ନେତା, ଅଫିସର୍‌ଙ୍କୁ ସୁରକ୍ଷା ଦେବାକୁ ନୂଆ ଆଇନ

ରାଜସ୍ଥାନ ସରକାରଙ୍କ ବିବାଦୀୟ ଅଧ୍ୟାଦେଶ

0 192

ନୂଆଦିଲ୍ଲୀ: ରାଜସ୍ଥାନ ସରକାର ବିଧାୟକ, ସାଂସଦ, ସରକାରୀ ଅଧିକାରୀ ଏବଂ ବିଚାରପତିମାନଙ୍କୁ ସେମାନଙ୍କ ବିରୋଧରେ ଆସୁଥିବା ଅଭିଯୋଗ ମାମଲାରେ ସୁରକ୍ଷା ଦେବାକୁ ବିବାଦୀୟ ଆଇନ ଆଣିଛନ୍ତି। ସୋମବାରଠାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନରେ ଏହା ଆଗତ ହେବାକୁ ଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅଧ୍ୟାଦେଶ ମଧ୍ୟ ଗୃହୀତ ହୋଇଯାଇଛି। ସିଆରପିସିରେ ସଂଶୋଧନ ଆଣି ଏଭଳି ଆଇନ କାର୍ଯ୍ୟକାରୀ କରାଗଲେ ସରକାରଙ୍କ ବିନା ଅନୁମୋଦନରେ ନେତା ଓ ବାବୁମାନଙ୍କ ବିରୋଧରେ କୌଣସି ମାମଲା ଦାଏର ହୋଇପାରିବ ନାହିଁ। ପୂର୍ବ ଭଳି ଆଉ ଏଫ୍‌ଆଇଆର୍‌ ରୁଜୁ ହୋଇପାରିବ ନାହିଁ ଏବଂ ଗଣମାଧ୍ୟମ ମଧ୍ୟ ଏ ସଂକ୍ରାନ୍ତ ରିପୋର୍ଟ ଛାପିବାକୁ ସକ୍ଷମ ହେବନାହିଁ।
ଏହି ନୂତନ ଆଇନ ଅନୁଯାୟୀ କୌଣସି ବିଚାରପତି କିମ୍ବା ସରକାରୀ ଅଫିସର ଡ୍ୟୁଟି ସମୟରେ କରିଥିବା କୌଣସି କାର୍ଯ୍ୟ ବିରୋଧରେ ସିଧାସଳଖ ଏଫ୍‌୍‌ଆଇଆର୍‌ ରୁଜୁ ହୋଇପାରିବ ନାହିଁ କିମ୍ବା ଅଭିଯୋଗକାରୀ ଏହା ବିରୋଧରେ କୋର୍ଟ ମାଧ୍ୟମରେ ମଧ୍ୟ ଏଫ୍‌ଆଇଆର୍‌ ଦାଖଲ କରିପାରିବେ ନାହିଁ। ଏଭଳି ମାମଲାରେ ଏଫ୍‌୍‌ଆଇଆର ଦାଖଲ କେବଳ ସରକାରଙ୍କ ଅନୁମୋଦନ ପରେ ହିଁ ହୋଇପାରିବ। ଯଦି ସରକାର କୌଣସି ମାମଲାରେ ଅନୁମୋଦନ ଦେବେନାହିଁ ତା’ହେଲେ ୧୮୦ ଦିନ ପରେ କୌଣସି ସରକାରୀ ଅଧିକାରୀଙ୍କ ବିରୋଧରେ କୋର୍ଟ ମାଧ୍ୟମରେ ଏଫ୍‌୍‌ଆଇଆର୍‌ ଦାଖଲ କରାଯାଇ ପାରିବ। ସେ ପର୍ଯ୍ୟନ୍ତ ଯାହାଙ୍କ ବିରୋଧରେ ଅଭିଯୋଗ ଆସିଥିିବ ତାଙ୍କ ସଂପର୍କରେ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିପାରିବ ନାହିଁ। ସରକାର ମାମଲା ଚଳାଇବା ପାଇଁ ଅନୁମତି ଦେବା ପୂର୍ବରୁ କୌଣସି ସରକାରୀ ଅଧିକାରୀଙ୍କ ସଂପର୍କରେ ଗଣମାଧ୍ୟମରେ ଖବର ପରିବେଷଣ କରାଗଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ବ୍ୟବସ୍ଥା ମଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.