ଓଡ଼ିଶା ସୀମାନ୍ତ ଦାନ୍ତେଓ୍ଵାଡ଼ାରେ ବିସ୍ଫୋରଣ କରି ପୁଲିସ୍‌ ଭ୍ୟାନ୍‌ ଉଡ଼ାଇଲେ ନକ୍ସଲ, ୬ ଜବାନ ଶହୀଦ୍‌

ଦାନ୍ତେଓ୍ଵାଡ଼ା (ଛତିଶଗଡ଼): ଓଡ଼ିଶା ସୀମାନ୍ତ ଛତିଶଗଡ଼ ଦାନ୍ତେଓ୍ଵାଡ଼ା ଜିଲ୍ଲା ଚୋଲନାର ଗ୍ରାମରେ ଆଜି (ରବିବାର) ଅପରାହ୍ନରେ ଏକ ବଡ଼ ଧରଣର ନକ୍ସଲ ହାମ୍‌ଲା ଘଟିଯାଇଛି। ସୁରକ୍ଷା କର୍ମୀମାନେ ଏକ କମ୍ବିଂ ଅପରେସନ୍‌ରେ ଯାଉଥିବା ବେଳେ ଜଙ୍ଗଲ ମଧ୍ୟରେ ଆତ୍ମଗୋପନ କରି ରହିଥିବା ନକ୍ସଲଙ୍କ ଅତର୍କିତ ସଶସ୍ତ୍ର ଆକ୍ରମଣରେ ୬ ଜଣ ଜବାନ ଶହୀଦ ହୋଇଥିବା ବେଳେ ଜଣେ ଜବାନ ଗୁରୁତର ଭାବେ ଆହତ ହୋଇଛନ୍ତି।

ନକ୍ସଲମାନଙ୍କ ଏହି ଆକ୍ରମଣରେ ସୁରକ୍ଷା କର୍ମୀଙ୍କୁ କମ୍ବିଂ ଅପରେସନ୍‌ ପାଇଁ ଯାଉଥିବା ଏକ ପୁଲିସ୍‌ ଭ୍ୟାନ୍‌ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ଛତିଶଗଡ଼ର ନକ୍ସଲ ବିରୋଧୀ ଅପରେସନ୍‌ ଡିଆଇଜି ସୁନ୍ଦର ରାଜ୍‌ ପି ଗଣମାଧ୍ୟମକୁ କହିଛନ୍ତି ଯେ ସୁରକ୍ଷା କର୍ମୀମାନେ ଏକ କମ୍ବିଂ ଅପରେସନ୍‌ ପାଇଁ ଏକ ଭ୍ୟାନ୍‌ରେ ଯାଉଥିବା ବେଳେ ନକ୍ସଲମାନେ ଦାନ୍ତେଓ୍ଵାଡ଼ାର ଚୋଲନାର ଜଙ୍ଗଲ ମଧ୍ୟରେ ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଭ୍ୟାନ୍‌ ଉପରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟାଇଥିଲେ। ଫଳରେ ୬ ଜଣ ଜବାନ ଶହୀଦ ହୋଇଥିବା ବେଳେ ଜଣେ ଜବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ସଂପର୍କରେ ଖବର ମିଳିବା ମାତ୍ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍‌ ବାହିନୀର ଏକ ସ୍ୱତନ୍ତ୍ର ଦଳ ଯାଇ ଘଟଣାସ୍ଥଳରେ ପହଞ୍ଚିବା ସହ ସର୍ଚ୍ଚ ଓ କମ୍ବିଂ ଅପରେସନ୍‌କୁ ଜୋରଦାର କରିଛନ୍ତି।

ସବିଶେଷ ବିବରଣୀକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର