ଭାରତ ମହାସାଗରରେ ଭାସୁଥିବା ଆହତ ଅଧିକାରୀ ଅଭିଳାଷ ଟମିଙ୍କୁ ଉଦ୍ଧାର କରିବାକୁ ଯୁଦ୍ଧପୋତ ପଠାଇଲା ନୌସେନା

ନୂଆଦିଲ୍ଲୀ: ସାଙ୍ଘାତିକ ଆହତ ହୋଇ ଏକ ଡଙ୍ଗାରେ ଦକ୍ଷିଣ ଭାରତ ମହାସାଗରରେ ଢେଉ ସହ ସଂଗ୍ରାମ କରୁଥିବା ନୌସେନା ଅଧିକାରୀ ଅଭିଳାଷ ଟମିଙ୍କୁ ଉଦ୍ଧାର କରିବାକୁ ଭାରତୀୟ ନୌସେନା ତା’ର ଗୁପ୍ତ ଯୁଦ୍ଧପୋତ ଆଇଏନ୍‌ଏସ୍‌ ସତ୍‌ପୁରକୁ ପଠାଇଛି।

ଭାରତୀୟ ନୌସେନାର କମାଣ୍ଡର୍‌ ଥିବା ୩୯ ବର୍ଷିୟ ଅଭିଳାଷ ଟମି ସମ୍ପ୍ରତି ୨୦୧୮ ଗୋଲ୍‌ଡେନ୍‌ ଗ୍ଲୋବ୍‌ ରେସ୍‌ରେ ଅଂଶଗ୍ରହଣ କରୁଛନ୍ତି। ଏଥିରେ ୩୦, ୦୦୦ ମାଇଲ୍‌ ଏକାକୀ ବିଶ୍ୱ ପରିକ୍ରମା କରିବା ଭଳି କଷ୍ଟକର କାର୍ଯ୍ୟ ଅନ୍ତର୍ଭୁକ୍ତ। କାର୍ତ୍ତିକ ଚକ୍ର ପ୍ରାପ୍ତ ଅଭିଳାଷ ହେଉଛନ୍ତି ଭାରତର ଜଣେ ପ୍ରମୁଖ ନାବିକ।

ତାଙ୍କ ନୌକାଟି ଖରାପ ପାଗ କବଳିତ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ସେ ଅସୁବିଧାରେ ପଡ଼ିଥିବା ସଂକେତ ପଠାଇଛନ୍ତି। ସେ ଜଣାଇଛନ୍ତି ଯେ ତାଙ୍କ ନୌକାର ମାସ୍ତୁଲ ଭାଙ୍ଗି ଯାଇଛି। ତାଙ୍କ ପିଠିରେ ଆଘାତ ଲାଗିଥିବାରୁ ସେ ଉଠି ପାରୁ ନାହାନ୍ତି। ଅଷ୍ଟ୍ରେଲିଆର ପର୍ଥ ଠାରୁ ସେ ପ୍ରାୟ ୧୯୦୦ ନଟିକାଲ୍‌ ମାଇଲ୍‌ ଦୂର ସମୁଦ୍ରରେ ଭାସି ବୁଲୁଛନ୍ତି।

ଭାରତୀୟ ନୌସେନାର ମୁଖପାତ୍ର ଟୁଇଟ୍‌ କରିଛନ୍ତି ଯେ ଅଭିଳାଷଙ୍କୁ ଉଦ୍ଧାର କରିବାକୁ ଆଇଏନ୍‌ଏସ୍‌ ସତ୍‌ପୁରାକୁ ପ୍ରେରଣ କରାଯାଇଛି। ଅଭିଳାଷ ସାଂଘାତିକ ଆହତ ହୋଇଛନ୍ତି। ଡଙ୍ଗା ମଧ୍ୟରେ ସେ ନିରାପଦ ଅଛନ୍ତି ଏବଂ ତାଙ୍କ ଟ୍ରାକ୍‌ର୍‌ କାମ କରୁଛି।

ସମ୍ବନ୍ଧିତ ଖବର