ଏବେ ପୁରୁଣା ରେଳ ଡବାରେ ତିଆରି ହେବ ଅତ୍ୟାଧୁନିକ ରେଷ୍ଟୁରାଣ୍ଟ, ରେଳବାଇ ଆରମ୍ଭ କଲାଣି ପ୍ରକ୍ରିୟା

ନୂଆଦିଲ୍ଲୀ: ରେଳବାଇ ଖୁବ୍‌ ଶୀଘ୍ର ଏକା ଶୈଳୀର ରେଷ୍ଟୁରାଣ୍ଟ ଦେଶର ସବୁ ବଡ଼ ରେଳ ଷ୍ଟେସନରେ ତିଆରି କରିବାକୁ ଯାଉଛି । ରେଳ ବିଭାଗର କହିବା ଅନୁଯାଇ ଏହା ଦ୍ୱାରା ରେଳ ବିଭାଗର ପ୍ରଚାର ପ୍ରସାର ହେବା ସହ ରୋଜଗାରର ନୂଆ ମାଧ୍ୟମ ଆରମ୍ଭ ହେବ । ଏଥି ମଧ୍ୟରେ ରେଳ ବିଭାଗ ତାର ସବୁ ଜୋନ୍‌କୁ ପତ୍ର ମାଧ୍ୟମରେ ଜଣାଇ ଦେଇଛି ଯେ ରେଳ ଷ୍ଟେସନରେ ଥିବା ପୁରୁଣା ବଗିକୁ ବ୍ୟବହାର କରି ଗୋଟିଏ ଡିଜାଇନର ରେଷ୍ଟୁରାଣ୍ଟ ସବୁ ରେଳ ଷ୍ଟେସନରେ ତିଆରି ହେବ । ସୂଚନା ମୁତାବକ ଏହାଦ୍ୱାରା ରାଜସ୍ୱ ଆଦାୟ ହେବା ସହ ଲୋକଙ୍କୁ ରୋଜଗାର ପ୍ରଦାନ କରାଯାଇ ପାରିବ। ଯେପରି ଲୋକେ ପାର୍କ ଓ ସଂଗ୍ରହାଳୟ ବୁଳିବାକୁ ଯାଉଛନ୍ତି ସେହି ପରି ଲୋକେ ରେଳବାଇର ଏହି ନିଆରା ରେଷ୍ଟୁରାଣ୍ଟକୁ ମଧ୍ୟ ଖାଇବାକୁ ଆସିବେ ଏବଂ ରେଷ୍ଟରାଣ୍ଟକୁ ଆସୁଥିବା ଲୋକଙ୍କୁ ବିଶେଷ ରାହାତି ଦିଆଯିବ ।

ଜନୈକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାଇ ରେଷ୍ଟୁରାଣ୍ଟ ନିର୍ମାଣ ପାଇଁ ପୁରୁଣା ଓ ଖରାପ ରେଳ ଡବାର ବ୍ୟବହାର କରାଯିବ, ଯାହା ଦ୍ୱାରା ଲୋକମାନେ ଏଠାକୁ ଆସିବାକୁ ପସନ୍ଦ କରିବେ। ଅଧିକାରୀ ଜଣଙ୍କ ‘ସାନ-ଏ-ଭୋପାଳ’ ରେଷ୍ଟୁରାଣ୍ଟର ଉଦାହରଣ ଦେଇ କହିଛନ୍ତି ଏହି ରେଷ୍ଟୁରାଣ୍ଟକୁ ଲୋକମାନେ ଯେପରି ପସନ୍ଦ କରୁଛନ୍ତି ସେହିପରି ଭାବେ ରେଳ ଷ୍ଟେସନରେ ରେଷ୍ଟୁରାଣ୍ଟ ତିଆରି କରାଯିବ ।

ଏଥି ପାଇଁ ସ୍ୱତନ୍ତ୍ର ଆଟିଟେକ୍ଟ ଓ ହସ୍ପିଟାଲିଟି ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯିବ । ରେଳ ଡବାଗୁଡିକୁ କିପରି ଆଧୁନିକୀକରଣ କରାଯାଇ ନୂଆ ରଙ୍ଗ ଦିଆଯିବ ସେଥି ପ୍ରତି ଧ୍ୟାନ ଦିଆଯାଉଛି । ଏହି ରେଷ୍ଟୁରାଣ୍ଟ ପରିସରରେ ହରିଟେଜ ପାର୍କ, ସଂଗ୍ରହାଳୟ ସହ ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସୁବିଧା ରହିବ।

ସମ୍ବନ୍ଧିତ ଖବର