ନେତାଜୀଙ୍କ ଚିତାଭସ୍ମର ଡିଏନ୍‌ଏ ପରୀକ୍ଷା ଚାହାନ୍ତି ଝିଅ ଅନିତା

ଲଣ୍ଡନ: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଛି। ଏକ ବିମାନ ଦୁର୍ଘଟଣାରେ ସେ ଆଖି ବୁଜିଥିଲେ ବୋଲି କେହି କେହି ଦାବି କରୁଥିବା ବେଳେ ନେତାଜୀ ସେଥିରୁ ବର୍ତ୍ତିଯାଇ ଭାରତ ଫେରିଥିଲେ ବୋଲି ମଧ୍ୟ କେହି କେହି ଦାବି କରୁଛନ୍ତି। ତେବେ ଏଭଳି ପ୍ରହେଳିକାରେ ଯବନିକା ଟାଣିବା ଉଦ୍ଦେଶ୍ୟରେ ଜାପାନର ଟୋକିଓ ସ୍ଥିତ ରେଙ୍କୋଜି ମନ୍ଦିରରେ ସଂରକ୍ଷିତ ଥିବା ତଥାକଥିତ ନେତାଜୀଙ୍କ ଚିତାଭସ୍ମର ଡିଏନ୍‌ଏ ପରୀକ୍ଷା କରିବା ଲାଗି ତାଙ୍କ ଝିଅ ଅନୀତା ବୋଷ ଇଚ୍ଛା ପ୍ରକଟ କରିଛନ୍ତି। ଏଥିପାଇଁ ସେ ଆସନ୍ତାବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଜାପାନରୁ ଉକ୍ତ ଚିତାଭସ୍ମ ଆଣିବା ପାଇଁ ଅନୁରୋଧ କରିବେ ବୋଲି ଅନିତା କହିଛନ୍ତି।
୭୪ ବର୍ଷୀୟ ଅନୀତା ମାତ୍ର ଏକ ମାସ ବୟସର ହୋଇଥିବା ବେଳେ ନେତାଜୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ତେଣୁ ନିଜ ପିତାଙ୍କ ସମ୍ପର୍କରେ କିଛି ବି ସ୍ମରଣ କରିପାରୁନଥିବା ଅନୀତାଙ୍କୁ କେବଳ ତାଙ୍କ ମୃତ୍ୟୁ ସମ୍ପର୍କରେ ବୁଝାଇ ଦିଆଯାଇଛି ଏବଂ ସେ ମଧ୍ୟ ତାହାକୁ ଗ୍ରହଣ କରିନେଇଛନ୍ତି। ତେବେ ତାଙ୍କ ପିତାଙ୍କର ଚିତାଭସ୍ମର ଡିଏନ୍‌ଏ ପରୀକ୍ଷା ପରେ ହିଁ ତାଙ୍କ ମୃତ୍ୟୁ ରହସ୍ୟ ଜଣାପଡ଼ିବ ଏବଂ ଅନ୍ତତଃ ବୈଜ୍ଞାନିକ ପ୍ରମାଣ ଉପରେ ବିଶ୍ୱାସ ରଖୁଥିବା କିଛି ଭାରତୀଙ୍କର ତାହା ଉପଲବ୍ଧି ହୋଇପାରିବ ବୋଲି ଅନୀତା କହିଛନ୍ତି।

ସମ୍ବନ୍ଧିତ ଖବର