ମହିଳାମାନେ ଦେଶର ବିକାଶ କରୁଛନ୍ତି: ନରେନ୍ଦ୍ର ମୋଦି

ମନ୍‌ କୀ ବାତ୍‌: ଗୋବର ଧନ ଯୋଜନା ଆୟର ଉତ୍ସ ପାଲଟିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ତାଙ୍କ ମାସିକିଆ ରେଡିଓ ବାର୍ତା ‘ମନ୍‌ କୀ ବାତ’ କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଜିର ବାର୍ତାରେ ମୋଦି ମହିଳାମାନଙ୍କୁ ଦେଶର ପ୍ରତ୍ୟେକ କ୍ଷେତ୍ରର ବିକାଶରେ ଅଂଶଗ୍ରହଣ କରିବା ଲାଗି ସୁଯୋଗ ଦେବାଠାରୁ ଆରମ୍ଭ କରି ଲୋକମାନଙ୍କୁ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ପ୍ରତି ସଚେନତ ରହିବା ସହିତ ଗୋବର ଧନ ଯୋଜନା ଆଦି ଉପରେ ମତ ରଖିଛନ୍ତି।

ପ୍ରତିବର୍ଷ ମାର୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ତେଣୁ ଏହି ପରିପ୍ରେକ୍ଷୀରେ ମୋଦି କହିଛନ୍ତି ଭାରତରେ ମହିଳାମାନେ ଏବେ କେବଳ ଆତ୍ମ ନିର୍ଭରଶୀଳ ହୋଇ ସେମାନଙ୍କର ବିକାଶ ସାଧନ କରିନାହାନ୍ତି, ଦେଶର ବିକାଶରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତେଣୁ ସାମାଜିକ ହେଉ କିମ୍ବା ଅର୍ଥନୈତିକ କ୍ଷେତ୍ର ଭଳି ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରିବା ଆମର ମୌଳିକ କର୍ତବ୍ୟ ବୋଲି ସେ କହିଛନ୍ତି। ସ୍ୱାମୀ ବିବେକାନନ୍ଦଙ୍କ ବାକ୍ୟକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ‘ଆଦର୍ଶ ନାରିତ୍ୱ’କୁ ‘ଆଦର୍ଶ ସ୍ୱାଧୀନତା’ ବୋଲି କହିଛନ୍ତି। ନାରୀମାନଙ୍କ ଦ୍ୱାରା ପରିଚିତ ହେବାର ପରମ୍ପରା ଭାରତରେ ରହିଛି। ଯଶୋଦା ନନ୍ଦନ, କୌଶଲ୍ୟା ନନ୍ଦନ, ଗାନ୍ଧାରୀ ପୁତ୍ର ଆଦି ଆମ ପୁଅମାନଙ୍କର ପରିଚୟ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଫେବ୍ରୁଆରି ୨୮ ତାରିଖରେ ଜାତୀୟ ବିଜ୍ଞାନ ଦିବସ ପାଳନ ହେଉଥିବାରୁ ସତ୍ୟର ନିରନ୍ତର ଅନୁସନ୍ଧାନ ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି। ମାର୍ଚ ୪ରେ ଜାତୀୟ ସୁରକ୍ଷା ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ମୋଦି ସବୁ ଭାରତୀୟଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନରେ ସୁରକ୍ଷା ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ଏହାହେଲେ ପ୍ରାକୃତିକ ବିପର୍ଯ୍ୟୟ ବ୍ୟତୀତ ମନୁଷ୍ୟକୃତ ବିପର୍ଯ୍ୟୟରୁ ମଧ୍ୟ ଜୀବନ ସୁରକ୍ଷିତ ରହିପାରିବ ବୋଲି ମୋଦି କହିଛନ୍ତି। ସରକାରଙ୍କ ପକ୍ଷରୁ ନୂଆକରି ଆରମ୍ଭ କରାଯାଇଥିବା ‘ଗୋବର ଧନ’ ଯୋଜନା ସମ୍ପର୍କରେ ମୋଦି ଆଜି ତାଙ୍କ ବାର୍ତାରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏହି ଯୋଜନାରେ ଗ୍ରାମାଞ୍ଚଳର ବର୍ଜ୍ୟବସ୍ତୁକୁ ସ୍ୱଚ୍ଛ ଇନ୍ଧନରେ ପରିଣତ କରାଯାଇ ପାରିବ। ଏହି ଯୋଜନା ଦ୍ୱାରା ଭାରତର ଗ୍ରାମ ଗୁଡ଼ିକୁ ସ୍ୱଚ୍ଛ ରଖାଯିବା ସହିତ ଗୋବରରୁ ଶକ୍ତି ଓ ସମ୍ପତ୍ତି ସୃଷ୍ଟି କରାଯାଇ ପାରିବ। ଭାରତରେ ପ୍ରାୟ ୩୦ କୋଟି ପ୍ରାଣୀସମ୍ପଦ ରହିଛନ୍ତି। ବିଶ୍ୱର ଅନ୍ୟ କୌଣସି ଦେଶ ତୁଳନାରେ ଏହି ସଂଖ୍ୟା ଅଧିକ ବୋଲି ମୋଦି କହିଛନ୍ତି। ତେବେ ଚୀନ ଓ କେତେକ ୟୁରୋପୀୟ ଦେଶ ଗୋବର ଓ ଅନ୍ୟ ଜୈବିକ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଶକ୍ତି ଉତ୍ପାଦନ କରୁଥିବାବେଳେ ଭାରତ ଏହାର ପୂର୍ଣ୍ଣ ଉପଯୋଗ କରିପାରି ନାହିଁ। ଗୋବର ଧନ ଯୋଜନାରେ ଗୋବରକୁ ବର୍ଜ୍ୟବସ୍ତୁ ଭାବେ ବିବେଚନା ନକରି ଆୟର ଏକ ଉତ୍ସଭାବେ ବିବେଚନା କରିବାକୁ ମୋଦି ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର