ନିର୍ବାଚନ ପୂର୍ବରୁ ବିଜେପି ସରକାରଙ୍କ ନୂଆ ଚାଲ୍‌ : ଟାର୍ଗେଟରେ ମୁସ୍‌ଲିମ ନାଁ

Oୟୁପି ପରେ ଗୁଜରାଟ, ମହାରାଷ୍ଟ୍ରକୁ ଡେଇଁଲା O ଅହମ୍ମଦାବାଦ ହେବ ‘କର୍ଣ୍ଣାବତୀ’!O ଔରଙ୍ଗାବାଦ ଏବଂ ଓସ୍‌ମାନାବାଦର ନାମ ବଦଳାଇବାକୁ ଦାବି

ଅହମ୍ମଦାବାଦ୍‌: ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏବେ ସରକାରଙ୍କୁ ବିଭିନ୍ନ ସହରର ନାମ ବଦଳାଇବା ନିଶା ଘାରିଛି। ବିକାଶ ପ୍ରସଙ୍ଗକୁ ଗୌଣକରି ମୁସ୍‌ଲିମ ନାମରେ ଥିବା ସହରର ନାମ ପରିବର୍ତ୍ତନ ପାଇଁ ସରକାର ତତ୍ପର ହୋଇଉଠିଛନ୍ତି। ଉତ୍ତର ପ୍ରଦେଶରୁ ଆରମ୍ଭ ହୋଇଥିବା ନାମ ପରିବର୍ତ୍ତନ ଅଭିଯାନ ଏବେ ଗୁଜରାଟ ଏବଂ ମହାରାଷ୍ଟ୍ରକୁ ମଧ୍ୟ ବ୍ୟାପୁଥିବା ଦେଖିବାକୁ ମିଳିଲାଣି। ଆଗକୁ ସମଗ୍ର ଦେଶରେ ଏହି ଧାରା ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି। ୨୦୧୪ ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣରେ ଦୟନୀୟ ଭାବେ ବିଫଳ ହୋଇଥିବାରୁ ବିଜେପି ଏବେ ମୁସ୍‌ଲିମ ନାମ ଥିବା ସହରକୁ ହିନ୍ଦୁ ନାମରେ ନାମିତ କରିବାକୁ ଅଣ୍ଟା ଭିଡ଼ିଛି ବୋଲି କଂଗ୍ରେସ କହିଛି। ବିକାଶ ଓ କର୍ମନିଯୁକ୍ତି ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ନାମ ପରିବର୍ତ୍ତନକୁ ଏକପ୍ରକାର ଅସ୍ତ୍ର କରାଯାଉଛି ବୋଲି ବିରୋଧୀ ଦଳମାନେ କହିଛନ୍ତି। ନାମ ପରିବର୍ତ୍ତନ ଆଳରେ ହିନ୍ଦୁ ଭୋଟ୍‌ ଧ୍ରୁବୀକରଣ ପାଇଁ ମଧ୍ୟ ବ୍ୟାପକ ପ୍ରୟାସ କରାଯାଉଥିବା ଅଭିଯୋଗ ହୋଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବିଭିନ୍ନ ପ୍ରମୁଖ ସହରର ନାମ ବଦଳାଉଥିବା ବେଳେ ଏବେ ଗୁଜରାଟ ଓ ମହାରାଷ୍ଟ୍ରରେ ମଧ୍ୟ ନାମ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଆହ୍ଲାବାଦର ନାମ ପ୍ରୟାଗରାଜ କରିବା ପରେ ପରେ ନିକଟରେ ଫୈଜାବାଦ୍‌ର ନାମ ଅଯୋଧ୍ୟା କରିଛନ୍ତି। ତେବେ ଏହା ସାଂପ୍ରଦାୟିକ ରାଜନୀତିର ନଗ୍ନ ନମୁନା ବୋଲି କଂଗ୍ରେସ, ବହୁଜନ ସମାଜବାଦୀ ପାର୍ଟି କହିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ମଧ୍ୟ ଅହମ୍ମଦାବାଦ୍‌ର ନାମ ବଦଳାଇବାକୁ ବିଚାର କରୁଛନ୍ତି। ଅହମ୍ମଦାବାଦ୍‌ର ନାମ ପରିବର୍ତ୍ତନ କରି ଏହାକୁ ‘କର୍ଣ୍ଣାବତୀ’ ନାମରେ ନାମିତ କରିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଦେଇଛନ୍ତି।

ସୂଚନା ମୁତାବକ, ଗୁଜରାଟ ସରକାର ଏବେ ନ୍ୟାୟିକ ଏବଂ ଅନ୍ୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ଦିଗଗୁଡ଼ିକୁ ଅନୁଧ୍ୟାନ କରୁଛନ୍ତି। ସବୁ ଠିକ୍‌ଠାକ୍‌ ରହିଲେ ଖୁବ୍‌ ଶୀଘ୍ର ଅହମ୍ମଦାବାଦ୍‌ର ନାମ ପରିବର୍ତ୍ତନ ପାଇଁ ବଳିଷ୍ଠ ପଦକ୍ଷେପ ନିଆଯିବ ବୋଲି ରୁପାନି କହିଛନ୍ତି। ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ ମଧ୍ୟ ଏଥିପାଇଁ ଆଭାସ ଦେଇସାରିଲେଣି। ନିକଟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, ଅହମ୍ମଦାବାଦ୍‌ର ନାମ ପରିବର୍ତ୍ତନ କରି କର୍ଣ୍ଣାବତୀ ରଖିବା ପାଇଁ ଗୁଜରାଟ ସରକାର ବିଚାର କରୁଛନ୍ତି। ଯଦି ବିଜେପି ସରକାର ଲୋକଙ୍କ ସମର୍ଥନ ହାସଲ କରନ୍ତି, ତେବେ ଏହା ନିଶ୍ଚିତ ସମ୍ଭବ ହେବ। ଏକାଦଶ ଶତାବ୍ଦୀ‌ରେ ଜଣେ ହିନ୍ଦୁ ରାଜା କରନ ଦେବ ଏହି ସହର ପ୍ରତି‌ଷ୍ଠା କରିଥିବା କୁହାଯାଉଛି। ତେଣୁ ତାଙ୍କ ନାମ ଅନୁସାରେ ଅହମ୍ମଦାବାଦ୍‌ର ନାମ ବଦଳିବା ଉଚିତ ବୋଲି ବିଭିନ୍ନ ହିନ୍ଦୁ ସଂଗଠନ ଦାବି କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅହମ୍ମଦାବାଦ୍‌ ସହରର ନାମ ପରିବର୍ତ୍ତନ ପ୍ରକ୍ରିୟା ସଂପୂର୍ଣ୍ଣ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ମହାରାଷ୍ଟ୍ରର ଔରଙ୍ଗାବାଦ୍‌ ଏବଂ ଓସମାନାବାଦ୍‌ ସହରର ନାମ ପରିବର୍ତ୍ତନ ପାଇଁ ଶିବସେନା‌ ଦାବି କରିଛି। ଶିବ ସେନା ସାଂସଦ ସଞ୍ଜୟ ରାଉତ ଆଜି ଟ୍ବିଟ୍‌ କରି କହିଛନ୍ତି ଯେ ଉତ୍ତରପ୍ରଦେଶର ଆହ୍ଲାବାଦ୍‌ ଏବଂ ଫୈଜାବାଦ୍‌ ସହର ଯଥାକ୍ରମେ ପ୍ରୟାଗରାଜ ଏବଂ ଅଯୋଧ୍ୟା ନାମରେ ନାମିତ ହୋଇଛି। ତେଣୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଖୁବ୍‌ଶୀଘ୍ର ଔରଙ୍ଗାବାଦ ଓ ଓସ୍‌ମାନାବାଦର ନାମ ବଦଳାଇବା ଆବଶ୍ୟକ। ତେବେ ଔରଙ୍ଗାବାଦ୍‌କୁ ‘ସମ୍ଭାଜି ନଗର’ ଏବଂ ଓସମାନାବାଦ୍‌କୁ ‘ଧରାଶିବ ନଗର’ରେ ନାମିତ କରିବା ପାଇଁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର