୨୦ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ‘ବିଶ୍ୱ ଆର୍ଥିକ ମଞ୍ଚ’ରେ ଯୋଗ ଦେବେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଲ୍‌ପାଇନ୍‌ ସ୍କି ରିସର୍ଟ ଦାବୋସ୍‌ରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ଆର୍ଥିକ ମଞ୍ଚରେ ପ୍ରଥମ ଥର ପାଇଁ ଯୋଗ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାନୁଆରି ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ଆର୍ଥିକ ମଞ୍ଚର ବାର୍ଷିକ ଅଧିବେଶନରେ ବିଶ୍ୱର ବହୁ ଶୀର୍ଷସ୍ତରୀୟ ଉଦ୍ୟୋଗୀ ଏବଂ ସରକାରୀ ମୁଖ୍ୟ ଯୋଗ ଦେବେ।

ଦୀର୍ଘ ଦୁଇ ଦଶନ୍ଧି ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ଏହି ଅଧିବେଶନରେ ଯୋଗ ଦେଉଛନ୍ତି। ଅଧିକାରୀମାନଙ୍କ ସୂତ୍ରରୁ ପ୍ରକାଶ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସେଠାରେ ମୁଖ୍ୟ ଅତିଥି ଭାବେ ଚର୍ଚ୍ଚା କରାଯିବ। ପ୍ରଧାନମନ୍ତ୍ରୀଙ୍କ ଛଡ଼ା ସେଥିରେ ପ୍ରାୟ ଶହେ ସରିକି ଭାରତୀୟ କର୍ପୋରେଟ୍‌ ମୁଖ୍ୟ ଏବଂ ସାଂସଦ ଯୋଗ ଦେବେ।

ଭାରତରେ ପୁଞ୍ଜି ବିନିଯୋଗ କରିବା ଖୁବ୍‌ ଲାଭପ୍ରଦ ବୋଲି ଏହି ସମାବେଶର ବିଭିନ୍ନ ଅଧିବେଶନରେ ମୁଖ୍ୟ ଭାରତୀୟ ଉଦ୍ଦେଶ୍ୟ ଭାବେ ଉପସ୍ଥାପନ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଗତ ଜାନୁଆରି ମାସରେ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଦାବୋସ୍‌ରେ ମୁଖ୍ୟ ସମ୍ଭାଷଣ ଦେଇଥିଲେ। ସେଠାରେ ବିଶ୍ୱସ୍ତରୀୟ ବ୍ୟବସାୟୀମାନଙ୍କୁ ସେ ସଂରକ୍ଷଣବାଦ ତ୍ୟାଗ କରିବାକୁ କହିଥିଲେ।

ଏହି ଅଧିବେଶନ ସାଧାରଣତନ୍ତ୍ର ଦିବସ ସମୟରେ ପଡୁଥିବାରୁ ଭାରତୀୟ ପ୍ରଧାନମନ୍ତ୍ରୀମାନେ ବିଶ୍ୱ ଆର୍ଥିକ ମଞ୍ଚ ସମାବେଶକୁ ଏଡ଼ାଇ ଦେଇ ଥାଆନ୍ତି। କିନ୍ତୁ ଜାନୁଆରି ୨୩-୨୬ ମଧ୍ୟରେ ସୁଇଜର୍‌ଲାଣ୍ଡ୍‌ ଗସ୍ତ କାର୍ଯ୍ୟକ୍ରମ ରଖି ସେ ଅଧିବେଶନରେ ଯୋଗ ଦେବାକୁ ମୋଦି ନିଷ୍ପତ୍ତି ନେଇଛନ୍ତି।

Image Courtesy of weforum

ସାଧାରଣତନ୍ତ୍ର ଦିବସରେ ଆସିଆନ୍‌ ନେତାମାନଙ୍କୁ ସ୍ୱାଗତ କରିବାକୁ ମୋଦି ସେ ଦିନ ଭାରତ ଫେରି ଆସିବେ। ଏହା ପରେ ପାର୍ଲାମେଣ୍ଟ୍‌ରେ ବଜେଟ୍‌ ଅଧିବେଶନ ଆରମ୍ଭ ହେବ।

ଅତୀତରେ କେବଳ ଦୁଇ ଜଣ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓ ଏବଂ ଏଚ୍‌ଡି ଦେବେ ଗୌଡ଼ା ଦାବୋସ ଯାଇଥିଲେ। ୧୯୯୭ରେ ଶେଷ ଥର ଲାଗି ଯାଇଥିଲେ ଦେବେ ଗୌଡ଼ା।

ପୂର୍ବ ବର୍ଷ ଭଳି ଦାବୋସରେ ୩୦- ୪୦ ସରକାରୀ ମୁଖ୍ୟ ଦାବୋସ ଆସିବେ ବୋଲି ଆଶା କରାଯାଉଛି। ଏଥିରେ ନିଜର ନୀତି ଏବଂ ଖାଦ୍ୟ, କଳା ଓ ସଂସ୍କୃତି ଆଦି ପ୍ରଦର୍ଶନ କରିବାକୁ ଭାରତକୁ ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର