ହ୍ବାଟସ୍‌ଆପ୍‌ ପାଇଁ କଟକଣା ଲାଗିଲା : ବିନା ଅନୁମତିରେ ଗ୍ରୁପ୍‌ରେ ସାମିଲ କରିପାରିବେନି

0

ନୂଆଦିଲ୍ଲୀ : ଲୋକମାନଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ଦୃଷ୍ଟିରେ ରଖି ବିଶ୍ବର ଏକ ନମ୍ବର ମୋବାଇଲ୍ ମେସେଜିଂ ସଂସ୍ଥା ହ୍ବାଟସ୍‌ଆପ୍‌ ଏକ ନୂଆ ବ୍ୟବସ୍ଥା କରିଛି। ଆଗାମୀ ଦିନରେ ଜଣେ ବ୍ୟକ୍ତିଙ୍କୁ କେହି ତାଙ୍କ ବିନା ଅନୁମତିରେ କୌଣସି ଗ୍ରୁପ୍‌ରେ ସାମିଲ (ଆଡ୍‌) କରିପାରିବେ ନାହିଁ। ଏବେ ହ୍ବାଟସ୍‌ଆପ୍‌ର ଆଡ୍‌ମିନ୍‌ ଯାହାକୁ ଚାହୁଛନ୍ତି ତାଙ୍କୁ ଗ୍ରୁପ୍‌ରେ ଆଡ୍ କରିଦେଉଛନ୍ତି।

ନୂଆ ବ୍ୟବସ୍ଥାରେ ଯଦି କୌଣସି ଗ୍ରୁପ୍‌ର ଆଡ୍‌ମିନ୍ ଅନ୍ୟ କୌଣସି ନୂତନ ସଦସ୍ୟଙ୍କୁ ଗ୍ରୁପ୍‌ରେ ସାମିଲ କରିବାକୁ ଚାହୁଛନ୍ତି ତେବେ ତାଙ୍କ ପାଖକୁ ଏକ ଇନ୍‌ଭାଇଟ୍‌ ପଠାଇବେ ବା ତାଙ୍କୁ ଆମନ୍ତ୍ରଣ କରିବେ। ସେହି ବ୍ୟକ୍ତି ଜଣକ ଯଦି ଉକ୍ତ ଆମନ୍ତ୍ରଣକୁ ଗ୍ରହଣ କରିବେ ତେବେ ହିଁ ଗ୍ରୁପ୍‌ରେ ସାମିଲ ହେବେ। ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ କୌଣସି ବ୍ୟକ୍ତିଙ୍କୁ କେହି ନିଜ ଇଛାରେ କୌଣସି ଗ୍ରୁପ୍‌ରେ ସାମିଲ କରିପାରିବେ ନାହିଁ। ଜଣେ ବ୍ୟକ୍ତି ଗ୍ରୁପ୍‌ର ଆମନ୍ତ୍ରଣକୁ ଦେଖି ସେଥିରେ ସାମିଲ ହେବେ ନା ନାହିଁ ସେହି ନିଷ୍ପତ୍ତି ନେଇପାରିବେ।

ହ୍ବାଟସ୍‌ଆପ୍‌ ଏହାର ବ୍ୟବହାରକାରୀଙ୍କ ପାଇଁ ନୂଆ ଇନଭାଇଟ୍ ବ୍ୟବସ୍ଥା ଆଣିଛି। ଏହା ବ୍ୟବହାରକାରୀଙ୍କୁ ନୂଆ ଗ୍ରୁପ୍‌ରେ ସାମିଲ ହେବା କିମ୍ବା ନହେବାର ବିକଳ୍ପ ପ୍ରଦାନ କରିବ। ଗ୍ରୁପ୍‌ରେ ସାମିଲ ହେବା ପାଇଁ ଯେଉଁ ଇନ୍‌ଭାଇଟ୍‌ ପଠାଯିବ ତାହାର ବୈଧତା ତିନିଦିନ ରହିବ। ଇନ୍‌ଭାଇଟ୍‌ର ଗ୍ରୁପ୍ ବିଷୟରେ ସୂଚନା, ସଦସ୍ୟଙ୍କ ନାମ ଆଦି ତଥ୍ୟ ରହିବ। ତିନିଦିନ ଭିତରେ ସେହି ଇନଭାଇଟ୍‌ ଗ୍ରହଣୀୟ ନହେଲେ ଏକ୍ସପାୟାର (ଅକାମି) ହୋଇଯିବ। ହ୍ବାଟସ୍‌ଆପ୍‌ର ଏହି ନୂତନ ସୁବିଧା ହାସଲ କରିବାକୁ ହେଲେ ଆପ୍‌କୁ ଅପ୍‌ଡେଟ୍‌ କରିବାକୁ ପଡ଼ିବ। ବର୍ତ୍ତମାନ କିଛି ହାତଗଣତି ବ୍ୟବହାରକାରୀଙ୍କ ପାଖରେ ଏହି ସୁବିଧା ପହଞ୍ଚିଛି। ଆଗାମୀ ଦିନରେ ସବୁ ବ୍ୟବହାରକାରୀ ଏହାର ଲାଭ ଉଠାଇପାରିବେ ବୋଲି ଜଣାପଡ଼ିଛି।

କିଭଳି କାମ କରିବ

ପ୍ରଥମେ ହ୍ବାଟସ୍‌ଆପ୍‌ର ସେଟିଂକୁ ଯିବାକୁ ପଡ଼ିବ
ଏହା ପରେ ଆକାଉଣ୍ଟ୍‌ରେ ପ୍ରବେଶ କରିବାକୁ ହେବ
ଆକାଉଣ୍ଟ୍‌ରେ ଥିବା ପ୍ରାଇଭେସି ବିକଳ୍ପ ଖୋଲିବାକୁ ହେବ
‌ସେହିଠାରେ ଗ୍ରୁପ୍‌ ବିକଳ୍ପ ଦେଖିବାକୁ ମିଳିବ
ଗ୍ରୁପ୍‌ରେ ନୋବଡି, ମାଇ କଣ୍ଟାକ୍ଟ ଏବଂ ଏଭ୍ରିୱାନ୍ ଭଳି ତିନିଟି ବିକଳ୍ପ ରହିଛି
ସେହି ତିନି ବିକଳ୍ପରୁ ଯେକୌଣସି ଗୋଟିଏକୁ ଚୟନ କରିବାକୁ ହେବ
ଯଦି କେହି ନୋବଡି ବିକଳ୍ପ ଚୟନ କରିବେ ତେବେ ତାଙ୍କୁ କୌଣସି ଗ୍ରୁପ୍‌ରେ ସାମିଲ କରିବାକୁ ହେଲେ ପ୍ରାକ୍ ଅନୁମତି ନେବାକୁ ହେବ
ଯଦି କେହି ମାଇ କଣ୍ଟାକ୍ଟ ବିକଳ୍ପ ଚୟନ କରିବେ ତେବେ ତାଙ୍କ କଣ୍ଟାକ୍ଟରେ ଥିବା ସଦସ୍ୟ ତାଙ୍କୁ ନୂଆ ଗ୍ରୁପ୍‌ରେ ସାମିଲ କରିପାରିବେ

ସମ୍ବନ୍ଧିତ ଖବର

Leave A Reply

Your email address will not be published.