ନବୀନ-ଧର୍ମେନ୍ଦ୍ର ସାକ୍ଷାତ : ଓଡ଼ିଶା ଭବନରେ ୨୦ ମିନିଟ୍‌ ଆଲୋଚନା କଲେ

ରାଜ୍ୟର ବିକାଶ ପାଇଁ ମିଳିତ ଭାବେ କାମ କରିବେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସେଲ୍‌ ଦେଲା ୩ କୋଟି

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଓଡ଼ିଶା ଭବନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଉଭୟ ପାଖାପାଖି ୪୫ ମିନିଟ୍‌ ଆଲୋଚନା କରିଥିଲେ। ଏହି ସାକ୍ଷାତ ସମ୍ପୂର୍ଣ୍ଣ ସୌଜନ୍ୟମୂଳକ ଥିଲା ଓ କେବଳ ଓଡ଼ିଶାର ବିକାଶ କଥା ହିଁ ଆଲୋଚନା ହୋଇଥିଲା ବୋଲି ଉଭୟ କହିଥିଲେ।

ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ, ରାଜ୍ୟରେ କର୍ମନିଯୁକ୍ତି ଓ ବିକାଶ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା। କେନ୍ଦ୍ର ସହ ଆଲୋଚନାରେ ଓଡ଼ିଶାରେ ଅନେକ କଲ୍ୟାଣକାରୀ କାର୍ଯ୍ୟକ୍ରମ କରାଯାଇପାରିବ।

ବିଜେଡିର ସମଦୂରତା ନୀତିରେ ପରିବର୍ତ୍ତନ ଆସିଛି କି ବୋଲି ପ୍ରଶ୍ନରେ ଶ୍ରୀ ପଟ୍ଟନାୟକ କହିଥିଲେ, କେନ୍ଦ୍ର ସହ ଆମେ ଗଠନମୂଳକ ସହଯୋଗରେ ବିଶ୍ବାସ କରୁଛୁ। କେନ୍ଦ୍ର ମନ୍ତ୍ରୀଙ୍କ ସହ ବୈଠକରେ କେତେଦୂର ସନ୍ତୁଷ୍ଟ ବୋଲି ପ୍ରଶ୍ନରେ ସେ କହିଥିଲେ, ଆଶା କରୁଛି ଆଗକୁ ଅନେକ ବୈଠକ ହେବ।

ବୈଠକ ପରେ ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଲେ, ଏହି ସାକ୍ଷାତକାର ରାଜନୈତିକ ନୁହେଁ ବରଂ ସୌଜନ୍ୟମୂଳକ ଥିଲା। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଥିବା ଦାୟିତ୍ବ ନେଇ ଆଲୋଚନା ହୋଇଥିଲା। ସର୍ବଦା ରାଜନୈତିକ ବିଷୟରେ ଆଲୋଚନା ନୁହେଁ, ସାଢ଼େ ଚାରି କୋଟି ଓଡ଼ିଆଙ୍କ ଜୀବନରେ ପରିବର୍ତ୍ତନ ହେବା ଓ ଯୁବକମାନେ ରୋଜଗାର ପାଇବା ପ୍ରମୁଖ ବିଷୟ। ମୋର ଦୁଇଟି ମନ୍ତ୍ରଣାଳୟର ଯାହା ଦାୟିତ୍ବ ରହିଛି, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛି।

ବିଭିନ୍ନ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ, ଓଡ଼ିଶା ଗୋଟିଏ ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ। ଇସ୍ପାତ ନୀତିରେ ୩୦୦ ମିଲିଅନ୍ ମେଟ୍ରିକ୍ ଟନ୍ ଷ୍ଟିଲ୍‌ ଉତ୍ପାଦନ ହେବା ଲକ୍ଷ୍ୟ ରଖାଯାଇଥିଲା ବେଳେ ସେଥିରୁ କେବଳ ଓଡ଼ିଶାରୁ ୧୦୦ ମିଲିଅନ୍ ମେଟ୍ରିକ୍ ଟନ୍ ଇସ୍ପାତ ଉତ୍ପାଦନ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ଅନୁଧ୍ୟାନ କରାଯାଉଥିଲା ବେଳେ ଆଗାମୀ ଦିନରେ ଓଡ଼ିଶା ପାଇଁ କ’ଣ କରାଯାଇପାରିବ, ସେ ନେଇ ଉଦ୍ୟମ କରାଯିବ। ଆଜିର ସାକ୍ଷାତରେ ଫନି କ୍ଷୟକ୍ଷତି ସମ୍ପର୍କରେ ସରକାରଙ୍କ ଦାବିକୁ ଭାରତ ସରକାର ପୂରା କରିବାର ଦାୟିତ୍ବ ଉପରେ ଆଲୋଚନା ହୋଇଥିଲା। ସେହିପରି ଓଡ଼ିଆ ଲୋକଙ୍କ ସେବାର କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଜସ୍ବ ଦାୟିତ୍ବ ଅଛି। ସେହି ଦାୟିତ୍ବଗୁଡ଼ିକୁ ଯେପରି ଅଧିକ ସମନ୍ବୟ ଆଧାରରେ ପୂରା କରାଯାଇପାରିବ, ସେ ବିଷୟରେ ଆଲୋଚନା କରାଗଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ଷ୍ଟିଲ୍‌ ଅଥରିଟି ଅଫ୍ ଇଣ୍ଡିଆ(ସେଲ୍‌) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ବୈଠକ ପୂର୍ବରୁ ଓଡ଼ିଶା ଭବନରେ ବିଭିନ୍ନ ପ୍ରବାସୀ ଓଡ଼ିଆ ସଂଗଠନ ଦ୍ବାରା ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କିଛି ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଚେକ୍ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର