ଉଦ୍ଧାର ପାଇଲେ ଭାରତ ମହାସାଗର ମଧ୍ୟରେ ସାମୁଦ୍ରିକ ଝଡ଼ରେ ଫସି ଯାଇଥିବା ନୌସେନା କମାଣ୍ଡର ଅଭିଳାଷ ଟମି 

ନୂଆଦିଲ୍ଲୀ: ଗୋଲ୍‌ଡେନ୍‌ ଗ୍ଲୋବ୍‌ ରେସ୍‌ ୨୦୧୮ରେ ଅଂଶଗ୍ରହଣ କରିଥିବା ଅବକାଶରେ ଭାରତ ମହାସାଗର ମଧ୍ୟରେ ସାମୁଦ୍ରିକ ଝଡ଼ରେ ଫସି ଯାଇଥିବା ଭାରତୀୟ ନୌସେନାର କମାଣ୍ଡର ଅଭିଳାଷ ଟମିଙ୍କୁ ଆଜି ସଫଳତାର ସହ ଅଶାନ୍ତ ସମୁଦ୍ର ମଧ୍ୟରୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ସୂଚନା ଆଜି ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହ କମାଣ୍ଡର ଟମି ସଚେତନ ଥିବା ଓ ତାଙ୍କ ପଛପଟ ମେରୁଦଣ୍ଡରେ ଆଘାତ ଲାଗିଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଭାରତୀୟ ନୌସେନାର କମାଣ୍ଡର ଅଭିଳାଷ ଟମି ଗୋଲ୍‌ଡେନ୍‌ ଗ୍ଲୋବ୍‌ ରେସ୍‌ ୨୦୧୮ରେ ଅଂଶଗ୍ରହଣ କରି ଦକ୍ଷିଣ ଭାରତ ମହାସାଗର ମଧ୍ୟରେ ଏକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଥୁରାଇ’ ନାମକ ଏକ ନୌକାରେ ନିଜର ନୌଯାତ୍ରା ଆରମ୍ଭ କରିଥିଲେ। ତେବେ, ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଗତ ରବିବାର ଦିନ କମାଣ୍ଡର ଟମି ଭାରତ ମହାସାଗର ମଧ୍ୟରେ ଏକ ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଥିଲେ। ସାମୁଦ୍ରିକ ଝଡ଼ର ପ୍ରକୋପରେ କମାଣ୍ଡର ଟମିଙ୍କ ନୌକା ‘ଥୁରାଇ’ର ୧୪ ଫୁଟ ଉଚ୍ଚତା ବିଶିଷ୍ଟ ପାଲ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯିିବା ସେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ। ତାଙ୍କ ପଛ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ସେ ଅଚଳପ୍ରାୟ ହୋଇ ପଡ଼ିଥିଲେ। ଏଥିସହ ତାଙ୍କ ସହ ସମସ୍ତ ପ୍ରକାରର ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇ ପଡ଼ିଥିଲା।

ତେବେ, ଭାରତ ମହାସାଗରର ଗଭୀର ଜଳରାଶିରେ ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନୌସେନା କମାଣ୍ଡର ଟମିଙ୍କ ନୌକାକୁ ଅଷ୍ଟ୍ରେଲିଆର ଦକ୍ଷିଣ- ପଶ୍ଚିମ ଉପକୂଳ ପର୍ଥ ନିକଟରେ ଗତ ରବିବାର ଦିନ ଠାବ କରିଥିଲା ମରିସସ୍‌ରେ ମୁତୟନ ଥିବା ଭାରତୀୟ ନୌସେନାର ଏକ ବିମାନ। ଏହି ଖବର ପାଇବା ପରେ ଭାରତୀୟ ନୌସେନା ଓ ରୟାଲ ଅଷ୍ଟ୍ରେଲିଆନ୍‌ ଏୟାର ଫୋର୍ସ ପକ୍ଷରୁ ମିଳିତ ଭାବେ କମାଣ୍ଡର ଟମି ଓ ତାଙ୍କ ଦୁର୍ଘଟଣା ଗ୍ରସ୍ତ ନୈକା ଉପରେ ତୀକ୍ଷ୍ଣ ନଜର ରଖା ଯାଇଥିଲା। ଏବଂ ଅଶାନ୍ତ ମଧ୍ୟରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ ହୋଇଥିଲା। ଶେଷରେ ଆଜି ମଧ୍ୟାହ୍ନରେ ଫ୍ରାନ୍ସର ଏକ ଜଳ ଜାହଜ ଓରିସିସ୍‌ ଦକ୍ଷିଣ ଭାରତ ମହାସାଗରର ଅଶାନ୍ତ ସମୁଦ୍ର ମଧ୍ୟରୁ ସଫଳତା ପୂର୍ବକ ୩୯ ବର୍ଷ ବୟସ୍କ ଭାରତୀୟ ନୌସେନା କମାଣ୍ଡର ଅଭିଳାଷ ଟମିଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିବାରେ ସମର୍ଥ ହୋଇଥିବା ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସତାରମଣ।

ସମ୍ବନ୍ଧିତ ଖବର