ଆନ୍ଧ୍ର ପୁଣି ନିରାଶ:ନାଇଡ଼ୁ

ନୂଆଦିଲ୍ଲୀ: ଲୋକସଭାରେ ଆଜି ଟିଡିପି ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇବା ସାରା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏ ନେଇ ନୈରାଶ୍ୟ ପ୍ରକଟ କରିଛନ୍ତି। ତେବେ ଆନ୍ଧ୍ର ପ୍ରଦେଶ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହାସଲ ପାଇଁ ସଂଗ୍ରାମ ଜାରି ରଖିବ ବୋଲି ନାଇଡ଼ୁ କହିଛନ୍ତି। ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ଅଛି, ସେଥିପାଇଁ ସେମାନେ ନୀତିକୁ ମୋଡ଼ି ମକଚି ଦେଇଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଆମକୁ ସେ ଅହଂକାରୀ କହୁଛନ୍ତି। ବାସ୍ତବରେ ସେ ହିଁ ଅହଂକାରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ସେ ଏହା କହିଛନ୍ତି। ଏକ ଆଞ୍ଚଳିକ ଦଳ ତରଫରୁ ଆଗତ କରାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବା ପାଇଁ ପ୍ରଥମ ଥର ସବୁ ଦଳ ଏକତ୍ରୀତ ହୋଇଛନ୍ତି ବୋଲି ସେ କହିଛନ୍ତି। ଆମର ନିରନ୍ତର ଲଢ଼େଇର ଅଂଶ ସ୍ୱରୂପ ଆମେ ଅନାସ୍ଥା ପ୍ରସ୍ତାବ ଆଣିଥିଲୁ। ବିଗତ ଚାରି ବର୍ଷ ଭିତରେ ମୁଁ ୨୯ ଥର ଦିଲ୍ଲୀ ଯାଇଛି। ଆନ୍ଧ୍ର ପ୍ରତି ନ୍ୟାୟ କରିବା ବଦଳରେ ସେ ମୋ ଉପରେ ରାଜନୈତିକ ଆକ୍ରମଣ କରିଛନ୍ତି। ଆମ ପାଖରେ ସଂଖ୍ୟା ନଥିବାରୁ କେନ୍ଦ୍ର ଆମ ପ୍ରତି ନଗଣ୍ୟ ମନୋଭାବ ପୋଷଣ କରିଛି ବୋଲି ସେ କହିଛନ୍ତି। ୨୦୧୪ରେ ବିଭାଜନ ହେବା ପରେ ଆନ୍ଧ୍ର ଯେଉଁ ସମସ୍ୟା ସାମ୍ନା କରୁଛି ତାହାର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୌଣସି ପ୍ରତିଶ୍ରୁତି ନଦେବା ଦୁର୍ଭାଗ୍ୟଜନକ ବୋଲି ନାଇଡୁ କହିଛନ୍ତି। ରାଜ୍ୟର ୫ କୋଟି ଲୋକ ଭାବିଥିଲେ କେନ୍ଦ୍ର ସରକାର ନିଜ ଭୁଲକୁ ସୁଧାରିବେ। କିନ୍ତୁ ସବୁ ଆଶା ପାଣିରେ ମିଳେଇଗଲା। ପ୍ରଧାନମନ୍ତ୍ରୀ ଯେଭଳି କଥା କହିଲେ ତାହା ଆମ ରାଜ୍ୟକୁ ତାତ୍ସଲ୍ୟ କରିବା ଭଳି ବୋଲି ସେ କହିଛନ୍ତି। ନିଜର ହକ୍‌ ପାଇବା ଭଳି ଅନାସ୍ଥା ପ୍ରସ୍ତାବ ଏକ ଛୋଟିଆ ଅସ୍ତ୍ର ଥିଲା। ଆମର ଏହି ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି। ବିଭିନ୍ନ ଦଳର ନେତାଙ୍କ ସହିତ ଆଲୋଚନା କରିବା ପାଇଁ ଆସନ୍ତାକାଲି ଦିଲ୍ଲୀ ଯିବେ ବୋଲି ନାଇଡୁ କହିଛନ୍ତି।

ସମ୍ବନ୍ଧିତ ଖବର