କାଳଗୁମ୍ଫାରେ କସରତ ଶେଷ:ମିଳିଲା ନୂଆ ଜୀବନଆତ୍ମବିଶ୍ୱାସ ଓ ସାହସିକତାର ନିଦର୍ଶନ

ମେ ସାଇ: ଥାଇଲାଣ୍ଡର କାଳଗୁମ୍ଫା ଥାମ୍‌ ଲୁଆଙ୍ଗ ଭିତରେ ଉଦ୍ଧାରକାରୀ ଦଳ ଯେଉଁ ସାହସିକତାର ପ୍ରଦର୍ଶନ ଦେଖାଇଛନ୍ତି, ତାହାକୁ ଆଜି ସାରା ବିଶ୍ୱ ପ୍ରଶଂସା କରୁଛି। ମୃତ୍ୟୁକୁ ପ୍ରତିକ୍ଷଣ ସାମ୍ନା କରୁଥିବା ୧୨ ଜଣ ଫୁଟ୍‌ବଲ୍‌ ଖେଳାଳି ଓ ତାଙ୍କ କୋଚ୍‌ଙ୍କୁ ବଞ୍ଚାଇବା ପାଇଁ ସେମାନେ ଯେଉଁଭଳି ଭାବେ ନିଜ ଜୀବନକୁ ପାଣି ଛଡ଼ାଇ ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କଲେ ତାହାକୁ ନେଇ ଏବେ ବିଶ୍ୱବାସୀ ଚର୍ଚ୍ଚା କରୁଛନ୍ତି। ସେମାନଙ୍କ ପ୍ରବଳ ଆତ୍ମବିଶ୍ୱାସ ଏବଂ ସାହସିକତା ଯୋଗୁ ଆଜି ତୃତୀୟ ଦିନ ସୁଦ୍ଧା ଗୁମ୍ଫା ମଧ୍ୟରୁ ସମସ୍ତ ୧୨ ଜଣ ଫୁଟ୍‌ବଲ ଖେଳାଳି ଓ ସେମାନଙ୍କ କୋଚ୍‌ ଉଦ୍ଧାର ହୋଇପାରିଛନ୍ତି। ପ୍ରଥମ ଓ ଦ୍ୱିତୀୟ ଦିନରେ ୮ ଜଣଙ୍କୁ ଉଦ୍ଧାର ପରେ ଆଜି ଉଦ୍ଧାରକାରୀ ଟିମ୍‌ ଆଉ ୪ ଜଣ ଫୁଟ୍‌ବଲ୍‌ ଖେଳାଳି ଓ କୋଚ୍‌ଙ୍କୁ ବାହାର କରିବାରେ ସଫଳ ହୋଇଛନ୍ତି। ଫଳରେ ଗତ ୧୮ ଦିନ ଧରି ଥାମ୍‌ ଲୁଆଙ୍ଗ ଗୁମ୍ଫାରେ ପାଣି ଓ ପଥର ସହ ଜାରିରହିଥିବା କସରତର ଅବସାନ ଘଟିଛି।
ଜଳ ସ୍ତର ସାମାନ୍ୟ ହ୍ରାସ ପାଇବା ପରେ ରବିବାର ଠାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ପ୍ରଥମ ଦିନରୁ ହିଁ ୧୨ ଜଣିଆ ଗୁମ୍ଫା ବିଶେଷଜ୍ଞ ଟିମ୍‌ ୪ ଜଣଙ୍କୁ ଉଦ୍ଧାର କରିବାରେ ଟିମ୍‌ ସଫଳ ହୋଇଥିଲା। ଏହାର ପରଦିନ ଅର୍ଥାତ୍‌ ସୋମବାର ମଧ୍ୟ ଆଉ ୪ ଜଣଙ୍କୁ ବାହାର କରାଯାଇଥିଲା। ତେବେ ତୃତୀୟ ଦିନ ସୁଦ୍ଧା ଉଦ୍ଧାର କାର୍ଯ୍ୟକୁ ପୂର୍ବାପେକ୍ଷା ଅଧିକ ଦ୍ରୁତ କରାଯାଇଥିଲା। ପ୍ରଥମ ଦୁଇଦିନର ଅଭିଜ୍ଞତାରୁ ଶିକ୍ଷା କରିଥିବା ଉଦ୍ଧାରକାରୀ ଟିମ୍‌ ବୁଦ୍ଧି ବଳ ଖଟାଇ ମଙ୍ଗଳବାର ଅନ୍ୟ ସମସ୍ତଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିନେଇଛି। ଅନ୍ୟପକ୍ଷରେ ସେମାନଙ୍କ ସୁରକ୍ଷା ପାଇଁ ଗୁମ୍ଫାରେ ଥିବା ଥାଇଲାଣ୍ଡର କିଛି ନୌସେନା ଅଧିକାରୀଙ୍କୁ ମଧ୍ୟ ବାହାର କରାଯାଇଛି। ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିବା ନାରୋଙ୍ଗ୍‌ସକ୍‌ ଓସୋଟାନାକର୍ଣ୍ଣଙ୍କ କହିବାନୁଯାୟୀ ଅନ୍ତିମ ପର୍ଯ୍ୟାୟ ଉଦ୍ଧାର କାର୍ଯ୍ୟ ବେଶ୍‌ ଆହ୍ଵାନମୂଳକ ହୋଇଥିଲା। କାରଣ ଗୁମ୍ଫାରେ ଫସିଥିବା ଖେଳାଳିଙ୍କ ସମେତ ୩ ଜଣ ନୌସେନା ଅଧିକାରୀଙ୍କୁ ବାହାର କରାଯିବା ନେଇ ଯୋଜନା ତିଆରି ହୋଇଥିଲା।
ତାଙ୍କ କହିବାନୁଯାୟୀ ପ୍ରଥମ ଦିନରେ ଗୁମ୍ଫା ମଧ୍ୟରେ ପ୍ରତିକୂଳ ସାମ୍ନା କରି ଉଦ୍ଧାରକାରୀ ଦଳ ଅନେକ ଅଭିଜ୍ଞତା ହାସଲ କରିଥିଲେ। ପାଣି, କାଦୁଅ, ପଥର ଏବଂ ସଂକୀର୍ଣ୍ଣ ପଥ ଦେଇ କିଭଳି ସେମାନଙ୍କୁ ଉଦ୍ଧାର କରାଯିବ, ତାହାର ସୂତ୍ର ସେମାନେ ଖୋଜି ପାଇଥିଲେ। ପ୍ରଥମ ଦିନରେ ଗୁମ୍ଫା ମଧ୍ୟକୁ ଯାଇଥିବା ବିଶେଷଜ୍ଞଙ୍କ ମଧ୍ୟରୁ ଅଧିକାଂଶ ଦ୍ୱିତୀୟ ଓ ତୃତୀୟ ଦିନରେ ମଧ୍ୟ ଗୁମ୍ଫା ମଧ୍ୟକୁ ସାହସର ସହ ପଶିଥିଲେ। ତେବେ ଥାଇଲାଣ୍ଡରେ ମୌସୁମୀ ବାୟୁ ବ୍ୟାପିଯାଇଥିବାରୁ ବର୍ଷା ପୁଣି ଆରମ୍ଭ ହୋଇ ଗୁମ୍ଫା ମଧ୍ୟକୁ ପାଣି ପଶିଯିବାର ଆଶଙ୍କା କରାଯାଇଥିଲା। ତେଣୁ କୌଣସି କାଳବିଳମ୍ବ ନ କରି ଗୁମ୍ଫା ବିଶେଷଜ୍ଞମାନେ ଭିତରେ ପଶିଥିଲେ। ଶେଷରେ ସେମାନେ ମୃତ୍ୟୁ ମୁଖରୁୂ ସମସ୍ତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।
ଲଢୁଆ ଖେଳାଳି
‘ଓ୍ଵାଇଲ୍ଡ ବୋର୍ସ’ ନାମକ ଫୁଟ୍‌ବଲ୍‌ ଟିମ୍‌ର ଏହି ଖେଳାଳିମାନେ ପ୍ରକୃତରେ ଯେ ଲଢୁଆ ଖେଳାଳି ତାହା ସେମାନେ ପ୍ରମାଣ କରିଦେଇଛନ୍ତି। ୧୮ ଦିନ ଧରି କାଳଗୁମ୍ଫାରେ ଅନିଶ୍ଚିତତା ମଧ୍ୟରେ କାଳାତିପାତ କରି ମଧ୍ୟ ଭୟ ସେମାନଙ୍କ ପାଖ ମାଡ଼ି ନ ଥିଲା। ପହଁରା ଜାଣି ନ ଥିଲେ ହେଁ ଜଳପୂର୍ଣ୍ଣ ଅନ୍ଧାରିଆ ଗୁମ୍ଫା ମଧ୍ୟରେ ସେମାନେ ପରସ୍ପରକୁ ଶକ୍ତି ଦେଇ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଥିଲେ। ସେମାନଙ୍କ ଏହି ଅଦମ୍ୟ ସାହସ ଆଜି ସେମାନଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିପାରିଛି। ୯ ଦିନ ଧରି ନ ଖାଇ ନ ପିଇ ମଧ୍ୟ ସେମାନେ ଅବଶ ନ ହୋଇପଡ଼ି ଟାଣପଣ ଦେଖାଇ ପରସ୍ପରକୁ ଲଢ଼ିବାକୁ ଖୋରାକ ଯୋଗାଇଥିଲେ। ପ୍ରଥମ ଦୁଇଦିନରେ ଉଦ୍ଧାର ହୋଇଥିବା ୮ ଜଣ ଖେଳାଳି ହସ୍ପିଟାଲ୍‌ରେ ଭର୍ତ୍ତି ହେବାର ପରଦିନ ଚଲାବୁଲା ଆରମ୍ଭ କରିଦେଇଥିଲେ। ସୁସ୍ଥ ଥିବାରୁ ତରଳ ଖାଦ୍ୟ ପରିବର୍ତ୍ତେ କଠିନ ଖାଦ୍ୟ ଖାଇଥିଲେ। ଏହା ଦେଖି ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେବଳ ଦୁଇଜଣଙ୍କଠାରେ ଫୁସ୍‌ଫୁସ୍‌ ଜନିତ ସଂକ୍ରମଣ ଦେଖିବାକୁ ମିଳିଥିଲା। କିନ୍ତୁ ଅନ୍ୟମାନେ ପୂର୍ବବତ୍‌ ସୁସ୍ଥ ଜଣାପଡ଼ିଥିଲେ। ଥାଇଲାଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉପନିର୍ଦ୍ଦେଶକଙ୍କ କହିବାନୁଯାୟୀ ଗୁମ୍ଫାରୁ ବାହାରିବା ପରେ ସମସ୍ତ ପିଲା ବେଶ୍‌ ଖୁସି ଅଛନ୍ତି।
ଘଟଣାକ୍ରମ
ଜୁନ୍‌ ୨୩: ଓ୍ଵାଇଲ୍‌ଡ ବୋର୍ସ ନାମକ ଏହି ଫୁଟ୍‌ବଲ୍‌ ଟିମ୍‌ର ୧୨ ଜଣ ସଦସ୍ୟ (ଯାହାଙ୍କ ବୟସ ୧୧ରୁ ୧୬ ବର୍ଷ) ସେମାନଙ୍କ କୋଚ୍‌ଙ୍କ ସଙ୍ଗେ ଥାମ୍‌ ଲୁଆଙ୍ଗ ଗୁମ୍ଫା ମଧ୍ୟରେ ପ୍ରବେଶ କରିଥିଲେ। କିନ୍ତୁ ଏହି ସମୟରେ ପ୍ରବଳ ବର୍ଷା ହେବା ଯୋଗୁ ସେମାନେ ଆଉ ବାହାରକୁ ବାହାରି ପାରି ନ ଥିଲେ।
ଜୁନ୍‌ ୨୪: ଉଦ୍ଧାରକାରୀ ଦଳ ଗୁମ୍ଫା ବାହାରେ ଜୋତା ଓ ବ୍ୟାଗ୍‌ ଦେଖିବାକୁ ପାଇଥିଲେ। ଗୁମ୍ଫା ମଧ୍ୟରେ କେହି ଫସିରହିଥିବା ଅନୁମାନ ଲଗାଇଥିଲେ।
