ନାସିରୁଦ୍ଦିନ-ଅନୁପମ କଳିରେ ମୁଣ୍ଡ ପୂରାଇଲେ ସ୍ୱରାଜ କୌଶଳ

ନୂଆଦିଲ୍ଲୀ : ସିଏଏ-ଏନ୍‌ଆର୍‌ସି-ଏନ୍‌ପିଆରକୁ ନେଇ ଏବେ ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହ ଏବଂ ଅନୁପମ ଖେରଙ୍କ ମଧ୍ୟରେ ବିବାଦ ଜୋର୍‌ଦାର ହୋଇଛି। ନାସିରୁଦ୍ଦିନ-ଅନୁପମଙ୍କ ଏହି ବିବାଦରେ ଏବେ ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୌଶଳ ମୁଣ୍ଡ ପୂରାଇବା ପରେ ମାମଲା ‌ରୋଚକ ମୋଡ଼ ନେଇଛି। ସୂଚନାଯୋଗ୍ୟ, ନାସିରୁଦ୍ଦିନ ଶାହ ଅନୁପମ ଖେରଙ୍କ ପ୍ରତି ‘ଜୋକର’ ଏବଂ ‘ତୋଷାମଦକାରୀ’ ଭଳି ଶବ୍ଦ ବ୍ୟବହାର କରିଥିଲେ। ଅନୁପମ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହା ନାସିରୁଦ୍ଦିନଙ୍କର ପୁରୁଣା ଅଭ୍ୟାସ ଏବଂ ଅଭ୍ୟାସଗତ ଭାବେ ସେ ଇଣ୍ଡଷ୍ଟ୍ରିର ପ୍ରାୟ ସମସ୍ତଙ୍କୁ ସମାଲୋଚନା କରିଥାନ୍ତି। ବୟସ ଅଧିକ କାରଣରୁ ସେ ନିରାଶ ହୋଇ ପଡ଼ିଛନ୍ତି ବୋଲି ଅନୁପମ୍‌ କହିଛନ୍ତି। ସୂଚନାଯୋଗ୍ୟ, ଅନୁପମ ଖେର କେନ୍ଦ୍ର ସରକାରଙ୍କର ଜଣେ ଦୃଢ଼ ସମର୍ଥକ ହୋଇଥିବାରୁ ନାସିରୁଦ୍ଦିନ ତାଙ୍କୁ ବିରୋଧ କରିଆସୁଛନ୍ତି। ନାସିରୁଦ୍ଦିନ କହିଥିଲେ, ଅନୁପମଙ୍କ ଭଳି ଜଣେ ଗପୁଡ଼ି ଲୋକ କୌଣସି କଥାକୁ ଗୁରୁତ୍ବର ସହ ନେଇ ନଥାନ୍ତି। ସେ ଜଣେ ଜୋକର। ସେ ଜଣେ ତୋଷାମଦକାରୀ ହୋଇଥିବାରୁ ତାଙ୍କୁ ଏନ୍‌ଏସ୍‌ଡି ଏବଂ ଏଫ୍‌ଟିଆଇଆଇ ଭଳି ସଂସ୍ଥାରେ ଥଇଥାନ କରାଯାଇଛି। ତୋଷାମଦ ଗୁଣ ତାଙ୍କ ରକ୍ତରେ ଅଛି ବୋଲି ନାସିରୁଦ୍ଦିନ ଅନୁପମଙ୍କ ଉଦ୍ଦେଶ୍ୟରେ କହିଥିଲେ। ନାସିରୁଦ୍ଦିନଙ୍କ ଏଭଳି ମନ୍ତବ୍ୟର ଜବାବ ଦେବାକୁ ଯାଇ ଅନୁପମ କହିଛନ୍ତି ବୟସ ଅଧିକ କାରଣରୁ ତାଙ୍କର ମତିଭ୍ରମ ହୋଇଗଲାଣି।

ଅନୁପମଙ୍କ ପ୍ରତି ନାସିରୁଦ୍ଦିନଙ୍କ କୁତ୍ସାଭରା ଟ୍ବିଟ୍‌କୁ ପୂର୍ବତନ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୌଶଳ ନାପସନ୍ଦ କରିଛନ୍ତି। ସେ ନାସିରୁଦ୍ଦିନଙ୍କ ଏଭଳି ଆକ୍ଷେପକୁ ନିନ୍ଦା କରିବା ସହ ଅନୁପମ ଖେର ଏବଂ ତାଙ୍କ ପତ୍ନୀ କିରଣ ଖେରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ଅନୁମପଙ୍କୁ ସେ ୪୭ ବର୍ଷ ଧରି ଜାଣନ୍ତି ଏବଂ ସେ ଜଣେ ସଚ୍ଚୋଟ ବ୍ୟକ୍ତି ବୋଲି ସ୍ବରାଜ ଟ୍ବିଟ୍‌ କରିଛନ୍ତି। ନାସିରୁଦ୍ଦିନ ଜଣେ କୃତଘ୍ନ ମଣିଷ ବୋଲି ସ୍ବରାଜ କହିଛନ୍ତି।

ସମ୍ବନ୍ଧିତ ଖବର