ଇସ୍ଲାମାବାଦ : ପାକିସ୍ତାନରେ ଏବେ ଏକ ଅଜବ ଦୁର୍ନୀତିର ତଦନ୍ତ ଚାଲିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ କୁଆଡେ ନିଜ ପଦର ଦୁରୁପଯୋଗ କରି ବେଆଇନ ଭାବେ ଭାରତକୁ ୪.୯ ବିଲିୟନ ଡଲାର ପଠାଇ ଦେଇଛନ୍ତି ଓ ଏହା ଦ୍ୱାରା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ବଢିଯାଇଛି ଓ ପାକିସ୍ତାନ ଗରିବ ହୋଇଯାଇଛି । ଏବେ ଏହାର ତଦନ୍ତ ପାକିସ୍ତାନର ସର୍ବୋଚ୍ଚ ଦୁର୍ନୀତି ନିବାରଣ ସଂସ୍ଥା ନ୍ୟାସନାଲ ଆକାଉଣ୍ଟିବିଲିଟି ବ୍ୟୁରୋ (ଏନଏବି) କରୁଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପାକିସ୍ତାନର କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ସରିଫ ପ୍ରଧାନମନ୍ତ୍ରୀ ଥିବାବେଳେ ବେଆଇନ ଭାବେ ମନ ଲଣ୍ଡରିଂ କରି ପ୍ରାୟ ୪.୯ ବିଲିୟନ ଡଲାର ଭାରତରେ ରଖିଛନ୍ତି । ଏହି ଟଙ୍କା ଆସିବା ପରେ କୁଆଡେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ବଢିଯାଇଥିଲା ଓ ପାକିସ୍ତାନରେ ଆର୍ଥିକ ସଂକଟ ସୃଷ୍ଟି ହୋଇଥିଲା । ଉକ୍ତ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଶ୍ୱ ବ୍ୟାଙ୍କର ମାଇଗ୍ରୋସନ ଓ ରେମିଟାନ୍ସ ରିପୋର୍ଟ ରେ ମଧ୍ୟ ଏହାକୁ ସ୍ୱୀକାର କରାଯାଇଛି ।
ତେବେ ପାକିସ୍ତାନରୁ ଡଲାର ଆସିବା ପରେ ଭାରତର ମୁଦ୍ରା ଭଣ୍ଡାର ବଢିଯାଇଥିବା ଅଭିଯୋଗ ଅତ୍ୟନ୍ତ ହାସ୍ୟାସ୍ପଦ ହୋଇଥିବାବେଳେ ଏହା ମଧ୍ୟ ସତ ଯେ ସାରା ବିଶ୍ୱରେ ସରିଫଙ୍କର ପରିବାରର ବିଭିନ୍ନ ବ୍ୟବସାୟ ରହିଛି । ଏହା ମଧ୍ୟରେ ଷ୍ଟିଲ ପ୍ଲାଣ୍ଟ ଅନ୍ୟତମ । ଦୁବାଇ ଓ ଲଣ୍ଡନରେ ମଧ୍ୟ ତାଙ୍କର ବ୍ୟବସାୟ ରହିଛି । ଭାରତରେ ଥିବା କେତେକ ଶିଳ୍ପ ସଂସ୍ଥାରେ ତାଙ୍କ ନିବେଶ ରହିଥିବା ମଧ୍ୟ ସଂଦେହ କରାଯାଉଛି ।