ପୁଣି ଥରେ ଗାଦି ଅକ୍ତିଆର କରିବେ ମୋଦି! ଭବିଷ୍ୟବାଣୀ କଲେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ ଆଉ କେହି ନୁହେଁ; ବରଂ ନରେନ୍ଦ୍ର ମୋଦି ହିଁ ହେବେ ଆଉଥରେ ପ୍ରଧାନମନ୍ତ୍ରୀ। ଏବଂ ଦେଶରେ ପୁଣି ଚାଲିବ ମୋଦିଙ୍କ ଶାସନ। ଏ ପ୍ରକାର ଭବିଷ୍ୟବାଣୀ କରିଛନ୍ତି ଦେଶର ନିର୍ବାଚନୀ ରାଜନୀତିରେ ଶ୍ରେଷ୍ଠ ରଣନୀତିଜ୍ଞ ରୂପେ ବିବେଚିତ ହେଉଥିବା ପ୍ରଶାନ୍ତ କିଶୋର।

ପ୍ରଶାନ୍ତ କିଶୋର କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ଏନ୍‌ଡିଏ ବହୁମତ ପାଇ ଦେଶର କ୍ଷମତା ଅକ୍ତିଆର କରିବ। ଏବଂ ଏନ୍‌ଡିଏର ସର୍ବମାନ୍ୟ ନେତା ରୂପେ ନରେନ୍ଦ୍ର ମୋଦି ହିଁ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ଦେଶରେ ନିଜର ଶାସନ ଚଳାଇବେ। ୨୦୧୯ ନିର୍ବାଚନରେ ବିଜେପି ଓ ଶିବସେନା ପରେ ଜେଡିୟୁ ସବୁଠାରୁ ବଡ ପାର୍ଟି ଭାବେ ଉଭା ହେବ ବୋଲି ମଧ୍ୟ କହିଛନ୍ତି ପ୍ରଶାନ୍ତ କିଶୋର।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ବିଜୟରେ ପ୍ରଶାନ୍ତ କିଶୋର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୨ରେ ଅନୁଷ୍ଠିତ ହୋଇଥିବା ଗୁଜରାଟ ନିର୍ବାଚନ ସମୟରେ ମଧ୍ୟ ପ୍ରଶାନ୍ତ କିଶୋର, ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ରଣନୀତିଜ୍ଞ ଭାବେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଅମିତ ଶାହଙ୍କ ସହ ମନୋମାଳିନ୍ୟ ଯୋଗୁଁ ପ୍ରଶାନ୍ତ କିଶୋର ବିଜେପି ସହ ନିଜର ସଂପର୍କ ଛିନ୍ନ କରିଥିଲେ।

ବିଜେପିରୁ ଦୂରେଇ ଯିବା ପରେ ପ୍ରଶାନ୍ତ କିଶୋର ବିହାର ନିର୍ବାଚନ ସମୟରେ ନୀତୀଶ କୁମାରଙ୍କ ସହ ଯୋଡ଼ି ହୋଇଥିଲେ। ତେବେ, ଜେଡିୟୁରେ ସାମିଲ ହେବା ପୂର୍ବରୁ ପ୍ରଶାନ୍ତ କିଶୋର ନିର୍ବାଚନୀ ପରାମର୍ଶଦାତା ଓ ରଣନୀତିଜ୍ଞ ଭାବେ ଉତ୍ତରପ୍ରଦେଶ ବିଧାନସଭା ନର୍ବାଚନରେ କଂଗ୍ରେସକୁ ସାହାଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର