ଜମ୍ମୁ ଓ କଶ୍ମୀରରେ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ନାସନାଲ୍ କନଫରେନ୍ସ୍ ଆଗ୍ରହୀ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ଆଗାମୀ ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଅଂଶଗ୍ରହଣ କରିବା ପାଇଁ ନାସନାଲ୍ କନଫରେନ୍ସ(ଏନସି) ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏନେଇ ଦଳର କେନ୍ଦ୍ରୀୟ ସଚିବ ରତନଲାଲ ଗୁପ୍ତା ଜମ୍ମୁ ଓ କଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଶୈଳେନ୍ଦ୍ର କୁମାରଙ୍କୁ ପତ୍ର ଲେଖି ଜଣାଇଛନ୍ତି।
ସେ ଏସଂକ୍ରାନ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଦଳ ଗଣତାନ୍ତ୍ରିକ ପ୍ରକ୍ରିୟାର ସମର୍ଥକ । ଏଣୁ ଜମ୍ମୁ ଓ କଶ୍ମୀରରେ ୮ଟି ପର୍ଯ୍ୟାୟରେ ୧୧ ହଜାର ଆସନ ପାଇଁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଲଢ଼ିବାକୁ ଚାହୁଁଛୁ। ହେଲେ ଏହା ପୂର୍ବରୁ ରାଜ୍ୟରେ ଲଗାଯାଇଥିବା ସବୁ ପ୍ରତିବନ୍ଧକ ହଟାଯାଉ ଏବଂ ନଜରବନ୍ଦୀ କରି ରଖାଯାଇଥିବା ଦଳୀୟ ନେତାମାନଙ୍କୁ ମୁକ୍ତ କରାଯାଉ। ଏହାଦ୍ୱାରା ଦଳ ସ୍ବାଧୀନଭାବେ ନିର୍ବାଚନ ପ୍ରଚାର କରିପାରିବ ବୋଲି ଉକ୍ତ ଚିଠିରେ କୁହାଯାଇଛି।

image source-oneindia

ସୂଚନାଯୋଗ୍ୟ, ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ପାଖାପାଖି ୧୦୦୦ ନେତାଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ଭିତରୁ ଅବଶ୍ୟ କିଛି ନେତାଙ୍କୁ ପର୍ଯ୍ୟାୟକ୍ରମେ ମୁକ୍ତ କରାଯାଇଥିଲା । ପୂର୍ବତନ ମୁଖମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା, ଉମର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କ ସମେତ ଅନେକ ନେତାଙ୍କୁ ନଜରବନ୍ଦୀ କରି ରଖାଯାଇଥିଲା। ଏହି ଚିଠିରେ ରତନଲାଲ ଗୁପ୍ତା ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଦଳର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା, ଉପାଧ୍ୟକ୍ଷ ଉମର ଅବଦୁଲ୍ଲା ଏବଂ ସାଧାରଣ ସଂପାଦକ ମହମ୍ମଦ ସଗର ନଜରବନ୍ଦୀ ହୋଇ ରହିଛନ୍ତି। ତେଣୁ ଏପରି ସ୍ଥିତିରେ ଦଳ ନିର୍ବାଚନରେ କିପରି ଅଂଶଗ୍ରହଣ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର