ଜାତୀୟ ରାଜନୀତିରେ ଭିନ୍ନ ସ୍ଥିତି:ପ୍ରାର୍ଥୀ ସଂଖ୍ୟାରେ କଂଗ୍ରେସକୁ ବଳିଗଲା ବିଜେପି

୨୦୧୪ ବିପର୍ଯ୍ୟୟ କଂଗ୍ରେସକୁ ଦୁର୍ବଳ କରିଛି ବହୁ ମେଣ୍ଟ ସହଯୋଗୀ ହରାଇଛି ବିଜେପି

ନୂଆଦିଲ୍ଲୀ : ଭାରତୀୟ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ପୁରୁଣା ରାଜନୈତିକ ଦଳ କଂଗ୍ରେସ ଏଥର ପୂର୍ବ ନିର୍ବାଚନଗୁଡ଼ିକ ତୁଳନାରେ ଅପେକ୍ଷାକୃତ କମ୍‌ ଆସନରେ ନିର୍ବାଚନ ଲଢ଼ୁଛି। ପ୍ରଥମ ଥର ଏଥର ନିର୍ବାଚନରେ କଂଗ୍ରେସର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ତଥା ଶାସକ ବିଜେପି କଂଗ୍ରେସ ଠାରୁ ଅଧିକ ଆସନରେ ନିର୍ବାଚନ ଲଢ଼ୁଛି। କଂଗ୍ରେସ ଆଜି ସୁଦ୍ଧା ୪୨୩ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ବିଜେପି ୪୩୭ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ୨୦୧୪ ଲୋକସଭା‌ ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଥିଲା ଏବଂ କଂଗ୍ରେସକୁ ମାତ୍ର ୪୪ ଲୋକସଭା ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେଣୁ କଂଗ୍ରେସ ଏଥର ଅଧିକ ପ୍ରାର୍ଥୀସଂଖ୍ୟା ଉପରେ ଗୁରୁତ୍ବ ନଦେଇ ଅନ୍ୟ ବିରୋଧୀ ଦଳଙ୍କୁ ନେଇ ମେଣ୍ଟ ସୁଦୃଢ଼ କରିବା ଉପରେ ଫୋକସ୍‌ କରିଛି। ଦଳ ବିଭିନ୍ନ ରାଜ୍ୟ‌ରେ ନିଜର ସାମର୍ଥ୍ୟକୁ ଦେଖି ପ୍ରାର୍ଥୀ ଦେଇଛି। ଅନ୍ୟପକ୍ଷରେ ବିଜେପି ୨୦୧୪ ଲୋକସଭା ନିର୍ବାଚନ‌ ତୁଳନାରେ ଚଳିତ ନିର୍ବାଚନରେ ଅନେକ ମେଣ୍ଟ ସହଯୋଗୀଙ୍କୁ ହରାଇ ଥିବାରୁ ଏହାର ପ୍ରାର୍ଥୀ ସଂଖ୍ୟା ବଢ଼ିଛି।
ପ୍ରଥମ ଥର ପାଇଁ କଂଗ୍ରେସ ବିଜେପି ତୁଳନାରେ କମ୍‌ ଆସନରେ ନିର୍ବାଚନ ଲଢ଼ୁଥିବାରୁ ଏହାର ଦୁର୍ବଳତା ସାମ୍ନାକୁ ଆସିଛି। ଦେଶ ସ୍ବାଧୀନତା ପାଇବା ପରଠାରୁ କଂଗ୍ରେସକୁ ସର୍ବଦା ଏକ ଜାତୀୟ ଦଳ ଭାବେ ଗ୍ରହଣ କରାଯାଇଛି, କିନ୍ତୁ ଏବେ ସମଗ୍ର ଦେଶରେ ବିଜେପି ନିଜର ପତିଆରା ବିସ୍ତାର କରି କଂଗ୍ରେସକୁ ଚ୍ୟାଲେଂଜ କରିଛି। ଅନ୍ୟପକ୍ଷରେ ବିଜେପି ଦେଶର ସବୁଠାରୁ ବଡ଼ ଦଳ ଭାବେ ନିଜକୁ ପ୍ରତିପାଦିତ କରି ୨୦୧୪ର ସଫଳତା ଦୋହରାଇବାକୁ ଲକ୍ଷ୍ୟ ରଖିଛି। ୧୯୯୮ ଏବଂ ୧୯୯୯ରେ ବିଜେପି ଅଟଳ ବିହାରୀ ବାଜପେୟୀଙ୍କ ଅଧୀନରେ କେନ୍ଦ୍ରରେ କ୍ଷମତାରେ ଥିଲେ ମଧ୍ୟ ସମଗ୍ର ଦେଶରେ ଏହାର ବିଶେଷ ପତିଆରା ନଥିଲା। ୨୦୧୪ ରେ କିନ୍ତୁ ଦଳ ୨୮୨ ଆସନରେ ଜିତି ରେକର୍ଡ ସୃଷ୍ଟି କରିଥିଲା। ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ଏହାର ସଙ୍କଟକୁ ବଢ଼ାଇ ଦେଇଥିଲା। କିନ୍ତୁ ଏହି ସଙ୍କଟରୁ କଂଗ୍ରେସ ଶିକ୍ଷା ଗ୍ରହଣ କରିଛି ଏବଂ ପ୍ରାର୍ଥୀ ସଂଖ୍ୟା ଉପରେ ଗୁରୁତ୍ବ ନଦେଇ ବିଜୟ ପାଇଁ ଅଧିକ ପ୍ରୟାସ କରୁଛି।
ବିଜେପି ୧୯୯୯ ନିର୍ବାଚନରେ ସବୁଠୁ କମ୍‌ ୩୩୯ ଆସନରୁ ନିର୍ବାଚନ ଲଢ଼ିଥିବାବେଳେ ଏଥିରୁ ୧୮୨ଟି ଆସନରେ ଜିତିଥିଲା। ୨୦୧୪ରେ କଂଗ୍ରେସ ୪୬୪ ଆସନରେ ନିର୍ବାଚନ ଲଢ଼ିଥିବାବେଳେ ବିଜେପି ୪୨୮ ଆ‌ସନରେ ନିର୍ବାଚନ ଲଢ଼ିଥିଲା। ୨୦୦୯ରେ କଂଗ୍ରେସ ୪୪୦ ଆସନରେ ନିର୍ବାଚନ ଲଢ଼ିଥିବାବେଳେ ବିଜେପି ୪୩୩ ଏବଂ ୨୦୦୪ରେ କଂଗ୍ରେସ ୪୧୪ ଆସନରେ ନିର୍ବାଚନ ଲଢ଼ିଥିବାବେଳେ ବି‌ଜେପି ୩୬୪ ଆସନରେ ନିର୍ବାଚନ ଲଢ଼ିଥିଲା। ଏଥର କଂଗ୍ରେସ ନୂଆ ସହଯୋଗୀଙ୍କ ସହ ବ‌ିଜେପିକୁ କେନ୍ଦ୍ରରୁ ହଟାଇବାକୁ ଯୋଜନା କରି ରଣନୀତି ତୟାର କରିଛି। ଅନ୍ୟପକ୍ଷରେ ବିଜେପି କହିଛି ଯେ କଂଗ୍ରେସ ଦଳର ସଦସ୍ୟ ସଂଖ୍ୟାଠାରୁ ବିଜେପିର ସଂଖ୍ୟା ଯଥେଷ୍ଟ ଅଧିକ ରହିଛି ଏବଂ ଆମେ ଆମର ରାଜନୈତିକ ଶକ୍ତି ଆଧାରରେ ପ୍ରାର୍ଥୀ ଦେଇଛୁ।

ସମ୍ବନ୍ଧିତ ଖବର