ରାହୁଲ କହିଲେ, ‘ଭାରତ ମାତାକୀ ଜୟ’ ନୁହେଁ ବରଂ ‘ଅନୀଲ ଅମ୍ବାନୀକୀ ଜୟ’ ଜପ କରନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ; ଜବାବ ରଖି ମୋଦୀ କହିଲେ ‘ଫତଓ୍ଵା’ ଜାରି କରିବାକୁ ରାହୁଲ କିଏ?

ଜୟପୁର (ରାଜସ୍ଥାନ): ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଜୟପୁର ଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ନିର୍ବାଚନ ର‍୍ୟାଲିରେ ଉଦବୋଧନ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍‌ କଟାକ୍ଷ କରିଛନ୍ତି। ରାହୁଲ କହିଛନ୍ତି, ‘ସବୁ ସଭା ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି କହୁଛନ୍ତି, ଭାରତ ମାତାକୀ ଜୟ। ହେଲେ, ପୁଞ୍ଜିପତିଙ୍କ ରକ୍ଷାକର୍ତ୍ତା ସାଜିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁରେ, ‘ଭାରତ ମାତାକୀ ଜୟ’ ଉଚ୍ଚାରଣ ଶୋଭା ପାଉନାହିଁ। କାରଣ, ଦେଶର ଚାଷୀ, ମହିଳା, ଶ୍ରମିକ ଏବଂ ସମାଜର ସବୁ ବର୍ଗକୁ ନେଇ ହେଉଛନ୍ତି ଭାରତ ମାତା କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି କେବଳ ମାତ୍ର କାମ କରୁଛନ୍ତି ଅନୀଲ ଅମ୍ବାନୀଙ୍କର। ତେଣୁ, ସେ ‘ଭାରତ ମାତାକୀ ଜୟ’ ଜପ ପରିତ୍ୟାଗ କରି ଅନୀଲ ଅମ୍ବାନୀକୀ ଜୟ, ନିରବ ମୋଦୀକୀ ଜୟ, ମେହୁଲ ଚୌକସୀକୀ ଜୟ ଏବଂ ନରେନ୍ଦ୍ର ମୋଦୀକୀ ଜୟ ଜପ କରିବା ଉଚିତ୍‌’।

ଅନ୍ୟପକ୍ଷରେ ସେହି ରାଜସ୍ଥାନରେ ବିଜେପି ପକ୍ଷରୁ ଆୟୋଜିତ ଅନ୍ୟ ଏକ ନିର୍ବାଚନୀ ର‍୍ୟାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଭାରତ ମାତାକୀ ଜୟ ସ୍ଲୋଗାନ୍‌ ଉପରେ ଫତଓ୍ଵା ଜାରି କରିବାକୁ କଂଗ୍ରେସ କିଏ? କଂଗ୍ରେସର ନାମ୍‌ଦାରଙ୍କୁ ଏ ଅଧିକାର ଦେଲା କିଏ? ଏଥିପାଇଁ ସେମାନେ ଲଜ୍ଜିତ ଅନୁଭବ କରିବା କଥା। ଏହାହିଁ ପ୍ରମାଣିତ କରୁଛି ଭାରତମାତା ପ୍ରତି କଂଗ୍ରେସର କେତେ ସମ୍ମାନ ରହିଛି। ଭାରତ ମାତାକୀ ଜୟ ହେଉଛି ଭାରତୀୟ ଯବାନଙ୍କର ସ୍ଲୋଗାନ୍‌ ଯିଏ ସୀମା ଅତିକ୍ରମ କରିଯାଇ ସର୍ଜିକାଲ ଷ୍ଟ୍ରାଇକ୍‌ କରୁଛି। ତେଣୁ, ବଂଶବାଦ ରାଜନୀତିର ସୂତ୍ରଧର ସାଜିଥିବା ଇନାମ୍‌ଦାରଙ୍କର ଭାରତ ମାତାକୀ ଜୟ ଉପରେ ଫତଓ୍ଵା ଜାରିର ଅଧିକାର ନାହିଁ,’ ବୋଲି କହି ରାହୁଲଙ୍କ କଟାକ୍ଷର ପାଲଟା ଜବାବ ରଖି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସମ୍ବନ୍ଧିତ ଖବର