ଏବର୍ଷ ଶୈବପୀଠ କେଦାରନାଥରେ ଦୀପାବଳି ମନାଇବେ ପ୍ରଧାନମନ୍ତ୍ରୀ ମୋଦି; ବାଧକ ସାଜୁଛି ତୁଷାରପାତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ଦୀପାବଳି ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ମନାଇବେ ବୋଲି ଜାଣିବାକୁ ମିଳିଛି। ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେଦାରନାଥଠାରେ ଖୁବ୍‌ ଜୋର୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମାତ୍ର ପ୍ରବଳ ମାତ୍ରାରେ ତୁଷାରପାତ ହେବା କାରଣରୁ ମୋଦିଙ୍କ ଗସ୍ତରେ ବାଧା ଉପୁଜିପାରେ। ତୁଷାରପାତ ହୋଇ ମନ୍ଦିର ଚାରିପାଖ ଏକ ପ୍ରକାର ଜମାଟ ବାନ୍ଧି ହୋଇ ରହୁଛି। କେଦାରନାଥରେ ଏବେ ରାତି ବେଳା ତାପମାତ୍ରା ୫ ଡିଗ୍ରି ସେଲ୍‌ସିୟସ୍‌ ତଳେ ରହୁଥିବାର ରିପୋର୍ଟ ରହିଛି। ଏହି ସବୁ ସମସ୍ୟାକୁ ଆଖିରେ ରଖି କେଦାରନାଥରେ ଶନିବାରଠାରୁ ହେଲିକପ୍ଟର ଚଳାଚଳକୁ ବନ୍ଦ କରି ଦିଆଯାଇଛି।

ପରିସ୍ଥିତି ଖୁବ୍‌ ଶୀଘ୍ର ବଦଳିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶ୍ୱସ୍ତ କରାଯାଇଛି। ବରଫ ସଫା କରି ରାସ୍ତା ଖାଲି କରିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବହୁ ମାତ୍ରାରେ ଶ୍ରମିକ ନିୟୋଜିତ କରାଯାଇଛି।

ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦି ଏହି ମନ୍ଦିରକୁ ଦୁଇ ଥର ଗସ୍ତ କରିଥିଲେ। ସମୁଦ୍ର ପତନଠାରୁ ୧୧,୭୫୫ ଫୁଟ୍‌ ଉପରେ ଥିବା ଏହି ମନ୍ଦିର ଖୋଲିବା ପରେ ଓ ବନ୍ଦ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗସ୍ତ କରିଥିଲେ।

ଚଳିତବର୍ଷ ଦିପାବଳୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ, ନଭେମ୍ବର ୬ ତାରିଖ ସକାଳେ ପ୍ରଧାନମନ୍ତ୍ରୀ ମୋଦି କେଦାରନାଥରେ ପହଞ୍ଚିବାର ଯୋଜନା ରହିଛି। ହେଲିକପ୍ଟର ଦ୍ୱାରା ପ୍ରଧାନମନ୍ତ୍ରୀ ଗସ୍ତ କରିବେ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର