ପ୍ରଧାନମନ୍ତ୍ରୀ ମୋଦିଜୀ ସବୁବେଳେ ‘ସ୍ପିକର ମୋଡ୍‌’ ନହେଲେ ‘ଏରୋପ୍ଲେନ୍‌ ମୋଡ୍‌’ରେ ଥାଆନ୍ତି: ରାହୁଲ

ରାହୁଲ ସବୁବେଳେ ‘ଏଣ୍ଟରଟେନ୍‌ମେଣ୍ଟ ମୋଡ୍‌’ରେ ଥାଆନ୍ତି: ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିବାଚନ ପାଇଁ ଏବେ ପ୍ରଚାର ଅଭିଯାନରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାଲେଚନା ଓ କଟାକ୍ଷ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ କହିଛନ୍ତି ଯେ ମୋଦିଜୀ ସବୁବେଳେ ‘ସ୍ପିକର ମୋଡ୍‌’ ନତୁବା ‘ଏରୋପ୍ଲେନ୍‌ ମୋଡ୍‌’ରେ ଥାଆନ୍ତି। କିନ୍ତୁ, କେବେ ବି ‘ଓ୍ଵାର୍କ ମୋଡ୍‌’ରେ ରହିବାକୁ ପସନ୍ଦ କରନ୍ତି ନାହିଁ।

ନିଜ ବକ୍ତବ୍ୟକୁ ବୁଝାଇବାକୁ ଯାଇ ରାହୁଲ କହିଛନ୍ତି, ‘ମୋବାଇଲ୍‌ ଫୋନ୍‌ରେ ତିନିଟି ମୋଡ୍‌ ଥାଏ। ଗୋଟିଏ ଓ୍ଵାର୍କ ମୋଡ୍‌, ଦ୍ୱିତୀୟଟି ସ୍ପିକର ଓ ତୃତୀୟଟି ଏରୋପ୍ଲେନ୍‌ ମୋଡ୍‌। ହେଲେ, ଆମ ପ୍ରଧାନମନ୍ତ୍ରୀ ମୋଦିଜୀ କେବଳ ମାତ୍ର ସ୍ପିକର ମୋଡ୍‌ ଓ ଏରୋପ୍ଲେନ୍‌ ମୋଡ୍‌ର ବ୍ୟବହାର କରନ୍ତି। କେବେବି ଓ୍ଵାର୍କ ମୋଡ୍‌ର ବ୍ୟବହାର କରନ୍ତି ନାହିଁ। ଯେଉଁଥିପାଇଁ ଆଜି ଦେଶର ଏଅବସ୍ଥା ହୋଇଛି।


ପ୍ରଧାନମନ୍ତ୍ରୀ ମୋଦି ତୈଳ ଦର ବୃଦ୍ଧି କରି ଦେଶର ଜନତାଙ୍କୁ ‘ଲୁଟ୍‌’ କରିଚାଲିଛନ୍ତି। ୨୦୧୪ରେ ଶାସନ କ୍ଷମତାକୁ ଆସିବା ପରେ ଆଜି ସୁଦ୍ଧା ପେଟ୍ରୋଲ, ଡିଜେଲ ଓ ଏଲ୍‌ପିଜି ଉପରେ ଦେଶର ଜନତାଙ୍କ ଠାରୁ ଟିକସ ନାମରେ ୧୦ ଲକ୍ଷ କୋଟି ନେଇ ସାରିବା ପରେ ବି ଦେଶର ଜନତାଙ୍କୁ ଶୋଷୁଛନ୍ତି। ଅନ୍ତର୍ଜାତିକ ବଜାରରେ ଅଶୋଧିତ କମିଥିବା ବେଳେ ଏହାର ଫଇଦା ଜନତାକୁ ନ ଦେଇ ସେ ତୈଳ ଦର ବଢ଼ାଇବାରେ ଲାଗିଛନ୍ତି’ ବୋଲି କହିବା ସହ ତୈଳ ଦର ବୃଦ୍ଧି ପ୍ରତିବାଦରେ ବେଙ୍ଗାଲୁରୁରେ ଏକ ସାଇକେଲ ର‍୍ୟାଲି ବାହାର କରିଛନ୍ତି। ନିଜ ବକ୍ତବ୍ୟକୁ ପ୍ରମାଣିତ କରିବାକୁ ଯାଇ ରାହୁଲ ସାମ୍ବାଦିକମାନଙ୍କୁ ଏକ ଭିଡିଓ କ୍ଲିପ୍‌ ପ୍ରଦର୍ଶିତ କରିବା ସହ ଏହାକୁ ନିଜ ଟୁଇଟର ପେଜ୍‌ରେ ଅପ୍‌ଲୋଡ୍‌ ମଧ୍ୟ କରିଛନ୍ତି।

ଅନ୍ୟପକ୍ଷରେ ବିଜେପି ମଧ୍ୟ ରାହୁଲଙ୍କୁ କଟାକ୍ଷ ଓ ସମାଲୋଚନା କରିବା ପାଇଁ ପଛାଇ ନାହିଁ। ବିଜେପି ପ୍ରବକ୍ତା ଜିଭିଏଲ୍‌ ରାଓ ରହୁଲଙ୍କ ଭାଷାରେ ରାହୁଲଙ୍କୁ କଟାକ୍ଷ କରି କହିଛନ୍ତି, ରାହୁଲ ସବୁବେଳେ ‘ଏଣ୍ଟରଟେନ୍‌ମେଣ୍ଟ ମୋଡ୍‌’ରେ ଥାଆନ୍ତି। ସେଥିପାଇଁ ବିଭିନ୍ନ ର‍୍ୟାଲିରେ ସେ ଦେଉଥିବା ଭାଷଣରୁ ଏଣ୍ଟରଟେନ୍‌ମେଣ୍ଟ ପାଇବାକୁ ଲୋକେ ତାଙ୍କ ର‍୍ୟାଲିକୁ ଯାଇଥାଆନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର