ଏନ୍‌ସିଆର୍‌ବି ଜେଲ୍ ପରିସଂଖ୍ୟାନ ରିପୋର୍ଟ : ଜେଲ୍‌ରେ ମାନସିକ ରୋଗୀ କଏଦୀଙ୍କ ସଂଖ୍ୟାରେ ଓଡ଼ିଶା ଦେଶରେ ଦ୍ୱିତୀୟ

ନୂଆଦିଲ୍ଲୀ : ଏନ୍‌ସିଆର୍‌ବି ଜେଲ୍‌ ପରିସଂଖ୍ୟାନ ରିପୋର୍ଟ ଅନୁସାରେ ଓଡ଼ିଶାର ଜେଲମାନଙ୍କରେ ମାନସିକ ରୋଗୀ କଏଦୀଙ୍କ ସଂଖ୍ୟା ୭୮୭ ବୋଲି ଜଣାପଡ଼ିଛି। ମାନସିକ ରୋଗୀ କଏଦୀଙ୍କ ସଂଖ୍ୟାରେ ଓଡ଼ିଶା ସମଗ୍ର ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଉତ୍ତରପ୍ରଦେଶ। ଉତ୍ତର ପ୍ରଦେଶର ଜେଲ୍‌ମାନଙ୍କରେ ୧୧୫୬ ଜଣ ମାନସିକ ରୋଗୀ କଏଦୀ ଅଛନ୍ତି।

ଏନ୍‌ସିଆର୍‌ବିର ଜେଲ୍ ପରିସଂଖ୍ୟାନ-୨୦୧୭ ରିପୋର୍ଟ ଅନୁସାରେ, ୧ ଜାନୁଆରି ୨୦୧୭ରୁ ୩୧ ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜେଲ୍ ମାନଙ୍କରେ ମାନସିକ ରୋଗୀ କଏଦୀଙ୍କ ସଂଖ୍ୟା ୬୪୯୭ ରହିଛି। ସେଥିମଧ୍ୟରୁ ଦୋଷୀ କଏଦୀଙ୍କ ସଂଖ୍ୟା ୩୩୩୯ ଓ ବିଚାରାଧୀନ କଏଦୀଙ୍କ ସଂଖ୍ୟା ୩୦୯୬ । ଓଡ଼ିଶାରେ ୨୦୧୭ରେ ୪୧୨ ଦୋଷୀ କଏଦୀ ଓ ୩୭୫ ଜଣ ବିଚାରାଧୀନ କଏଦୀ ମାନସିକ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି। ହେଲେ ୨୦୧୬ ତୁଳନାରେ ୨୦୧୭ରେ ଜେଲ୍‌ରେ ଥିବା ମାନସିକ ରୋଗୀ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୬ରେ ଏହି ସଂଖ୍ୟା ୬୦୧୩ ଥିବାବେଳେ ୨୦୧୭ରେ ଏହି ସଂଖ୍ୟା ୬୪୯୭କୁ ବୃଦ୍ଧି ପାଇଛି। ୨୦୧୬ରେ ଓଡ଼ିଶାର ଜେଲ୍‌ରେ ସମୁଦାୟ ୮୩୫ ମାନସିକ ରୋଗୀ କଏଦୀ ଥିଲେ ଯାହା ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ଥିଲା। ଦୋଷୀ କଏଦୀଙ୍କ ସଂଖ୍ୟା ୪୩୧ ଓ ବିଚାରାଧୀନ କଏଦିଙ୍କ ସଂଖ୍ୟା ୪୦୪ ଥିଲା । କିନ୍ତୁ ସଦ୍ୟ ରିପୋର୍ଟ ଅନୁସାରେ ଓଡ଼ିଶାରେ ୭୮୭ ମାନସିକ ରୋଗୀ କଏଦୀ ସହ ଦ୍ବିତୀୟ ସ୍ଥାନକୁ ଆସିଯାଇଥିବା ବେଳେ ୨୦୧୬ ଉତ୍ତର ପ୍ରଦେଶ ୭୫୭ ମାନସିକ ରୋଗୀ କଏଦିଙ୍କ ସହ ଦ୍ବିତୀୟ ସ୍ଥାନ ଥିବା ବେଳେ ଏଥର ପ୍ରଥମ ସ୍ଥାନକୁ ୧୧୫୬ ସଂଖ୍ୟା ସହ ଆସିଯାଇଛି। ଜେଲ୍ ଷ୍ଟାଟିଷ୍ଟିକ୍ସ ଇଣ୍ଡିଆ-୨୦୧୭ ରିପୋର୍ଟ ଜାତୀୟ ଅପରାଧ ନଥି ବ୍ୟୁରୋ ଦ୍ବାରା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କରୁ ହାସଲ କରାଯାଇଥିବା ସୂଚନା ଅନୁସାରେ ପ୍ରସ୍ତୁତ କରାଯାଇଛି। ରିପୋର୍ଟରେ ୨୦୧୭ରେ ଓଡ଼ିଶାର ବିଭିନ୍ନ ଜେଲ୍ ରେ ୪୨ ଜଣ କଏଦି ସ୍ବଭାବିକ କାରଣ ଜନିତ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣଙ୍କ ଅପ୍ରାକୃତିକ କାରଣରୁ ମୃତ୍ୟୁ ଘଟିଥିବାର ଉଲ୍ଲେଖ ଅଛି। ଅପରପକ୍ଷେ ୨୦୧୬ ରେ ସ୍ବଭାବିକ କାରଣରୁ ୩୮ ଜଣଙ୍କର ଓ ଅପ୍ରାକୃତିକ କାରଣରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୭ରେ ରିପୋର୍ଟର ତଥ୍ୟ ଅନୁସାରେ ଓଡ଼ିଶାର କଏଦି ମାନଙ୍କୁ ୫୪୩୦ ଥର ଜେଲ୍ ରୁ ହସପିଟାଲ ନିଆଯାଇଥିଲା। ୨୦୧୬ରେ ଏହି ସଂଖ୍ୟା ଥିଲା ୩୯୨୭। ଜେଲ୍ ରୁ କୋର୍ଟକୁ କଏଦି ମାନଙ୍କୁ ୨୦୧୭ ରେ ୩୮୬୬୭ ଥର ନିଆଯାଇଥିବା ବେଳେ ୨୦୧୬ରେ ୩୯୮୮୭ ଥର ନିଆଯାଇଥିଲା। ୨୦୧୭ ରେ ଓଡ଼ିଶା ଜେଲ୍ ରୁ ୮ ଜଣ କଏଦି ଚମ୍ପଟ ମାରିଥିବା ବେଳେ ୨୦୧୬ ଏହି ସଂଖ୍ୟା ୧୫ ଥିଲା।

ତଥ୍ୟ ଅନୁସାରେ ୨୦୧୭ରେ ଓଡ଼ିଶାର ବିଭିନ୍ନ ଜେଲ୍ ରେ ହତ୍ୟା ମାମଲାରେ ୨୧୫୬, ଯୌତୁକ ହତ୍ୟା ମାମଲାରେ ୧୦୦, ବଳାତ୍କର ମାମଲାରେ ୪୮୦, ଅପହରଣ ମାମଲାରେ ୧୪, ଡକାୟତ ମାମଲାରେ ୬୧, ଠକେଇ ମାମଲାରେ ୨୩ ଜଣ କଏଦୀ ଥିବାର ଉଲ୍ଲେଖ ଅଛି। ୨୦୧୬ ତୂଳନାରେ ଏହି ସବୁ ମାମଲାର ସଂଖ୍ୟା ବୃଦ୍ଧି ହୋଇଛି। ୨୦୧୭ରେ ୨୨୧୪ ଜଣ ଦୋଷୀ ଆଜୀବନ କାରାବାସରେ ଦଣ୍ଡିତ ହୋଇଥିବା ବେଳେ ୨୦୧୬ ତୂଳନାରେ ଏହି ମାମଲାର ସଂଖ୍ୟା ବୃଦ୍ଧି ହୋଇଛି। ୨୦୧୭ ରିପୋର୍ଟରେ ଓଡ଼ିଶାର ଜେଲ୍ ରେ ୧୧୩ ଜଣ ବିଚରାଧିନ କଏଦି ୫ ବର୍ଷରୁ ଉର୍ଦ୍ଧ୍ବ ଜେଲ୍ ରେ ରହିଥିବା ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଓଡ଼ିଶାର ଜେଲ୍ ମାନଙ୍କରେ ୧୦୯୦୪ ବିଚରାଧୀନ କଏଦୀ ରହିଥିବା ବେଳେ ଏଥିମଧ୍ୟରୁ ଅନ୍ୟ ରାଜ୍ୟର ୧୧୨ ଜଣ ଓ ୬ ଜଣ ବିଦେଶୀ କଏଦି ଅଛନ୍ତି। ୨୦୧୭ରେ ୫୨୮ ଜଣ କଏଦି ଦଣ୍ଡାଦେଶ ଅବଧି ପୁରିବା ପରେ ଖଲାସ ହୋଇଥିଲେ ବୋଲି ରୋପୋର୍ଟରେ କୁହାଯାଇଛି।

୨୦୧୭ରେ ଓଡ଼ିଶାର ୯୧ଟି ଜେଲରେ ୩୯୭୦ ଦୋଷୀ କଏଦୀ ଥିବା ବେଳେ, ବିଚରାଧୀନ କଏଦୀମାନଙ୍କ ସଂଖ୍ୟା ୧୧୫୫୩ ରହିଥିବାର ରିପୋର୍ଟରେ ଦର୍ଶାଯାଇଛି। ଓଡ଼ିଶାର ସମସ୍ତ ଜେଲ୍ରେ କଏଦୀମାନଙ୍କର ରହଣି କ୍ଷମତା ୧୮୦୧୨ ଜଣ ଥିବା ବେଳେ କଏଦୀମାନଙ୍କର ସଂଖ୍ୟା ୨୦୧୭ରେ ୧୫୨୨୩ ରହିଛି।

ସମ୍ବନ୍ଧିତ ଖବର