ଜୁନ୍‌ ୨୬: ଗୁମ୍ଫା ମଧ୍ୟରେ ପ୍ର୍ରବେଶ ଲାଗି ଅନ୍ୟ କିଛି ବିକଳ୍ପ ଅଛି କି ନାହିଁ ତାହା ଜାଣିବା ଲାଗି ହେଲିକପ୍ଟରର ସହାୟତା ନିଆଯାଇଥିଲା। କିନ୍ତୁ ପ୍ରବଳ ବର୍ଷା ଏଥିରେ ବାଧକ ସାଜିଥିଲା।
ଜୁନ୍‌ ୨୭: ୧,୦୦୦ରୁ ଊର୍ଦ୍ଧ୍ୱ ନୌସେନା ଓ ସ୍ଥାନୀୟ କିଛି ସ୍ୱେଚ୍ଛାସେବୀ ଉଦ୍ଧାର ପାଇଁ ଯୋଜନା ତିଆରି କରିଥିଲେ। କିନ୍ତୁ ସେହି ରାତିରେ ଆମେରିକା ଓ ବ୍ରିଟେନ୍‌ର ବିଶେଷଜ୍ଞମାନେ ଆସି ପହଞ୍ଚିଥିଲେ।
ଜୁଲାଇ ୧: ଗୁମ୍ଫା ନିକଟରେ ପହଞ୍ଚିବା ପାଇଁ ଥାଇଲାଣ୍ଡର ନୌସେନା ଅଧିକାରୀଙ୍କ ନେତୃତ୍ୱରେ ୬ଟି ରାଷ୍ଟ୍ରର ଗୁମ୍ଫା ବିଶେଷଜ୍ଞ କାର୍ଯ୍ୟ ଜାରି ରଖିଥିଲେ। ଅଧିକ ଉପକରଣ ବି ହେଲିକପ୍ଟର ଯୋଗେ ଅଣାଯାଇଥିଲା।
ଜୁଲାଇ ୨: ବି୍ରଟେନ୍‌ର ଦୁଇଜଣ ଗୁମ୍ଫା ବିଶେଷଜ୍ଞ ଗୁମ୍ଫା ମଧ୍ୟରେ ପ୍ରଥମେ ୧୨ ଜଣ ଖେଳାଳି ଓ ସେମାନଙ୍କ କୋଚ୍‌ଙ୍କୁ ଠାବ କରିବାରେ ସମର୍ଥ ହୋଇଥିଲେ।
ଜୁଲାଇ ୫: ଜଳ ନିଷ୍କାସନ ପ୍ରକ୍ରିୟା ଜୋର୍‌ଦାର କରାଯାଇଥିଲା। ଗୁମ୍ଫା ମଧ୍ୟରେ ଫସିଥିବା ପିଲାଙ୍କୁ ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ଜୁଲାଇ ୬: ଥାଇଲାଣ୍ଡ ନୌସେନାର ଜଣେ ପୂର୍ବତନ ଅଧିକାରୀ ସାମନ୍‌ କୁନାନ୍‌ ପ୍ରାଣ ହରାଇଥିଲେ। ଗୁମ୍ଫା ମଧ୍ୟରୁ ବାହାରିବା ସମୟରେ ତାଙ୍କ ଅମ୍ଳଜାନ ଥଳିରୁ ଅମ୍ଳଜାନ ଶେଷ ହୋଇଯାଇଥିଲା।
ଜୁଲାଇ ୮: ୮ ଜଣ ଡାଇଭର ବିଶେଷଜ୍ଞ ଗୁମ୍ଫା ମଧ୍ୟରେ ପ୍ରବେଶ କରିଥିଲେ ଓ ୧୧ ଘଣ୍ଟା ପରେ ୪ ଜଣଙ୍କୁ ଉଦ୍ଧାର କରିଥିଲେ।
ଜୁଲାଇ ୯: ଉଦ୍ଧାରକାରୀ ଦଳ ପୁଣି ଗୁମ୍ଫା ମଧ୍ୟରେ ପ୍ରବେଶ କରିଥିଲେ ଏବଂ ୯ ଘଣ୍ଟାର କସରତ ପରେ ଆଉ ୪ ଜଣଙ୍କୁ ନିରାପଦ ଭାବେ ବାହାର କରିଥିଲେ।

ସମ୍ବନ୍ଧିତ ଖବର