ନମୋ ଟିଭି ପ୍ରସାରଣ ନେଇ ଇସି ନୋଟିସ:ସୂଚନା ପ୍ରସାରଣ ମନ୍ତ୍ରାଳୟକୁ ବିସ୍ତୃତ ଜବାବ ମାଗିଲେ

ନୂଆଦିଲ୍ଲୀ: ବିଜେପିର ‘‌ନମୋ ଟିଭି’ ଚ୍ୟାନେଲ ଆବଶ୍ୟକ ମଂଜୁରି ନଥାଇ ବେଆଇନ ଭାବେ ଆରମ୍ଭ ହୋଇଥିବା ଅଭିଯୋଗ ଆଣି ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଥିବା ବେଳେ କମିସନ ଏ ବାବଦରେ ବିସ୍ତୃତ ଜବାବ ଦାଖଲ କରିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ନୋଟିସ୍‌ କରିଛନ୍ତି। ପ୍ରସାରଣ ପାଇଁ ଅନୁମତି ନଥାଇ ଏହା କିଭଳି ଆରମ୍ଭ ହେଲା ବୋଲି କଂଗ୍ରେସ ଏବଂ ଆପ୍‌ ପ୍ରଶ୍ନ କରିବା ସହ ଏହା ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି କହିଛନ୍ତି। ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ପ୍ରସାର ପାଇଁ ନମୋ ଟିଭି ୩୧ ମାର୍ଚ୍ଚରେ ଆରମ୍ଭ ହୋଇଥିଲା। ଏହି ଚ୍ୟାନେଲ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ଏବଂ ବିଜେପି ଆଧାରିତ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଚ୍ୟାନେଲ୍‌ର ଲୋଗୋରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ରହିଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ‘ମୁଁ ବି ଚୌକିଦାର’ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦୂରଦର୍ଶନ ଚ୍ୟାନେଲରେ କରାଯିବାକୁ କଂଗ୍ରେସ ଜୋର୍‌ଦାର ବିରୋଧ କରିଛି। ଏକ ଦଳୀୟ କାର୍ଯ୍ୟକ୍ରମର ଏଭଳି ପ୍ରସାରଣ ବିରୋଧରେ କଂଗ୍ରେସ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସମ୍ବନ୍ଧିତ ଖବର