ନୂଆଦିଲ୍ଲୀ: ଭାରତର ପ୍ରଥମ ପରମାଣୁ ବାଲିଷ୍ଟିକ୍ ମିସାଇଲ୍ ସବ୍ମେରିନ୍ ‘ଆଇଏନ୍ଏସ୍ ଅରିହନ୍ତ୍’ ସୋମବାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଅରିହନ୍ତ୍ ଆଜି ତାହାର ପ୍ରଥମ ‘ପ୍ରତିରୋଧ ପାଟ୍ରୋଲିଂ’ ଶେଷ କରିଛି। ଏହାଦ୍ବାରା ଭାରତର ପ୍ରତିରକ୍ଷା କ୍ଷେତ୍ର ଅଧିକ ଶକ୍ତିଶାଳୀ ହୋଇଛି। ଶତ୍ରୁ ରାଷ୍ଟ୍ରଗୁଡ଼ିକର ମୁକାବିଲା ପାଇଁ ଭାରତ ଏବେ ନିଜକୁ ଅଧିକ ସଶକ୍ତ କରିପାରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଏନ୍ଏସ୍ ଅରିହନ୍ତ୍କୁ ଦେଶ ପାଇଁ ଉତ୍ସର୍ଗ କରି କହିଛନ୍ତି, ଦେଶବାସୀଙ୍କ ପାଇଁ ଏହା ଧନ୍ତେରସ୍ ଉପହାର। ଏହାଦ୍ବାରା ଦେଶର ୧୨୫ କୋଟି ଭାରତୀୟଙ୍କ ସୁରକ୍ଷାର ଗ୍ୟାରେଣ୍ଟି ଦିଆଯାଇ ପାରିବ। ଶକ୍ତିଶାଳୀ ବୁଡ଼ାଜାହାଜ ଅରିହନ୍ତ୍ ଆମ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ଉପଲବ୍ଧି। ଭାରତ ଏବଂ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ବାଧକ ସାଜୁଥିବା ଶତ୍ରୁମାନଙ୍କୁ ଏହା ସାମ୍ନା କରି କଡ଼ା ଚାଲେଞ୍ଜ୍ ଦେବ। ସମୁଦ୍ରରୁ ଏହା ପରମାଣୁ ଆକ୍ରମଣ କରିବ। ଶତ୍ରୁମାନେ ଭାରତ ଉପରେ କୋପଦୃଷ୍ଟି ପକାଇବାକୁ ସାହସ କରିବେ ନାହିଁ। ପରମାଣୁ ଆକ୍ରମଣ ଧମକ ଦେଇ ବ୍ଲାକ୍ମେଲ୍ କରୁଥିବା ରାଷ୍ଟ୍ରଗୁଡ଼ିକୁ ଏହା ଉଚିତ ଜବାବ ଦେବ ବୋଲି ମୋଦୀ କହିଛନ୍ତି।
ମୋଦୀ ଆହୁରି କହିଛନ୍ତି ଯେ ଭାରତ ଏକ ଶାନ୍ତିପ୍ରିୟ ରାଷ୍ଟ୍ର ବୋଲି ବିଶ୍ବବାସୀଙ୍କୁ ଭଲ ଭାବେ ଜଣା। ଭାରତ କାହା ସହିତ ଝଗଡ଼ା କରିବାକୁ ପସନ୍ଦ କରେନାହିଁ। ଏହାର ଅର୍ଥ ନୁହେଁ ଯେ ଅନ୍ୟ ରାଷ୍ଟ୍ରମାନେ ଭାରତକୁ ଦୁର୍ବଳ ଭାବି ଏହା ଉପରେ ଆକ୍ରମଣ କରିବେ। ଶାନ୍ତିର ବାର୍ତ୍ତା ଦେଉଥିବା ଭାରତ ନିଜ ଉପରେ ସାମାନ୍ୟ ଆଞ୍ଚ୍ ଆସିଲେ ମଧ୍ୟ ତାହାର ଉଚିତ ଜବାବ ଦେଇପାରିବ। ତେଣୁ ଭାରତକୁ ଦୁର୍ବଳ ନଭାବିବା ପାଇଁ ସେ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଅରିହନ୍ତ୍ ଓ ଅନ୍ୟ ପରମାଣୁ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, କୌଣସି ରାଷ୍ଟ୍ର ଉପରେ ଆକ୍ରମଣ ପାଇଁ ଭାରତ ନିଜକୁ ଏଭଳି ପ୍ରସ୍ତୁତ କରିନାହିଁ। ବରଂ ନିଜକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହାଦ୍ବାରା ଶାନ୍ତି ପ୍ରତିଷ୍ଠା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ବିଶ୍ବଶାନ୍ତି ପାଇଁ ଭାରତର ଯୋଗଦାନ ସବୁବେଳେ ଶୀର୍ଷରେ ରହିଆସିଛି। ଏ କଥା କାହାରିକୁ ଅଛପା ନାହିଁ। ବିଶ୍ବ ଜାଣିଛି ଯେ ଭାରତ ଏକ ଦାୟିତ୍ବସମ୍ପନ୍ନ ପରମାଣୁ ଶକ୍ତି ରାଷ୍ଟ୍ର।
