‘ନମୋ’ଙ୍କ ରାଜ୍ୟାଭିଷେକ କରାଇ ନିରବରେ ବିଦାୟ ନେଲା ‘ନମୋ ଟିଭି’ ଚ୍ୟାନେଲ !

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ ୨୬ ତାରିଖରେ ଯେମିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ସମସ୍ତଙ୍କ ଟିଭିରେ ‘ନମୋ ଟିଭି’ ଚ୍ୟାନେଲର ଆବିର୍ଭାବ ଘଟିଥିଲା, ଠିକ୍‌ ସେମିତି ଢ଼ଙ୍ଗରେ ଗତକାଲି ଏକ୍‌ଜିଟ୍‌ ପୋଲ୍‌ରେ ‘ନମୋ’ (ନରେନ୍ଦ୍ର ମୋଦି) ଆଉ ଥରେ ପ୍ରଧାନମନ୍ତ୍ରୀ ଗାଦି ଅକ୍ତିଆର କରୁଛନ୍ତି ବୋଲି ଏକପ୍ରକାର ନିଶ୍ଚିତ ହୋଇଯିବା ପରେ ପରେ ‘ନମୋ ଟିଭି’ ଚ୍ୟାନେଲ ସମସ୍ତଙ୍କ ଟିଭିରୁ ବିଦାୟ ନେଇ ଯାଇଛି। ତେବେ, କାହିଁକି ଓ କିପରି ‘ନମୋ ଟିଭି’ ଚ୍ୟାନେଲ ଅଘୋଷିତ ଭାବେ ଏପରି ନିରବତାର ସହ ଟିଭି ପରଦାରୁ ଅନ୍ତର୍ଧ୍ୟାନ ହୋଇଗଲା, ତାହାର ଉତ୍ତର କିନ୍ତୁ କାହାରି ପାଖରେ ନାହିଁ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ କମିଶନ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଘଣ୍ଟି ବଜାଇ ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ କରିଦେବା ଦେବା ପରେପରେ ହଠାତ୍‌ ମାର୍ଚ୍ଚ ୨୬ ତାରିଖରେ ବିନା କୌଣସି ପ୍ରାକ୍‌ ସୂଚନାରେ ରାତିଅଧିଆ ଟିଭି ପରଦାରେ ଆବିର୍ଭାବ ଘଟିଥିଲା ‘ନମୋ ଟିଭି’ ଚ୍ୟାନେଲର। ଏହି ଚ୍ୟାନେଲ ‘ନମୋ’ (ନରେନ୍ଦ୍ର ମୋଦି)ଙ୍କର ସାକ୍ଷାତକାର ଠାରୁ ଆରମ୍ଭ କରି ସବୁ ନିର୍ବାଚନୀ ରାଲିର ସିଧା ପ୍ରସାରଣ କରିବା ସହ ‘ନମୋ’ ଓ ତାଙ୍କ ଦଳ ବିଜେପି (ଭାରତୀୟ ଜନତା ପାର୍ଟି)ର ନିର୍ବାଚନୀ ପ୍ରଚାରରେ ଅହେରାତ୍ର ଲାଗି ପଡ଼ିଥିଲା। ଏଥିସହ ‘ନମୋ ଟିଭି’ ଚ୍ୟାନେଲଟି ଦେୟମୁକ୍ତ ଥିବାରୁ ଡିଟିଏଚ୍‌ ସେବା ପ୍ରଦାନ କରୁଥିବା ଟାଟା ସ୍କାଇ, ଭିଡିଓକୋନ୍‌, ଡିସ୍‌ଟିଭି, ଏୟାରଟେଲ ପ୍ରାୟ ସମସ୍ତେ ଦର୍ଶକମାନଙ୍କୁ ସେମାନଙ୍କ ପ୍ଲାଟଫର୍ମ ଜରିଆରେ ଏହାକୁ ଉପଲବ୍ଧ କରାଇଥିଲେ।

Tata Sky

ସେତେବେଳେ ଏହି ‘ନମୋ ଟିଭି’ ଚ୍ୟାନେଲକୁ ଖୁବ୍‌ ବିବାଦ ମଧ୍ୟ ହୋଇଥିଲା। ବିରୋଧୀ ଦଳମାନେ ଏହାର ବିରୋଧ କରିବା ସହ ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରିଥିବା ଅଭିଯୋଗ କରି ନିର୍ବାଚନ କମିଶନଙ୍କ ଠାରୁ ଆରମ୍ଭ କରି ନ୍ୟାୟାଳୟ ପର୍ଯ୍ୟନ୍ତ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ‘ନମୋ ଟିଭି’ ଚ୍ୟାନେଲ ସଂପର୍କରେ ସଫେଇ ରଖି କହିଥିଲା, ଏହା ଏକ ବିଜ୍ଞାପନ ଚ୍ୟାନେଲ ଏବଂ ନିଜ ଖର୍ଚ୍ଚରେ ଏହା ସମସ୍ତ ଡିଟିଏଚ୍‌ ସେବା ପ୍ରଦାନକାରୀଙ୍କୁ ସଂପୂର୍ଣ୍ଣ ମାଗଣାରେ ଏହାର ପ୍ରସାରଣ କରାବାକୁ ଯୋଗାଇ ଦେଇଛି। ଏବଂ ଏହି ଚ୍ୟାନେଲର ସମସ୍ତ ଖର୍ଚ୍ଚ ଭାରତୀୟ ଜନତା ପାର୍ଟି (ବିଜେପି) ବହନ କରୁଛି। ଏଥିସହ ‘ନମୋ ଟିଭି’ ଚ୍ୟାନେଲ ଏକ ପଞ୍ଜିକୃତ ଚ୍ୟାନେଲ ହୋଇ ନଥିବା ଦୃଷ୍ଟିରୁ ଏହାର କୌଣସି ପ୍ରକାରର ଅନୁମତି ପତ୍ରର ଆବଶ୍ୟକତା ନାହିଁ ବୋଲି ମଧ୍ୟ ନିଜ ସଫେଇରେ କହିଥିଲା, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ।

India News

ତେବେ, ‘ନମୋ ଟିଭି’ ଚ୍ୟାନେଲର ଅନ୍ତର୍ଧ୍ୟାନ ପରେ ଏବେ ସମସ୍ତେ କହୁଛନ୍ତି ଯେଉଁ ଲକ୍ଷ୍ୟ ହାସଲ ପାଇଁ ଏହା ଆସିଥିଲା, ତାହା ସଫଳ ହୋଇଯିବା ପରେ ଏବେ ତାହା ଅନ୍ତର୍ଧାନ ହୋଇଗଲା। ଆଉ କାହିଁକି ଅଯଥା ବିନା କାରଣରେ ବିଜେପି ‘ନମୋ ଟିଭି’ ଚ୍ୟାନେଲ ପାଇଁ ଅର୍ଥ ଶ୍ରାଦ୍ଧ କରିବ? ସେଥିପାଇଁ ଅଘୋଷିତ ଭାବେ ଏହାର ପ୍ରସାରଣକୁ ରାତିଅଧିଆ ବନ୍ଦ କରି ଦେଇଛି।

ସମ୍ବନ୍ଧିତ ଖବର