ଜୟାଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ଫେରାଇ ନେବା ସହ ଦୁଃଖିତ ବୋଲି କହିଲେ ନରେଶ ଅଗ୍ରଓ୍ଵାଲ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ସପା) ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିବା ନରେଶ ଅଗ୍ରଓ୍ଵାଲ ସପାର ରାଜ୍ୟସଭା ପ୍ରାର୍ଥୀ ଜୟା ବଚ୍ଚନଙ୍କ ବିରୋଧରେ ସୋମବାର ଦେଇଥିବା ମନ୍ତବ୍ୟକୁ ମଙ୍ଗଳବାର ପ୍ରତ୍ୟାହାର କରି ନେଇଛନ୍ତି। ସୋମବାର ଅପରାହ୍ଣରେ ଭାରତୀୟ ଜନତା ପାର୍ଟିରେ (ବିଜେପି)ରେ ଯୋଗଦେବା ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନରେଶ ଅଗ୍ରଓ୍ଵାଲ ଜୟା ବଚ୍ଚନଙ୍କ ପ୍ରତି ‘ସେକ୍ସିଏଷ୍ଟ’, ‘ବଲିଉଡ୍‌ର ଚାଚ୍‌ନେ ଓ୍ଵାଲି’ ପ୍ରଭୃତି ଅଶାଳୀନ ଶବ୍ଦ ପ୍ରୟୋଗ କରି କଟାକ୍ଷ ଓ ସମାଲୋଚନା କରିଥିଲେ। ହେଲେ, ଜୟାଙ୍କ ପ୍ରତି ନରେଶଙ୍କର ଏପ୍ରକାରର ଆକ୍ଷେପକୁ ବିଜେପିର ବରିଷ୍ଠ ନାରୀନେତ୍ରୀ ସୁଷମା ସ୍ୱରାଜ, ସ୍ମୃତି ଇରାନୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଗ୍ରହଣ କରିପାରି ନଥିଲେ।

ଜୟା ବଚ୍ଚନଙ୍କ ପ୍ରତି ନରେଶ ଅଗ୍ରଓ୍ଵାଲଙ୍କ ଏପ୍ରକାରର ଆକ୍ଷେପରେ କ୍ଷୋଭ ପ୍ରକାଶ କରି ଭାରତୀୟ ଜନତା ପାର୍ଟିର ଅନ୍ୟତମ ବରିଷ୍ଠ ନେତ୍ରୀ ତଥା ନରେନ୍ଦ୍ର ମୋଦି କ୍ୟାବିନେଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ସୁଷମା ସ୍ୱରାଜ ଏକ ଟୁଇଟ୍‌ କରି କହିଥିଲେ, ‘ଦଳରେ ନରେଶ ଅଗ୍ରଓ୍ଵାଲଙ୍କ ଯୋଗଦାନକୁ ସ୍ୱାଗତ କରୁଛି। କିନ୍ତୁ, ଜୟାଙ୍କ ସଂପର୍କରେ ତାଙ୍କର ଏ ପ୍ରକାର ଟିପ୍ପଣୀ ଅନୁପଯୁକ୍ତ, ଅଶାଳୀନ, ଅନୁଚିତ, ଅସଙ୍ଗତ ଏବଂ ଅଗ୍ରହଣଯୋଗ୍ୟ।’

ଏ ଘଟଣା ପରେ ନରେଶ ଅଗ୍ରଓ୍ଵାଲ ତାଙ୍କର ଏପ୍ରକାରର ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ନିଜର ମନ୍ତବ୍ୟ ଫେରାଇ ନେଉଛନ୍ତି ବୋଲି କହିଛନ୍ତି। ‘ମୋ ମନ୍ତବ୍ୟ ଯଦି କାହା ମନରେ ଆଘାତ ଦେଇଥାଏ, ତେବେ ସେଥିପାଇଁ ମୁଁ ଦୁଃଖିତ ଏବଂ ମୁଁ ମୋ ମନ୍ତବ୍ୟକୁ ଫେରାଇ ନେଉଛି’, ବୋଲି କହିଛନ୍ତି ନରେଶ ଅଗ୍ରଓ୍ଵାଲ। ଏଥିସହ ତାଙ୍କ ମନ୍ତବ୍ୟକୁ ଗଣମାଧ୍ୟମ ଭୁଲ ଭାବେ ଉପସ୍ଥାପିତ କରିଛି ବୋଲି କହି ଗଣମାଧ୍ୟମ ମୁଣ୍ଡରେ ଦୋଷ ଲଦିଛନ୍ତି ସେ।

ଉଲ୍ଲେଖଯୋଗ୍ୟ, ଆଗାମୀ ଉତ୍ତର ପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ସପା)ର ଦଳୀୟ ଟିକେଟରୁ ବଞ୍ଚିତ ହେବାପରେ ସପା ନେତା ନରେଶ ଅଗ୍ରଓ୍ଵାଲ ସୋମବାର ଯାଇ ଯୋଗ ଦେଇଥିଲେ ବିଜେପିରେ। ତାଙ୍କୁ ଦଳୀୟ ଟିକେଟରୁ ବଞ୍ଚିତ କରି ବଲିଉଡ୍‌ ଅଭିନେତ୍ରୀ ତଥା ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନଙ୍କୁ ରାଜ୍ୟସଭା ପାଇଁ ଦଳୀୟ ପ୍ରାର୍ଥୀ ଭାବେ ସମାଜବାଦୀ ପାର୍ଟି ଟିକେଟ ପ୍ରଦାନ କରିଥିବା କାରଣରୁ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିଲେ। ନରେଶ ରାଜ୍ୟସଭା ଟିକେଟ ଆଶାରେ ସମାଜବାଦୀ ପାର୍ଟି ପରିତ୍ୟାଗ କରି ଯାଇ ଯୋଗ ଦେଇଥିଲେ ବିଜେପିରେ। ହେଲେ, ବିଜେପିରେ ଯୋଗଦେବା ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନରେଶ ଅଗ୍ରଓ୍ଵାଲ ଜୟା ବଚ୍ଚନଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘ବଲିଉଡ୍‌ର ନାଚ୍‌ନେ ଓ୍ଵାଲି…. ସେକ୍ଦିଏଷ୍ଟ’…ପ୍ରଭୃତି ଅଶାଳୀନ ଶବ୍ଦ। ହେଲେ, ଜୟା ବଚ୍ଚନଙ୍କ ପ୍ରତି ନରେଶ ଅଗ୍ରଓ୍ଵାଲଙ୍କ ଏପ୍ରକାରର ଅଶାଳୀନ ମନ୍ତବ୍ୟ ଦଳ ମଧ୍ୟରେ ଏକ ବିବାଦର ସୂତ୍ରପାତ କରିଥିଲା।

ସମ୍ବନ୍ଧିତ ଖବର