ନୂଆଦିଲ୍ଲୀ : ପୁଲଓ୍ଵାମାରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପରଠାରୁ ବିବାଦରେ ରହି ଆସିଛନ୍ତି ପୂର୍ବତନ କ୍ରିକେଟର ନବଜୋତ୍ ସିଂହ ସିଦ୍ଧୁ । ଭାରତୀୟ ବାୟୁସେନା ବାଲାକୋଟ୍ରେ ଏୟାର ଷ୍ଟ୍ରାଇକ୍ କରିବା ପରେ ସିଦ୍ଧୁ ଯେଉଁ ବିବାଦୀୟ ବୟାନ ଦେଇଥିଲେ, ତା’କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏମିତି କି ଭାରତବାସୀମାନେ ତାଙ୍କୁ ପାକିସ୍ତାନ ପଠାଇବା ପାଇଁ ଦାବି କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ । ଏ ମଧ୍ୟରେ ନିର୍ବାଚନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କୁ ନେଇ ହେଉଥିବା ବିବାଦ ଥମି ଆସିଥିଲା । କିନ୍ତୁ ଏବେ ପୁଣି ଥରେ ମୋଦିଙ୍କୁ କଟାକ୍ଷ କରି ବିବାଦରେ ଫସିଛନ୍ତି ସିଦ୍ଧୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପରସ୍ପରକୁ ଆଲିଙ୍ଗନ କରୁଥିବାର ଫଟୋ ଟୁଇଟ୍ କରି ସେ ଯାହା ଲେଖିଥିଲେ, ତା’କୁ ନେଇ ବିବାଦ ଆରମ୍ଭ ହୋଇଛି । ଫଟୋ ଟୁଇଟ୍ କରି, "ତୁମ୍ କରୋ ତୋ ନ୍ୟାରି ଲୀଲା, କୋଇ ଔର କରେ ତୋ କ୍ୟାରେକ୍ଟର ଢ଼ିଲା" ବୋଲି ଲେଖିଥିଲେ ସିଦ୍ଧୁ । ସେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରିଥିବା ଟୁଇଟ୍ର ସ୍କ୍ରିନ୍ସଟ୍ ନେଇ ଏ କଥା ଲେଖିଥିବା ଦେଖା ଯାଇଛି । ନେଇଥିବା ସ୍କ୍ରିନ୍ସଟ୍ରେ, ପାକିସ୍ତାନର ନ୍ୟାସ୍ନାଲ ଡେରେ ମୋଦିଜୀ ଇମ୍ରାନ ଖାନ୍ଙ୍କୁ ଶୁଭକାମନା ଦେଇଥିବା ଦେଖା ଯାଇଛି ।
तुम करो तो न्यारी लीला,
कोई और करें तो कैरेक्टर ढीला| pic.twitter.com/JhyUHJoKIA— Navjot Singh Sidhu (@sherryontopp) March 22, 2019
ମୋଦିଜୀ ଟୁଇଟ୍ କରି, "ମୁଁ ପାକ୍ବାସୀଙ୍କୁ ନ୍ୟାସ୍ନାଲ ଡେର ଶୁଭକାମନା ଜଣାଉଛି । ଏବେ ସମୟ ଆସିଛି କି, ମିଶି କରି ଶାନ୍ତି, ବିକାଶ, ସମୃଦ୍ଧି ଏବଂ ଲୋକତନ୍ତ୍ରର ବିକାଶ ପାଇଁ କାମ କରିବା ଦରକାର । ଏମିତି ଏକ ପରିବେଶ ସୃଷ୍ଟି କରିବା ଦରକାର, ଯେଉଁଠି ହିଂସା ଏବଂ ଆତଙ୍କବାଦ ନଥିବ" ବୋଲି ଲେଖିଥିଲେ ବୋଲି ସିଦ୍ଧୁ ନେଇଥିବା ସ୍କ୍ରିନ୍ସଟ୍ରେ ଦେଖା ଯାଇଛି ।