ଅମିତ ଶାହଙ୍କ ପ୍ରାର୍ଥିପତ୍ର ଦାଖଲ, ଏନ୍‌ଡିଏର ଶକ୍ତି ପ୍ରଦର୍ଶନ

ଗାନ୍ଧୀନଗର: ବିଜେପି ସଭାପତି ଅମିତ ଶାହ ଆଜି ଗୁଜରାଟର ଗାନ୍ଧୀନଗର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏନ୍‌ଡିଏ ଶକ୍ତି ପ୍ରଦର୍ଶନ କରିବା ସହ ନିର୍ବାଚନ ପୂର୍ବରୁ ମେଣ୍ଟ ନେତାମାନେ ଗୋଟିଏ ମଂଚରେ ଏକାଠି ହୋଇଛନ୍ତି। ଏନ୍‌ଡିଏର ରୋଡ୍‌ ସୋ ଏବଂ ଜନସଭାରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ, ଶିରୋମଣି ଅକାଳି ଦଳ ମୁଖ୍ୟ ପ୍ରକାଶ ସିଂହ ବାଦଲ ଏବଂ ଲୋକ ଜନଶକ୍ତି ପାର୍ଟି ପ୍ରତିଷ୍ଠାତା ରାମ ବିଳାସ ପାଶ୍ବାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡ଼କରୀଙ୍କ ସମେତ ବଜେପିର ବହୁ ବରିଷ୍ଠ ନେତା ଏଥିରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଏନ୍‌ଡିଏ ମେଣ୍ଟର ଦ୍ବିତୀୟ ଶକ୍ତିଶାଳୀ ନେତା ଭାବେ ଶାହ ନିଜକୁ ପ୍ରତିପାଦିତ କରିଛନ୍ତି ଏବଂ ତାଙ୍କର ପ୍ରାର୍ଥୀପତ୍ର ଦାଖଲରେ ଏନ୍‌ଡିଏର ଶକ୍ତି ପ୍ରଦର୍ଶନ ବିଜେପି ସ୍ଥିତିକୁ ଆହୁରି ମଜବୁତ କରିବ ବୋଲି କୁହାଯାଉଛି । ଗାନ୍ଧୀନଗର ଆସନରୁ ୧୯୯୮ ମସିହାରୁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ନିର୍ବାଚିତ ହୋଇଆସୁଥିଲେ ଏବଂ ଏଥର ତାଙ୍କୁ ନିର୍ବାଚନ ମଇଦାନରୁ ବିଜେପି ଦୂରେଇ ରଖିଛି। ୯୨ ବର୍ଷୀୟ ଆଡଭାନୀଙ୍କ ସ୍ଥାନରେ ଅମିତ ଶାହଙ୍କୁ ପ୍ରାର୍ଥୀ କରିବା ସହ ରାଜ୍ୟରେ ପ୍ରଚାର ଅଭିଯାନକୁ ଜୋର୍‌ଦାର କରିବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି। ଆଜିର ଏନ୍‌ଡିଏ ସମାବେଶରେ ଆଡଭାନୀ ଉପସ୍ଥିତ ନଥିଲେ। ଏହି ଅବସରରେ ଶାହ କହିଥିଲେ ଯେ ବିଗତ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ କଲ୍ୟାଣ ପାଇଁ କରିଥିବା କାମ ଆଧାରରେ ଜନତା ବିଜେପି ଏବଂ ଏନ୍‌ଡିଏକୁ ସମର୍ଥନ କରିବେ। ନାମାଙ୍କନପତ୍ର ଦାଖଲ ପୂର୍ବରୁ ଶାହ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ୪ କିମି ରୋଡ ସୋ କରିଥିଲେ।

ସମ୍ବନ୍ଧିତ ଖବର