କଠୁଆ-ଉନ୍ନାଓ ମାମଲା : ନିରବତା ଭାଙ୍ଗିଲେ ମୋଦି

ନୂଆଦିଲ୍ଲୀ : କଠୁଆରେ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଏବଂ ଉନ୍ନାଓରେ ନାବାଳିକାକୁ ବିଧାୟକଙ୍କ ଦୁଷ୍କର୍ମ ମାମଲାକୁ ନେଇ ଦେଶସାରା ଅସନ୍ତୋଷ ଏବଂ କ୍ରୋଧ ବ୍ୟାପିବାରେ ଲାଗିଛି। ସ୍ଥାନୀୟ ପ୍ରଶାସନ ଏଦିଗରେ ଠିକଣା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଉଦାସୀନ ହେବାରୁ ଉଭୟ ମାମଲାରେ କୋର୍ଟ ହସ୍ତକ୍ଷେପ କରିଛନ୍ତି। ୟୁପିର ଉନ୍ନାଓ ମାମଲାରେ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଗିରଫ କରିବା ଲାଗି ଆହ୍ଲାବାଦ ହାଇକୋର୍ଟ ନିର୍ଦେଶ ଦେଇଥିବା ବେଳେ ଜମ୍ମୁର କଠୁଆ ମାମଲାରେ ବାର ଆସୋସିଏସନ କର୍ମକର୍ତାଙ୍କ ଆଚରଣରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମ କୋର୍ଟ ନୋଟିସ ଜାରି କରିଛନ୍ତି। ଏହି ମାମଲାରେ ଜମ୍ମୁ-କଶ୍ମୀରର ଦୁଇ ଜଣ ବିଜେପି ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି। ଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତଙ୍କ ସପକ୍ଷରେ ଗତକାଲି ହୋଇଥିବା ରାଲିରେ ଏହି ଦୁଇ ମନ୍ତ୍ରୀ ସାମିଲ ହୋଇଥିଲେ।

ଏହି ଦୁଇ ଘଟଣାକୁ ନେଇ ଦୁଇ ଦିନ ଧରି ନିରବ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷରେ ଆଜି ମୁହଁ ଖୋଲିଛନ୍ତି। ଏହି ଘଟଣାର ନିନ୍ଦା କରି ସେ କହିଛନ୍ତି ଯେ ସଭ୍ୟ ସମାଜ ପାଇଁ ଏହା ନିଶ୍ଚିତ ରୂପେ ଲଜ୍ଜାଜନକ ଘଟଣା। ଏହାସହିତ ସେ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଏହି ମାମଲାରେ କୌଣସି ଦୋଷୀକୁ ଛଡ଼ା ଯିବ ନାହିଁ। ପୀଡ଼ିତାଙ୍କୁ ନିଶ୍ଚିତ ରୂପେ ନ୍ୟାୟ ମିଳିବ। ଏହି ମାମଲାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ। ତେବେ ବିଜେପି ମୁଖପାତ୍ର ମିନାକ୍ଷୀ ଲେଖି ସମଗ୍ର ଘଟଣାକୁ ନେଇ ବିରୋଧୀ ଦଳ ଏବଂ ଗଣମାଧ୍ୟମକୁ ଦୋଷ ଦେଇଛନ୍ତି। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ବିରୋଧୀ ଦଳମାନେ ଏହାକୁ ନେଇ ରାଜନୀତି କରୁଛନ୍ତି। ଏଭଳି ଅଘଟଣ ଅତୀତରେ ହୋଇଥିଲେ ମଧ୍ୟ ଏହି ଦଳମାନେ ତାହାକୁ ଗୁରୁତ୍ୱ ନଦେଇ ବିଜେପିକୁ ବଦନାମ କରିବାରେ ଲାଗିଛନ୍ତି। ଏଥିରେ ଗଣମାଧ୍ୟମର ଭୂମିକା ନେଇ ମଧ୍ୟ ବର୍ଷିଛନ୍ତି।

ଇତିମଧ୍ୟରେ ଏହି ଦୁଇଟି ମାମଲାରେ କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୟୁପିର ଉନ୍ନାଓ ଘଟଣାରେ ଗତକାଲି ଭୋରରୁ ସିବିଆଇ ଦ୍ୱାରା ଅଟକ ଥିବା ବିଜେପି ବିଧାୟକ କୁଲଦିପ ସିଂହଙ୍କୁ ଗିରଫ କରିବା ଲାଗି ଆହ୍ଲାବାଦ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। କୋର୍ଟ ନିର୍ଦେଶ ପରେ ଆଜି ସନ୍ଧ୍ୟାରେ ସିବିଆଇ ତାଙ୍କୁ ଗିରଫ କରିଛି। ଏହି ମାମଲାରେ ଯେତେସବୁ ଅଭିଯୁକ୍ତଙ୍କୁ ଜାମିନ ମିଳିଛି ତାହାକୁ ବାତିଲ କରିବା ଲାଗି ପିଟିସନ ଦାୟର କରିବା ନିମନ୍ତେ କୋର୍ଟ ସିବିଆଇକୁ କହିଛନ୍ତି।

ସିବିଆଇ ଭୋର ୫ଟାରୁ ବିଧାୟକଙ୍କୁ ଉଠାଇ ପଚରାଉଚରା ଚଳାଇଥିଲା। ହାଇକୋର୍ଟ ଆଦେଶ ପରେ ତାଙ୍କୁ ଗିରଫ କରାଯାଇଛି। ସିବିଆଇ ତାଙ୍କୁ ୧୬ ଘଣ୍ଟା ଧରି ପଚରାଉଚରା କରିଥିବା ଜଣାପଡ଼ିଛି।

ସେହିଭଳି କଠୁଆ ମାମଲାରେ ସୁପ୍ରିମ କୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବେଞ୍ଚ ନିଜ ଆଡ଼ୁ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିଛି। ସମଗ୍ର ମାମଲାର ତଦାରଖ କରିବାକୁ ମଧ୍ୟ ସ୍ଥିର କରିଛି। କେତେକ ଓକିଲ ଆଜି ପ୍ରଧାନ ବିଚାରପତିଙ୍କୁ ଭେଟି କଠୁଆ ସଂପର୍କରେ ଦୃଷ୍ଟି ଆକର୍ଷଣ କରିବା ପରେ ସୁପ୍ରିମ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ ବେଳେ ଏହାକୁ ବିରୋଧ କରିଥିବା କେତେକ ଓକିଲଙ୍କ ଆଚରଣ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ଏସଂପର୍କରେ ବାର କାଉନସିଲ ଅଫ ଇଣ୍ଡିଆ, ଜମ୍ମୁ-କଶ୍ମୀର ବାର ଆସୋସିଏସନ, ଜମ୍ମୁ ହାଇକୋର୍ଟ ବାର ଆସୋସିଏସନ ଏବଂ କଠୁଆ ବାର ଆସୋସିଏସନକୁ ନୋଟିସ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର