ଭୂକମ୍ପ ପରେ ସୁନାମି, ୪୦୦ ମୃତ

ଇ‌ଣ୍ଡୋନେସିଆର ୨ ସହର ଛାରଖାର୍, ହଜାର ହଜାର ନିଖୋଜ

ଜାକର୍ତ୍ତା : ଇଣ୍ଡୋନେସିଆରେ ଭୂକମ୍ପ ପରେ ଭୟଙ୍କର ସୁନାମି ଆସିବା ଫଳରେ ‌୪୦୦ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେହିଭଳି ଶକ୍ତିଶାଳୀ ସୁନାମି ମାଡ଼ରେ ହଜାରରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପ ଅଧୀନ ପାଲୁ ସହର ଏବଂ ଏହାର ଆଖପାଖ ଅଞ୍ଚଳ ସୁନାମି  ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।

ସରକାରୀ ଅଧିକାରୀଙ୍କ କହିବାନୁସାରେ, ପାଲୁ ସହରର ସମୁଦ୍ର ତଟରେ ଲୋକମାନେ ବେଳାଭୂମି ଉତ୍ସବ ପାଳନ କରିବା ପାଇଁ ଶୁକ୍ରବାର ଏକାଠି ହୋଇଥିଲେ। ଅଧିକାଂଶ ଲୋକ ପର୍ଯ୍ୟଟକ ଥିଲେ। ତେଣୁ ସୁନାମି ଦ୍ବାରା ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କର ପରିଚୟ ମିଳିପା‌ରି ନାହିଁ। ଶବ ଚିହ୍ନଟ କରିବାରେ ଅସୁବିଧା ହେଉଥିବା ଜଣାପଡ଼ିଛି। ଗତକାଲି ପାଲୁ ସହରଠାରୁ ପ୍ରାୟ ୭୫ କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ ପାଲୁ ସହର ଥରିଉଠିଥିଲା। କିଛି ଲୋକଙ୍କ କହିବାନୁସାରେ ଗତକାଲି ବାରମ୍ବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା।

ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୁନାମି ଯୋଗୁ ୩୮୪ ଲୋକଙ୍କର ମୃତ୍ୟୁ ଘଟିଥିବା ସରକାରୀ ଆକଳନରୁ ଜଣାପଡ଼ିଛି। କିନ୍ତୁ ଏହି ସଂଖ୍ୟା ୪୦୦ ଛୁଇଁଥିବା ଅନୁମାନ କରାଯାଉଛି। ସେମାନେ ଦର୍ଶାଇଛନ୍ତି ଯେ ସୁନାମିର ଶକ୍ତିଶାଳୀ ଜୁଆର ମାଡ଼ରେ ଅନେକ ଘର ଭାଙ୍ଗିଥିବା ବେଳେ ସମୁଦ୍ର ବେଳାଭୂମି‌ରେ କୁଢ଼କୁଢ଼ ମୃତଦେହ ପଡ଼ିରହିଛି।

ଉତ୍ତର ଇଣ୍ଡୋନେସିଆରେ ଶୁକ୍ରବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ପରେ ସୁନାମି ଆସିଥିଲା। ଫଳରେ ସମଗ୍ର ପାଲୁ ସହରରେ ଜଳ ପ୍ରଳୟ ଦେଖିବାକୁ ମିଳିଥିଲା। ସମୁଦ୍ରରେ ଉଠୁଥିବା ବିଶାଳ ଢେଉ ତଟବର୍ତ୍ତୀ ଅଂଚଳରେ ବଡ଼ ବିପର୍ଯ୍ୟୟ ଘଟାଇଥିଲା। ପାଲୁ ସହରର ୯୫ ପ୍ରତିଶତ ଅଂଚଳ ଜଳବନ୍ଦୀ ହୋଇଯାଇଥିଲା। ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଦୋଙ୍ଗଲା ସହରର ୩୫ କିମି ଉତ୍ତର ପୂର୍ବରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଏବଂ ଏହାର ଗଭୀରତା ପ୍ରାୟ ୧୦ କିଲୋମିଟର ରହିଥିଲା। ଭୂକମ୍ପ ଯୋଗୁଁ ଶତାଧିକ ଘର ମାଟିରେ ମିଶି ଯାଇଥିବା ବେଳେ ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଥିଲା। କିନ୍ତୁ ଗତକାଲି ମୃତାହତଙ୍କ ସମ୍ପର୍କରେ କୌଣସି ଖବର ମିଳିନଥିଲା। ପାଲୁ ସହରରେ ସାଢ଼େ ୩ ଲକ୍ଷ ଲୋକ ରହୁଥିବା ବେଳେ ପ୍ରାୟ ୧ ହଜାର ଲୋକ ନିଖୋଜ ଥିବା ଜଣାପଡ଼ିଛି।

ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ କହିଛନ୍ତି, ସୁନାମି ମାଡ଼ରେ କ୍ଷତିଗ୍ରସ୍ତ ‌ହୋଇଥିବା ପାଲୁ ସହରରେ ସେନା ମୁତୟନ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲ୍ ପଠାଯାଉଥିବା ବେଳେ ମୃତଦେହ ମଧ୍ୟ ଠାବ କରାଯାଇ ସେମାନଙ୍କ ସଂପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଉଛି। ଶୁକ୍ରବାର ଭୂକମ୍ପ ପରେ ପାଲୁ ଅଞ୍ଚଳରେ ବାରମ୍ବାର ଭୂକମ୍ପ ଅନୁଭୂତ ହୋଇଛି। ଫଳରେ ସୁନାମି ଭୟ କମିନଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ସୁନାମି ଯୋଗୁ ସପିଙ୍ଗ୍ ମଲ୍‌, ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଏବଂ ବାସଗୃହ ଛାରଖାର ହୋଇଯାଇଛି।

ସମ୍ବନ୍ଧିତ ଖବର