ଲିଙ୍ଗ ପରିବର୍ତ୍ତନ କରି ଚାକିରି ହରାଇଲେ ନୌସେନା ନାବିକ

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ନାବିକ ଭାବେ କାର୍ଯ୍ୟ କରୁଥିବା ମନୀଷ ଗିରି ନାମକ ଜଣେ ନାବିକଙ୍କୁ ସୈନ୍ୟବାହିନୀ ଚାକିରିରୁ ବାହାର କରିଦେଇଛି। ଶ୍ରୀ ଗିରି ଲିଙ୍ଗ ପରିବର୍ତ୍ତନ କରି ପୁରୁଷରୁ ମହିଳା ହୋଇଥିବାରୁ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। କୁହାଯାଇଛି ୭ ବର୍ଷ ତଳେ ଗିରି ନୌସେନାରେ ଯୋଗ ଦେବା ବେଳେ ଜଣେ ଭାରତୀୟ ପୁରୁଷ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ପଦବିରେ ନିଯୁକ୍ତି ପାଇଥିଲେ। ମାତ୍ର ସେ ଲିଙ୍ଗ ପରିବର୍ତ୍ତନ କରି ନୌସେନାରେ ଭର୍ତ୍ତି ନିୟମର ଉଲଂଘନ କରିଥିବାରୁ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି।
ଗତବର୍ଷ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ଅସ୍ତ୍ରୋପଚାର କରିଥିବା ଗିରି ତାଙ୍କ ବାଳ ବଢ଼ାଇବା ସହିତ ଶାଢ଼ୀ ପିନ୍ଧୁଛନ୍ତି ଓ ନିଜକୁ ସାବି ନାମରେ ମଧ୍ୟ ପରିଚୟ ଦେଉଛନ୍ତି। ତେବେ ଚାକିରିରୁ ବାହାର କରି ଦିଆଯିବା ପରେ ମନୀଶ କହିଛନ୍ତି ଯେ ସେ ନ୍ୟାୟ ପାଇଁ ନିଶ୍ଚିତ ଲଢ଼ିବେ।ଏଥିପାଇଁ ସେ କୋର୍ଟର ଦ୍ୱାରସ୍ଥ ହେବେ। ମୁଁ ମୋ ଦେଶ ପାଇଁ ସାତ ବର୍ଷ ସେବା କରିଛି। ମୁଁ ମୋ କାର୍ଯ୍ୟ ଠିକ୍‌ ଭାବେ ସମ୍ପାଦନ କରିଛି। ତେଣୁ ମୋତେ ଚାକିରିରୁ ବାହାର କାହିଁକି କରିଦିଆଗଲା। କେବଳ ମୁଁ ଲିଙ୍ଗ ପରିବର୍ତ୍ତନ କଲି ବୋଲି ମୋତେ କଣ ଚାକିରିରୁ ବାହାର କରି ଦିଆଯିବ ବୋଲି ମନୀଷ ପ୍ରଶ୍ନ କରିବା ସହିତ ମୁଁ ଚୋର କିମ୍ବା ଆତଙ୍କବାଦୀ ନୁହେଁ ବୋଲି କହିଛନ୍ତି।
ଏହି ଘଟଣା ପରେ ଭାରତୀୟ ନୈସେନା ତାଙ୍କୁ ମାନସିକ ରୋଗୀଙ୍କ ଓ୍ଵାର୍ଡରେ ୬ ମାସ ପାଇଁ ଜୋର ଜବରଦସ୍ତ ରଖିଥିବା ନେଇ ଦାବି କରୁଥିବା ମନୀଷ କହିଛନ୍ତି ମୁଁ ଲିଙ୍ଗ ପରିବର୍ତ୍ତନ କରିବା ପରେ କ’ଣ ଜଣେ କିନ୍ନର ହୋଇଛି କି? ମୋତେ ଚାକିରିରୁ ବାହାର କରିଦିଆଯିବା ଓ ମାନସିକ ରୋଗୀଙ୍କ ଓ୍ଵାର୍ଡରେ ରଖାଯିବା ନିର୍ଯାତନା ଓ ମୋ ମୌଳିକ ଅଧିକାର ଉଲଂଘନ ବୋଲି ମନୀଷ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ ୧୯୯୦ ମସିହାରୁ ସେନାବାହିନୀରେ ନିର୍ଦ୍ଦିଷ୍ଟ କେତେକ ପଦବିରେ ମହିଳାଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ ହେବା ପରେ ଭାରତୀୟ ସେନାବାହିନୀରେ ଏପରି ଜଣେ ସୈନିକ ଲିଙ୍ଗ ପରିବର୍ତ୍ତନ କରିବା ଘଟଣା ପ୍ରଥମ। ତେବେ ନୌସେନାରେ ନାବିକ ଭାବେ ନିଯୁକ୍ତି ପାଇଁ ପୁରୁଷ ହେବା ଜରୁରି ବୋଲି ବ୍ୟବସ୍ଥା ରହିଛି। ଏପରିକି କିନ୍ନରମାନଙ୍କୁ ଭାରତୀୟ ସେନାରେ ନିଯୁକ୍ତି ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଗତ ଶୁକ୍ରବାର ଦିନ ମନୀଷଙ୍କୁ ତାଙ୍କ ଚାକିରିରୁ ବହିଷ୍କାର ଚିଠି ପ୍ରଦାନ କରାଯାଇଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରଣାଳୟର ମଞ୍ଜୁରି ମିଳିବା ପରେ ନୌସେନା ନିୟମ ଅନୁଯାୟୀ, ତାଙ୍କ ସେବାର ଆବଶ୍ୟକତା ନ ଥିବା ଦର୍ଶାଇ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି।
ନୌସେନାର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ପ୍ରାୟ ୭ ବର୍ଷ ତଳେ ନୌସେନାର ମେକାନିକାଲ ଇଞ୍ଜିନିୟରିଂ ବିଭାଗରେ ନିଯୁକ୍ତି ପାଇବା ପରେ ମନୀଷ ବିବାହ କରିଥିଲେ ଓ ଓ ତାଙ୍କର ଏକ ଛୁଆ ମଧ୍ୟ ରହିଛି। ତେବେ ୧୫ ବର୍ଷ ସୈନ୍ୟବାହିନୀରେ କାର୍ଯ୍ୟ କରିଲେ ପେନସନ ମିଳିବାର ବ୍ୟବସ୍ଥା ଥିବାରୁ ଏବେ ମନୀଷ କୌଣସି ପେନସନ ମଧ୍ୟ ପାଇବେ ନାହିଁ।
ସୂଚନାଯୋଗ୍ୟ ଯେ ମନୀଷ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ମନୀଷ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରିଥିଲେ। ଏକ ପୁରୁଷ ଶରୀର ଭିତରେ ସେ ଜଣେ ନାରୀ ବୋଲି ଅନୁଭବ କରିବାରୁ ମନୀଷ ଏହି ପଦକ୍ଷେପ ନେଇଥିଲେ।ନୌସେନାର ଜଣେ ଅଫିସର କହିଛନ୍ତି ଯେ ନୌସେନାରେ ଏପରି କିନ୍ନରଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ନାହିଁ। ମନୀଷଙ୍କ ପ୍ରସଙ୍ଗ ଭିନ୍ନ ହୋଇଥିବାରୁ ଏ ନେଇ ବହୁ ବିଚାର ବିମର୍ଷ କରାଯାଇଥିଲା।ଶେଷର ମନୀଷଙ୍କୁ ନୌସେନାରେ ନାବିକ ଭାବେ ନିଯୁକ୍ତି ବା କାର୍ଯ୍ୟ କରିବାକୁ ଦିଆଯାଇ ପାରିବ ନାହିଁଁ ବୋଲି ନିଷ୍ପତ୍ତି ହେବା ପରେ ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଜଣାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର