୍ୟ ମୁଗଲସରାଇକୁ ଏସିଆ ମହାଦେଶର ସର୍ବବୃହତ୍ତ ରେଳେଓ୍ଵ ୟାର୍ଡ କୁହାଯାଇଥାଏ। ଦିଲ୍ଲୀ-ହାଓଡା ମାର୍ଗରେ ଏହା ସବୁଠାରୁ ବ୍ୟସ୍ତବହୁଳ ଷ୍ଟେସନ୍‌। ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି। ଦିନକୁ ପାଖାପାଖି ୨୫୦ ଟ୍ରେନ ଯିବା ଆସିବା କରିଥାଏ।

ଉତ୍ତର ପ୍ରଦେଶ ସରକାର ଚଳିତ ବର୍ଷ ଜୁନ୍‌ରେ ମୁଗଲସରାଇ ରେଳ ଷ୍ଟେସନ୍‌ର ନାମ ଦୀନଦୟାଲ ଉପାଧ୍ୟାୟଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲେ। ମନ୍ତ୍ରୀ ପରିଷଦର ବୈଠକରେ ମଞ୍ଜୁରୀ ମିଳିବା ପରେ ଏହି ପ୍ରସ୍ତାବକୁ ରେଳ ମନ୍ତ୍ରାଳୟ ନିକଟକୁ ପଠାଯାଇଥିଲା।

ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ। ସେହିପରି କାର୍ଯ୍ୟକ୍ରମରେ ରାଷ୍ଟ୍ରମନ୍ତ୍ରୀ ମନୋଜ ସ୍ନିହା, ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ଅନ୍ୟ ମନ୍ତ୍ରୀ, ବିଧାୟକ ଓ ନେତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର