ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟହୁଙ୍କ ସହଯୋଗୀ କରୋନାଭାଇରସ୍ ଆକ୍ରାନ୍ତ

ଜେରୁଜେଲମ୍: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟହୁଙ୍କୁ ଜଣେ ସହଯୋଗୀ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା ସୋମବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି । କିନ୍ତୁ, ୭୦ ବର୍ଷିୟ ନେତାନ୍ୟହୁ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କି, ନାହିଁ ହଠାତ୍ ଜଣାପଡ଼ିନାହିଁ । ଏଥିଯୋଗୁଁ ତାଙ୍କର କାର୍ଯ୍ୟଧାରାରେ କିଛି ବାଧା ଆସିଥିବା କଥା ମଧ୍ୟ ଜଣାପଡ଼ିନାହିଁ ।

ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ଆଗୁଆ ସତର୍କତାସ୍ୱରୂପ ମାର୍ଚ ୧୫ ତାରିଖରେ ନେତାନ୍ୟହୁଙ୍କୁ ପରୀକ୍ଷା କରାଯାଇଥିଲା । ପରୀକ୍ଷା ଫଳ କିନ୍ତୁ, ନକାରାତ୍ମକ ହୋଇଥିଲା ।

ସମ୍ପୃକ୍ତ ସଂସଦୀୟ ସହଯୋଗୀ ଜଣକ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦେଶାବଳି ଆଧାରରେ ଆମେ ପଦକ୍ଷେପ ଗ୍ରହଣ କରିବୁ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି ।

ଇସ୍ରାଏଲୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ନେତାନ୍ୟହୁ ଯୋଗ ଦେଇଥିବା ଏକ ସଂସଦୀୟ ଅଧିବେଶନରେ ସେ ସହଯୋଗୀଜଣକ ଉପସ୍ଥିତ ଥିଲେ । ଏହି ଅଧିବେଶନରେ ବିରୋଧୀ ଦଳର ନେତାମାନେ ମଧ୍ୟ ଯୋଗ ଦେଇଥିଲେ । ଦେଶରେ କରୋନାଭାଇରସଜନିତ ସଂକଟର ମୁକାବିଲା ପାଇଁ ବିରୋଧୀଙ୍କ ସହ ଏକ ଜରୁରୀ ମେଣ୍ଟ ଗଠନ କରିବାକୁ ନେତାନ୍ୟହୁ ଉଦ୍ୟମ କରୁଛନ୍ତି ।

ଇସ୍ରାଏଲରେ ୪, ୨୪୭ଜଣ କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଏବଂ ସେଥିରୁ ୧୫ଜଣଙ୍କର ମୃତୁ୍ୟ ଘଟିଛି । ଭୂତାଣୁ ଯୋଗୁଁ ହଜାର ହଜାର ବ୍ୟକ୍ତି ମୃତ୍ୟୁବରଣ କରିବାର ସମ୍ଭାବନା ଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚେତାବନୀ ଦେଇଛି । ଦେଶର କେତେକ ଅଞ୍ଚଳରେ ଲକଡାଉନ୍ ଘୋଷଣା କରିବାକୁ ଆଜି ନେତାନ୍ୟହୁ ଅଧିକାରୀମାନଙ୍କୁ ଆଦେଶ ଦେଇପାରନ୍ତି ।

ସମ୍ବନ୍ଧିତ ଖବର