ନାନୋସେଲ୍‌ ଥେରାପି : ମାତ୍ର ୧୦,୦୦୦ ଟଙ୍କାରେ ଭଲ ହେବ କର୍କଟ ରୋଗ !

ବେଙ୍ଗାଲୁରୁ: କର୍କଟ ଏକ ଏପରି ଦୂରାରୋଗ୍ୟ ବ୍ୟାଧି ଯାହାର ଚିକିତ୍ସା ରହିଥିଲେ ବି ମଧ୍ୟବିତ୍ତ ଓ ଆର୍ଥକ ଦୁର୍ବଳ ବର୍ଗର ବ୍ୟକ୍ତିଙ୍କ ପାଇଁ କଷ୍ଟକର ହୋଇଥାଏ । ଏହି ରୋଗର ଚିକିତ୍ସା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହେଉଥିବାରୁ ନିହାତି ଧନୀ ବର୍ଗର ବ୍ୟକ୍ତି ନ ହେଲେ ଏହାର ଆରୋଗ୍ୟ ଏକ ପ୍ରକାର ସ୍ୱପ୍ନ ବୋଲି ସମସ୍ତେ ଜାଣନ୍ତି। ତେବେ, ଏହି ରୋଗର ଶସ୍ତା ଚିକିତ୍ସା ବିକଳ୍ପ ନେଇ ଆଇଆଇଟି ବମ୍ବେର ପ୍ରଫେସର୍‌ ରୋହିତ ଶ୍ରୀବାସ୍ତବ ଗବେଷଣା ଚଳାଇଛନ୍ତି। ତାଙ୍କର ଏହି ଗବେଷଣା ଯଦି ସଫଳ ହୁଏ, ତେବେ ମାତ୍ର ୧୦,୦୦୦ ଟଙ୍କା ବ୍ୟୟରେ ନାନୋଥେରାପିରେ ଆରୋଗ୍ୟ ସମ୍ଭବ ହୋଇପାରିବ। ପୂର୍ବରୁ କର୍କଟ ପାଇଁ ଦିଆଯାଉଥିବା କେମୋଥେରାପି ପାଇଁ ୩ରୁ ୫ ଲକ୍ଷ ଟଙ୍କା ଲାଗୁଥିଲା। ଡ. ଶ୍ରୀବାସ୍ତବ ଲେଜର୍‌ ଦ୍ୱାରା ଏହି ନାନୋସେଲ୍‌ ଥେରାପି ଦେଇ କର୍କଟ ହୋଇଥିବା ଅଂଶକୁ ଚିକିତ୍ସା ପ୍ରଦାନ କରିବା ପରୀକ୍ଷଣ ଜାରି ରଖିଛନ୍ତି।

ଉଲ୍ଳେଖଯୋଗ୍ୟ, ଭାରତରୁ ୧ ମିଲିୟନ୍‌ ରୋଗୀ କର୍କଟ ଆକ୍ରାନ୍ତ ବୋଲି ଜଣାପଡ଼ିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତ ରୋଗୀ ଚିକିତ୍ସା ପାଇଁ ଅର୍ଥ ଖର୍ଚ୍ଚ କରିପାରୁଛନ୍ତି। ସାଧାରଣ ବର୍ଗର ରୋଗୀଙ୍କୁ ଆଖିରେ ରଖି ଡ. ଶ୍ରୀବାସ୍ତବ ବାହାର କରିଥିବା ଏହି ନାନୋ ମେସିନ୍‌ ‘ନାନୋ-୨୦୧୭’ ଦ୍ୱାରା ଆକ୍ରାନ୍ତ ଆରୋଗ୍ୟ ଲାଭ କରିପାରିବେ। ଆଉ ପୂର୍ବପରି କର୍କଟ ଚିକିତ୍ସା ପାଇଁ ଅସ୍ତ୍ରୋପଚାର ଓ କେମୋଥେରାପି ଜରିଆରେ ପାଣି ପରି ଟଙ୍କା ଖର୍ଚ୍ଚ କରିବାକୁ ଆବଶ୍ୟକ ପଡ଼ିବ ନାହିଁ। ଏଣିକି କର୍କଟ ରୋଗୀଟିକୁ ପୂରା ଭଲ କରିବା ପାଇଁ ୩ରୁ ୫ ଲକ୍ଷ ମଧ୍ୟରେ ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀବାସ୍ତବ ମତ ଦେଇଛନ୍ତି।

ଡକ୍ଟର ଶ୍ରୀବାସ୍ତବ ଜଣାଇଛନ୍ତି, ଏହି ନାନୋସେଲ୍‌ରେ କର୍କଟ ପ୍ରତିରୋଧକ ଡ୍ରଗ ରହିଛି। ଏହାକୁ ସ୍ୱର୍ଣ୍ଣ ନାନୋ କଣିକାରେ ଛାଉଣୀ କରାଯାଇଛି। ଏହି ନାନୋ ଚିକିତ୍ସା ପ୍ରଥମ ପର୍ଯ୍ୟାୟ ସଂପୂର୍ଣ୍ଣ ହୋଇ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର