ୟୁପିଏ ସରକାରଙ୍କ ତୁଳନାରେ ଏନଡିଏ ୨୦% ଶସ୍ତାରେ ରାଫେଲ ବିମାନ ପାଇଛି : ଜେଟଲୀ

ନୂଆଦିଲ୍ଲୀ : ଫ୍ରାନ୍ସଠାରୁ ଭାରତ ସରକାର କିଣୁଥିବା ରାଫେଲ ଯୁଦ୍ଧ ବିମାନ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରୁଛି । ଏହି ବିମାନ କିଣାରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରୁଛି । ଆଜି ଏହାର ଜବାବ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି ଯେ କେବଳ ରାଜନୈତିକ ଫାଇଦା ପାଇଁ କଂଗ୍ରେସ ରାଷ୍ଟ୍ରୀୟ ସୁରକ୍ଷାକୁ ଜଳାଞ୍ଜଳୀ ଦେଉଛି । ଏକ କପୋଳକଳ୍ପିତ ଦୁର୍ନୀତି ଅଭିଯୋଗ ଆଣି ଦେଶର ସୁରକ୍ଷାକୁ ନେଇ ଖେଳ ଖେଳୁଛି ।

ପ୍ରକୃତ କଥା ହେଉଛି ୟୁପିଏ ସରକାରଙ୍କ ଅମଳରେ ଯେଉଁ ରାଫେଲ ଡିଲ ପାଇଁ ଯୋଜନା କରାଯାଉଥିଲା ଓ ଏନଡିଏ ସରକାରଙ୍କ ଅମଳରେ ହୋଇଥିବା ଡିଲ ପ୍ରାୟ ୨୦ ପ୍ରତିଶତ ଶସ୍ତା । କାରଣ ୟୁପିଏ ସରକାର ଯେଉଁ ରାଫେଲ ବିମାନ କଥା କହୁଛନ୍ତି ତାହା କେବଳ ଏକ ବେସିକ ବିମାନ । କିନ୍ତୁ ଏନଡିଏ ସରକାର ଯେଉଁ ବିମାନ କିଣିବା ପାଇଁ ଚୁକ୍ତି କରିଛନ୍ତି ତାହା ହେଉଛି ବିମାନ, ସେଥିରେ ଲାଗିଥିବା ଅସ୍ତ୍ର ଓ ସର୍ଭିସିଂ ବ୍ୟୟର ସମୁଦାୟ ମୂଲ୍ୟ । ଏଣୁ ମୁଦ୍ରାସ୍ପୀତିକୁ ହିସାବକୁ ନେଇ ବିଚାର କଲେ ବେସିକ ବା ଅସ୍ତ୍ରଶସ୍ତ୍ର ଲାଗିନଥିବା ବିମାନଟି ୟୁପିଏ ଅମଳରେ ଧାର୍ଯ୍ୟ ମୂଲ୍ୟ ଠାରୁ ଶସ୍ତା ପଡିବ । ଏଣୁ ରାହୁଲଙ୍କ ଅଭିଯୋଗ ଏକ ପିଲାଳିଆମି ବ୍ୟତୀତ ଆଉ କିଛି ନୁହେଁ ।

ସମ୍ବନ୍ଧିତ ଖବର