ବଂଶଧାରା ଝଟ୍କା : ଟ୍ରିବ୍ୟୁନାଲ୍ରେ ନେରେଡି ପ୍ରକଳ୍ପ ମାମଲା, ଓଡ଼ିଶାର ଆବେଦନ ଅଗ୍ରାହ୍ୟ, ମିଳିତ ସର୍ଭେ ପାଇଁ ଓଡ଼ିଶା, ଆନ୍ଧ୍ରକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ବଂଶଧାରା ନଦୀଜଳକୁ ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଆଜି ଟ୍ରିବ୍ୟୁନାଲରେ ଓଡ଼ିଶାକୁ ଶକ୍ତ ଧକ୍କା ଲାଗିଛି। ନେରେଡ଼ି ପ୍ରକଳ୍ପର ୧୦୬ ଏକର ଜମିର ଯୁଗ୍ମ ସର୍ଭେ ବିରୋଧରେ ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ମଧ୍ୟବର୍ତ୍ତିକାଳୀନ ଆବେଦନକୁ ଟ୍ରିବ୍ୟୁନାଲ ଖାରଜ କରିଦେଇଛନ୍ତି। ଏଥିସହିତ ଯୁଗ୍ମ ସର୍ଭେ କରାଯିବା ଲାଗି ଏପ୍ରିଲ ୫ରେ ଦିଆଯାଇଥିବା ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବିଚାରପତି ଡ. ମୁକୁନ୍ଦକମ୍ ଶର୍ମା, ବିଚାରପତି ବିଏନ ଚତୁର୍ବେଦୀ, ବିଚାରପତି ପ୍ରତିଭାରାଣୀଙ୍କୁ ନେଇ ଗଠିତ ବେଞ୍ଚ ଆଜି ମାମଲାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ଟ୍ରିବ୍ୟୁନାଲ ସ୍ପଷ୍ଟ କରିଥିଲେ ଯେ ଟୋଟାଲ ଷ୍ଟେସନ ମେଥଡ ଅନ୍ତର୍ଗତ ଟ୍ରପୋଗ୍ରାଫିକାଲ ସର୍ଭେ ଅନୁସାରେ ଯୁଗ୍ମ ସର୍ଭେ କରାଯିବ। ଯୁଗ୍ମ ସର୍ଭେ ଦ୍ବାରା ୧୦୬ ଏକର ଜମି ଚିହ୍ନଟ କରାଯିବା ପରେ ମ୍ୟାପ ପ୍ରସ୍ତୁତ କରାଯିବ। ସୁରକ୍ଷା କାନ୍ଥ (ପ୍ରୋଟେକ୍ସନ ଵାଲ), ସୁରକ୍ଷା କାନ୍ଥ ପଛରେ କ୍ୟାଚ ଡ୍ୟାମ, ଫୁଟ୍ ବ୍ରିଜ୍, ନିରୀକ୍ଷଣ ପଥ ତଥା ବାହାର ନିର୍ମାଣର ଚିତ୍ରଣ କରାଯାଇ ମ୍ୟାପ ପ୍ରସ୍ତୁତ କରାଯିବ। ଅକ୍ଟୋବର ଶେଷ ସୁଦ୍ଧା ଯୁଗ୍ମ ସର୍ଭେ କାମ ଆରମ୍ଭ କରିବା ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ର ଜଳ ଆୟୋଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଯୁଗ୍ମ ସର୍ଭେ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ। ଯୁଗ୍ମ ସର୍ଭେ କାର୍ଯ୍ୟକୁ ୬ ସପ୍ତାହ ଭିତରେ ଶେଷ କରିବା ପାଇଁ ଟ୍ରିବ୍ୟୁନାଲ ପକ୍ଷରୁ ସମୟସୀମା ଧାର୍ଯ୍ୟ କରାଯାଇଛି। ଆସନ୍ତା ଡିସେମ୍ବର ୩୦ ସୁଦ୍ଧା ସର୍ଭେ ଶେଷ ଏବଂ ମ୍ୟାପ୍ ପ୍ରସ୍ତୁତି ସଂକ୍ରାନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି। ଏହାର ଗୋଟିଏ ଲେଖାଏଁ ନକଲ କେନ୍ଦ୍ର ତଥା ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କୁ ପ୍ରଦାନ କରିବା ପାଇଁ ଟ୍ରିବ୍ୟୁନାଲ କେନ୍ଦ୍ର ଜଳ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୨୦୧୭ ସେପ୍ଟମ୍ବର ୧୭ରେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଚୂଡ଼ାନ୍ତ ରାୟରେ ନେରେଡ଼ି ଓ କାଟ୍ରାଗଡ଼ାରେ ନିର୍ମାଣାଧୀନ ଦୁଇଟିଯାକ ବ୍ୟାରେଜର କାମ ଚାଲୁ ରହିବ ବୋଲି କହିଥିଲେ। କାଟ୍ରାଗଡ଼ା ବ୍ୟାରେଜ କାମ ପାଇଁ କୌଣସି ସର୍ତ୍ତ ରଖିନଥିବା ବେଳେ ନେରେଡ଼ି ପ୍ରକଳ୍ପ ପାଇଁ କିଛି ସର୍ତ୍ତ ରଖାଯାଇଥିଲା। ଟ୍ରିବ୍ୟୁନାଲଙ୍କ ରାୟ କାର୍ଯ୍ୟକାରୀ ହେବା ପୂର୍ବରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ବାରା ଅଲଗା ଅଲଗା ଆବେଦନ କରାଯାଇ ଟ୍ରିବ୍ୟୁନାଲଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ାଯାଇଥିଲା। ଓଡ଼ିଶା ଦ୍ବାରା ଆବେଦନରେ କୁହାଯାଇଥିଲା ଯେ ୧୯୮୬ର ନେରେଡ଼ି ବ୍ୟାରେଜର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ରେ ୩.୫ କିଲୋମିଟର ପ୍ରୋଟେକ୍ସନ ଵାଲର ବ୍ୟବସ୍ଥା ନଥିଲା। ଏହି ପ୍ରୋଟେକ୍ସନ ଵାଲ ଯୋଗୁଁ ଗଜପତି ଓ ରାୟଗଡ଼ା ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ େହାଇଯିବ ବୋଲି ଓଡ଼ିଶା ପକ୍ଷରୁ କୁହାଯାଇଥିଲା।
ତେଣୁ ଟ୍ରିବ୍ୟୁନାଲ ତାଙ୍କ ଆଦେଶରେ ସଂଶୋଧନ କରିବା ପାଇଁ ଓଡ଼ିଶା ପକ୍ଷରୁ ମଧ୍ୟବର୍ତିକାଳୀନ ଆବେଦନ କରାଯାଇଥିଲା। ଏହି ଆବେଦନକୁ ଟ୍ରିବ୍ୟୁନାଲ ଖାରଜ କରିଦେଇଛନ୍ତି। ଫିଜିକାଲ ସର୍ଭେ ଦ୍ବାରା ଓଡ଼ିଶା ପକ୍ଷପାତିତାର ଶିକାର ହେବାର ଯୁକ୍ତିକୁ ଟ୍ରିବ୍ୟୁନାଲ ଖାରଜ କରିଦେଇଛନ୍ତି। ଏଭଳି ସର୍ଭେ ଦ୍ବାରା ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବ ବୋଲି ଓଡ଼ିଶାର ଆଶଙ୍କାକୁ ମଧ୍ୟ ଟ୍ରିବ୍ୟୁନାଲ ଅଗ୍ରାହ୍ୟ କରିଦେଇଛନ୍ତି।