ଏନ୍‌ଇଇଟି ପରୀକ୍ଷା: ସିବିଏସ୍‌ଇ ଜାରି କଲା ଡ୍ରେସ୍‌ କୋଡ୍‌

ନୂଆଦିଲ୍ଲୀ: ଆଗାମୀ ଏନ୍‌ଇଇଟି ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସ୍‌ଇ ଏକ ଡ୍ରେସ୍‌ କୋଡ୍‌ ବ୍ୟବସ୍ଥା କରିଛି। ମେଡିକାଲ୍‌ କଲେଜ୍‌ଗୁଡ଼ିକରେ ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ଏନ୍‌ଇଇଟି ଅଧ୍ୟୟନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ଆଡ୍‌ମିଟ୍‌ କାର୍ଡ ଦେଲା ବେଳେ ବୋର୍ଡ ପ୍ରାର୍ଥୀମାନଙ୍କୁ ଉପଦେଶ ଦେଇ କହିଛି ଯେ ସେମାନେ ଫିକା ରଙ୍ଗର ଅଧାହାତ ପୋଷାକ ପିନ୍ଧିବା ଏବଂ ଜୋତା ପିନ୍ଧିବାକୁ ମନା କରାଯାଇଛି।

୨୦୧୭ରେ ଘୋଷିତ ହୋଇଥିବା ଡ୍ରେସ୍‌କୋଡ୍‌ ବ୍ୟତୀତ ଯେଉଁ ପ୍ରାର୍ଥୀମାନେ ନିଜ ନିଜର ପାରମ୍ପରିକ ପୋଷାକ ପିନ୍ଧିବାକୁ ଚାହିଁବେ ସେମାନେ ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ତାହା ଜଣାଇବେ ବୋଲି ବୋର୍ଡ କହିଛି। ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ସମୟରେ ମୁଣ୍ଡରୁ ପଗଡ଼ି ଆଦି ଖୋଲି ରଖିବାକୁ ବାଧ୍ୟ କରାଯିବାରୁ ଗତ ବର୍ଷ ସିବିଏସ୍‌ଇ ତୀବ୍ର ସମାଲୋଚନାର ସରବ୍ୟ ହୋଇଥିଲା ଏବଂ ଲୋକେ ପ୍ରତିବାଦ କରିଥିଲେ।

ଡ୍ରେସ୍‌ କୋଡ୍‌ ଅନୁସାରେ, ପ୍ରାର୍ଥୀମାନେ ଫିକା ରଙ୍ଗର ଅଧା ହାତ ଥିବା ପୋଷାକ ପିନ୍ଧିବେ। ସାଲ୍‌ଓ୍ଵାର୍‌/ଟ୍ରାଉଜର୍‌ ଆଦିରେ ବଡ଼ ବୋତାମ, ବ୍ରୁଚ୍‌/ବ୍ୟାଜ୍‌, ଫୁଲ ଆଦି ଲାଗି ନ ଥିବ। ସେମାନେ ଜୋତା ପିନ୍ଧିବେ ନାହିଁ। ଅଳ୍ପ ଉଚ୍ଚର ହିଲ୍‌ ଥିବା ଚପଲ ବା ସାଣ୍ଡାଲ୍‌ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଆସିବେ। ଏନ୍‌ଇଇଟି ପରୀକ୍ଷା ମେ ୬ ତାରିଖ ସକାଳ ୧୦ଟା ରୁ ଆରମ୍ଭ ହୋଇ ଦିନ ୧ଟା ଯାଏ ଚାଲିବ। ଯଦି ପରୀକ୍ଷା ଦିନଟି ସର୍ବସାଧାରଣ ଛୁଟି ଦିନ ବୋଲି ଘୋଷଣା କରାଯାଏ ତେବେ ମଧ୍ୟ ଧାର୍ଯ୍ୟ ସମୟ ଅପରିବର୍ତ୍ତିତ ରହିବ ବୋଲି ସିବିଏସ୍‌ଇ ଏକ ବିବୃତିରେ କହିଛି।

ପରୀକ୍ଷା କେନ୍ଦ୍ର ମଧ୍ୟକୁ ଯୋଗାଯୋଗ ପାଇଁ ଉଦ୍ଦିଷ୍ଟ କୌଣସି ଯନ୍ତ୍ର ନ ନେବାକୁ ପ୍ରାର୍ଥୀମାନଙ୍କୁ କୁହାଯାଇଛି। ସେ ଭଳି କୌଣସି ଜିନିଷ ପରୀକ୍ଷା କେନ୍ଦ୍ରରେ ରଖିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇ ନାହିଁ। କଟକଣା ଲାଗୁ କରାଯାଇଥିବା ଅନ୍ୟାନ୍ୟ ଜିନିଷପତ୍ର ମଧ୍ୟରେ ରହିଛି ଜ୍ୟାମିତି ବାକ୍ସ/ପେନ୍‌ସିଲ୍‌ ବାକ୍ସ, ହାତବ୍ୟାଗ୍‌, ବେଲ୍‌ଟ୍‌, ଟୋପି, ଗହଣା, ଘଣ୍ଟା ଏବଂ ଅନ୍ୟାନ୍ୟ ଧାତବ ପଦାର୍ଥ।

ସମ୍ବନ୍ଧିତ ଖବର