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ୍ କରି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଆଇଏନ୍ଏସ୍ ଅରିହନ୍ତ୍ ଏହାର ପ୍ରଥମ ପ୍ରତିରୋଧ ପାଟ୍ରୋଲିଂ ସମ୍ପୂର୍ଣ୍ଣ କରିଛି। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଖୁସି ଖବର। ଏହାଦ୍ବାରା ‘ଷ୍ଟ୍ରାଟେଜିକ୍ ଷ୍ଟ୍ରାଇକ୍ ନ୍ୟୁକ୍ଲିୟର୍ ସବମେରିନ୍ସ (ଏସ୍ଏସ୍ବିଏନ୍)ର ନିର୍ମାଣ, ଡିଜାଇନ୍ ଓ ପରିଚାଳନା କରୁଥିବା ଅଳ୍ପକେତେକ ରାଷ୍ଟ୍ର ମଧ୍ୟରେ ଭାରତ ସାମିଲ ହୋଇପାରିଛି। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏହି ଉପଲକ୍ଷେ ଭାରତୀୟ ନୌସେନା ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅରିହନ୍ତ୍ କ’ଣ
ଆଇଏନ୍ଏସ୍ ଅରିହନ୍ତ୍କୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ସାମର୍ଥ୍ୟ ବିଷୟରେ ଲୋକଙ୍କୁ ଅବଗତ କରିଛନ୍ତି। ସେ କହିଛନ୍ତି, ଅରିହନ୍ତ୍ର ଅର୍ଥ ହେଉଛି ଶତ୍ରୁର ନାଶ କରିବା। ଅର୍ଥାତ୍ ଭାରତ ଉପରେ କୌଣସି ରାଷ୍ଟ୍ର ଆକ୍ରମଣ କଲେ ତାହାର ଜବାବ ଦେବା ପାଇଁ କେବଳ ଏହାକୁ ପ୍ରସ୍ତୁତ କରାଯାଇଛି। ଭାରତର ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ଏହି ଶକ୍ତିଶାଳୀ ବୁଡ଼ାଜାହାଜ ଚଳିତବର୍ଷ ଅଗଷ୍ଟରେ କାର୍ଯ୍ୟକ୍ଷମ ହୋଇଥିଲା। ଏହାର ଅନ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଉଛି:
ଆଇଏନ୍ଏସ୍ ଅରିହନ୍ତ୍ର ଓଜନ ପ୍ରାୟ ୬,୦୦୦ ଟନ୍ ହେବ। ଏହା ଭାରତର ପ୍ରଥମ ସ୍ବଦେଶୀ ପରମାଣୁ ବୁଡ଼ାଜାହାଜ
୮୩ ମେଗାୱାଟ୍ ବିଶିଷ୍ଟ ପ୍ରେସରାଇଜ୍ଡ ଲାଇଟ୍ ୱାଟର୍ ରିଆକ୍ଟର ଦ୍ବାରା ଏହା ପରିଚାଳିତ ହେଉଛି
ଏହା ୪ଟି ପରମାଣୁ ବାଲିଷ୍ଟିକ୍ ମିସାଇଲ୍ ବହନ କରିପାରିବ, ଯାହାକୁ କେ-୪ ବୋଲି କୁହାଯାଉଛି। ଏଗୁଡ଼ିକର ରେଞ୍ଜ୍ ୩,୫୦୦ କିଲୋମିଟର ହେବ। ସେହିଭଳି ୭୦୦ କିଲୋମିଟର ଦୂରରୁ ଏହାର ୧୫ଟି ମିସାଇଲ୍ ମଧ୍ୟ ଶତ୍ରୁକୁ ଟାର୍ଗେଟ୍ କରିପାରିବ
ସମୁଦ୍ରର ଗଭୀର ଜଳରାଶିରୁ ଏହା ପରମାଣୁ ଅସ୍ତ୍ର ନିକ୍ଷେପ କରି ଶତ୍ରୁକୁ ମାତ୍ ଦେବ
ବନ୍ଦର ସହର ବିଶାଖାପାଟଣାରେ ଥିବା ଜାହାଜ ନିର୍ମାଣ କେନ୍ଦ୍ରରେ ଆଡ୍ଭାନ୍ସଡ୍ ଟେକ୍ନୋଲୋଜି ଭେସେଲ୍ ପ୍ରୋଜେକ୍ଟ ଅଧୀନରେ ଏହା ତିଆରି ହୋଇଛି
ଏବେ ଭାରତ ବିମାନ, ବାଲିଷ୍ଟିକ୍ ମିସାଇଲ୍ ଏବଂ ବୁଡ଼ାଜାହାଜ ମିସାଇଲ୍ ଦ୍ବାରା ପରମାଣୁ ଅସ୍ତ୍ର ଛାଡ଼ିପାରିବ