ଏଣିକି ଟ୍ରେନରେ ଦେଖିହେବ ୭ ହଜାର ଫିଲ୍ମ, ଶୁଣିହେବ ହଜାରେ ଗୀତ

ନୂଆଦିଲ୍ଲୀ: ‘କିତନେ ଆଦମୀ ଥେ ରେ କାଲିଆ’ ଶୋଲେ ଫିଲ୍ମର ଏହି ଚର୍ଚ୍ଚିତ ଡାଇଲଗ ସାଙ୍ଗକୁ ଭରପୁର ମନୋରଞ୍ଜନର ପେଡି ଏବେ ଖୋଲି ଦେଇଛି ରେଳ ମନ୍ତ୍ରାଳୟ | ଯାତ୍ରୀଙ୍କ ପାଇଁ ଏବେ ରେଳ ମନ୍ତ୍ରାଳୟ ନୂଆ ପଦକ୍ଷେପ ହାତକୁ ନେଇଛି | ଇଷ୍ଟକୋଷ୍ଟ ରେଲୱେ ଦ୍ୱାରା ଏଣ୍ଟରଟେନମେଣ୍ଟ ଅନ ଡିମାଣ୍ଡ ସୁବିଧା ଆରମ୍ଭ କରାଯାଇଛି | ଏହି ନୂଆ ସୁବିଧା ଦ୍ୱାରା ଏଣିକି ଆପଣ ୭ ହଜାରଟି ଫିଲ୍ମ ଦେଖିବା ସହ ପାଖାପାଖି ହଜାରେଟି ଗୀତ ଶୁଣିପାରିବେ | ଏହି ପ୍ରକାର ସୁବିଧା ଅନ୍ତରାଷ୍ଟ୍ରୀୟ ବିମାନରେ ଉପଲବ୍ଧ ହେଉଥିବାବେଳେ ଏବେ ଭାରତୀୟ ରେଳରେ ଏହି ସୁବିଧାକୁ ଯାତ୍ରୀମାନେ ଉପଭୋଗ କରିପାରିବେ |

ଟ୍ରେନର ବଗିରେ ଏଣ୍ଟରଟେନମେଣ୍ଟ ଅନ ଡିମାଣ୍ଡ ଡିଭାଇସ ଲଗାଯାଇଛି | ଯାହାଦ୍ୱାରା ମୋବାଇଲ, ଲାପଟପ ମାଧ୍ୟମରେ ଆପଣ ଫିଲ୍ମ ଦେଖିବା ସହ ଗୀତ ମଧ୍ୟ ଶୁଣିପାରିବେ | ୧୯୬୦ ମସିହା ଠାରୁ ଆରମ୍ଭ କରି ୨୦୧୦ ମସିହାର ସବୁ ହିଟ ଫିଲ୍ମ ସହ ଆପଣ ୧୨ ହଜାର କାର୍ଯ୍ୟକ୍ରମ ମଧ୍ୟ ଦେଖିପାରିବେ | ବଡ କଥା ସବୁ ବର୍ଗର ଯାତ୍ରୀଙ୍କୁ ଏଥିରେ ଗୁରୁତ୍ୱ ଦିଆଯାଇଛି |

ବିଶେଷ କରି ଶିଶୁଙ୍କ ସହ ବରିଷ୍ଠ ଟ୍ରେନ ଯାତ୍ରୀଙ୍କ ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି | ତେବେ ବର୍ତ୍ତମାନ ପାଇଁ ପାଟନା ରାଜଧାନୀ ଏକ୍ସପ୍ରେସ ଓ ସମ୍ପୂର୍ଣ୍ଣ କ୍ରାନ୍ତି ଏକ୍ସପ୍ରେସରେ ଏହି ସୁବିଧା ଆରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୬ଟି ଟ୍ରେନରେ ଏହି ସୁବିଧା ଆରମ୍ଭ ହେବ |

ସମ୍ବନ୍ଧିତ ଖବର