‘ଖେଳରେ ତାଳି ବି କ୍ୟାପ୍‌ଟେନ୍‌ର; ଆଉ ଗାଳି ବି କ୍ୟାପଟେନ୍‌ର’ : ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: ଅଭିନେତାରୁ ରାଜନେତା ପାଲଟିଥିବା ଶତ୍ରୁଘ୍ନ ସିହ୍ନା ବୁଧବାର ପୁଣି ଥରେ ନିଜ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଏହାର ସର୍ବୋଚ୍ଚ ନେତା ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କୁ ସାଧାରଣରେ ନିଜସ୍ୱ ଅନ୍ଦାଜ୍‌ରେ ତୀବ୍ର କଟାକ୍ଷ ଓ ସମାଲୋଚନା କରିଛନ୍ତି। ମୋଦି ଓ ଶାହାଙ୍କୁ ସିଧାସଳଖ ସମାଲୋଚନା କରି ବିଜେପି ନେତା ସିହ୍ନା କହିଛନ୍ତି, ‘ଭାବୁଛି, ଏବେ ବୋଧହୁଏ ଆପଣ ମାନଙ୍କର ସବୁ ତରିକା, ନଖରା, ବିଭ୍ରାନ୍ତିକର ବିବୃତି ଓ ବଡ଼ ବଡ଼ ପ୍ରତିଶ୍ରୁତି ପ୍ରଦାନ ସବୁକିଛି ଶେଷ ହୋଇ ସାରିବଣି! ତେଣୁ, ଏବେ ଓ୍ଵାନ୍‌ ମ୍ୟାନ୍‌ ସୋ’ ଏବଂ ଟୁ ମେନ୍‌ ଆର୍ମି (ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହା) ଗୁଜୁରାଟ ଛାଡ଼ି ନିଜ ଘର ଦିଲ୍ଲୀକୁ ଫେରି ଆସନ୍ତୁ!’

Scroll.in

‘ଓ୍ଵାନ୍‌ ମ୍ୟାନ୍‌ ସୋ’ ଏବଂ ଟୁ ମେନ୍‌ ଆର୍ମିଙ୍କୁ ମୁଁ ସକଳ ବିନମ୍ରତାର ସହ ଅନୁରୋଧ କରି କହୁଛି ଯେ ସେମାନେ ଯଥାଶୀଘ୍ର ଗୁଜୁରାଟ ଛାଡ଼ି ନିଜ ଘରକୁ ଫେରି ଆସନ୍ତୁ। ଏବଂ ଗୁଜୁରାଟରେ ମୁତୟନ ହୋଇଥିବା ନିଜର ସମସ୍ତ ମନ୍ତ୍ରୀ, ମନ୍ତ୍ରାଳୟ ଓ ସରକାରକୁ ଦିଲ୍ଲୀକୁ ଫେରାଇ ଆଣନ୍ତୁ’ ବୋଲି ଟୁଇଟ୍‌ କରି କହିଛନ୍ତି ବିଜେପି ନେତା ଶତ୍ରୁଘ୍ନ ସିହ୍ନା।

‘ଯଦି ଆମେ ବିଜୟୀ ହେଲୁ, ଆମେ ଜାଣିଛୁ ସମସ୍ତ ଶ୍ରେୟ ଆପଣ ହିଁ ପାଇବେ! ଆଉ ଯଦି ନ ହେଲୁ, ତେବେ ଦୋଷ ମୁଣ୍ଡାଇବ କିଏ? କାରଣ, କଥାରେ ଅଛି ଖେଳରେ ତାଳି ବି କ୍ୟାପ୍‌ଟେନ୍‌ର; ଆଉ ଗାଳି ବି କ୍ୟାପଟେନ୍‌ର! ତେଣୁ, ଭାବୁଛି ଓ ପ୍ରାର୍ଥନା କରୁଛି ଗୁଜୁରାଟ ନିର୍ବାଚନରେ ଆପଣମାନେ କେବଳ ମାତ୍ର ତାଳି ଆଉ ତାଳି ପାଆନ୍ତୁ! ଜୟହିନ୍ଦ!’

ସମ୍ବନ୍ଧିତ ଖବର