ମଝି ଦରିଆରେ କମାଣ୍ଡେ ଅପରେସନ୍‌: ଜଳଦସ୍ୟୁଙ୍କ କବଳରୁ ବର୍ତ୍ତିଲା ମାଲବାହୀ ଜାହାଜ

ନୂଆଦିଲ୍ଲୀ: ମାଲବାହୀ ଜାହାଜ ‘ଏମ୍‌ ଭି ଜଗ ମର’ ଉପରେ ଆକ୍ରମଣ ଚାଲିଥିବା ବେଳେ ଭାରତୀୟ ଜଳସେନାର ଯୁଦ୍ଧ ଜାହାଜ ‘ତ୍ରିଶୁଳ’ ଘଟଣା ସ୍ଥଳରେ ପହଞ୍ଚି ଜାହାଜ ଓ ଜଳସେନାର ୨୬ଜଣ କର୍ମଚାରୀଙ୍କୁ ଶୁକ୍ରବାର ମୃତ୍ୟୁ ମୁଖରୁ ବଞ୍ଚାଇ ଥିବା ଜଣାପଡ଼ିଛି। ମାଲବାହୀ ଜାହାଜ ଉପରକୁ ହେଉଥିବା ଆକ୍ରମଣ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଭାରତୀୟ ଜଳସେନାର ଯୁଦ୍ଧ ଜାହାଜ ଓ ସେନାର ହେଲିକପ୍ଟର ଆଡେନର ଗଲ୍ଫ ଦେଶର ବିଶାଳ ଜଳ ଭୂଖଣ୍ଡରେ ପହଞ୍ଚି ଥିିଲା।

ମାଲବାହୀ ଜାହାଜର କର୍ମଚାରୀମାନଙ୍କ ଠାରୁ ସୂଚନା ମିଳିବା ପରେ ୪୦୦୦ଟନ୍‌ କ୍ଷମତା ଯୁକ୍ତ ‘ତ୍ରିଶୁଳ’ ସମୁଦ୍ର ଭିତରକୁ କାଳ ବିଳମ୍ବ ନ କରି ଘଟଣାସ୍ଥଳକୁ ପହଞ୍ଚି ଥିଲା। ସେତେବେଳକୁ ଭାରତୀୟ ସମୟ ଅପରାହ୍ନ ୧୨ଟା ୩୦ ହୋଇଥିଲା। ୮୨ହଜାର ଟନର ମାଲବାହୀ ଜାହାଜ ଉପରକୁ ଜଳଦସ୍ୟୁମାନେ ଆକ୍ରମଣ କରୁଥିଲେ। ପ୍ରାୟ ୧୨ଜଣରୁ ଅଧିକ ଜଳଦସ୍ୟୁଙ୍କ ଠାରୁ ଏକେ-୪୭, ୨୭ ରାଉଣ୍ଡ ଗୁଳି, ପତ୍ରିକା ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି।

ସୂଚନାଯୋଗ୍ୟ ଆଫ୍ରିକାର ପୂର୍ବ ଉପକୂଳରେ ବାରମ୍ବାର ଜଳଦସ୍ୟୁ ଗତିବିଧି ଦେଖାଯାଉଛି। ଅନ୍ତର୍ଜାତୀୟ ସ୍ତରରେ ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲେ ସୁଦ୍ଧା ଆରବ ସାଗରର ଗଭୀର ଜଳରେ ଜଳଦସ୍ୟୁମାନେ ବାରମ୍ବାର ମାଲବାହୀ ଜାହାଜ ଓ ତୈଳ ଟ୍ୟାଙ୍କରକୁ ଆକ୍ରମଣ କରୁଛନ୍ତି। ଅନ୍ୟ ରାଷ୍ଟ୍ର ଭଳି ଭାରତ ମଧ୍ୟ ଆଡେନର ଗଲ୍ଫରେ ଯୁଦ୍ଧ ଜାହାଜ ମୁତୟନ କରିଛି। ୨୦୦୮ ପରେ ମାଲବାହୀ ଜାହାଜ ଗୁଡ଼ିକ ବାରମ୍ବାର ଆକ୍ରମଣର ଶିକାର ହୋଇଛନ୍ତି।

ସମ୍ବନ୍ଧିତ ଖବର